Home General ଡ୍ରାଇଭରଙ୍କ ରାଲି ପାଇଁ ଲୋକେ ହଟହଟା

ଡ୍ରାଇଭରଙ୍କ ରାଲି ପାଇଁ ଲୋକେ ହଟହଟା

ଭୁବନେଶ୍ୱର : ଓଡିଶା ଡ୍ରାଇଭର ମହାସଂଘର ରାଲି ପାଇଁ ଆଜି ରାଜଧାନୀରେ ଲୋକମାନେ ନାହିଁ ନଥିବା ହଟହଟା ହୋଇଛନ୍ତି । ରେଳରୁ ଓହ୍ଲାଇ ମାଷ୍ଟରକ୍ୟାଣ୍ଟିନ ପଟକୁ ଆସିବାପରେ ଗାଡିଟିଏ ନପାଇବାରୁ ନିଜ ନିଜ ଜିନିଷପତ୍ର ମୁଣ୍ଡାଇ ରାସ୍ତାରେ ଚାଲି ଚାଲି ଯାଇଛନ୍ତି । ସେହିଭଳି ମାଷ୍ଟରକ୍ୟାଣ୍ଟନିରେ ଥିବା ବସ୍‍ଷ୍ଟାଣ୍ଡରୁ କୌଣସି ବସ୍‍ ବାହାରି ପାରିନାହିଁ ।

ଡ୍ରାଇଭର ମହାସଂଘର ରାଜଧାନୀ ଚାଲ ରାଲି ପାଇଁ ଆଜି ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାଘାଟ ଏକ ପ୍ରକାର ଅଚଳ ହୋଇ ପଡିଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ଡ୍ରାଇଭରମାନେ ବସ୍‍ ଓ ଅନ୍ୟାନ୍ୟ ଗାଡିଯୋଗେ ଗତକାଲି ବିଳମ୍ବିତ ରାତ୍ରୀରୁ ଆସି ରାଜଧାନୀରେ ପହଞ୍ଚିଛନ୍ତି । ଏମାନେ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଥିବା ରାସ୍ତାର ଦୁଇପାଶ୍ୱର୍ ସମେତ ଶହୀଦନଗର, ନଅ ନମ୍ବର, ଚାରି ନମ୍ବର, ଖାରବେଳନଗର, ସତ୍ୟନଗର ଆଦି ଅଞ୍ଚଳର ବିଭିନ୍ନ ଗଳି କନ୍ଦିରେ ଗାଡି ଭର୍ତ୍ତିକରି ଦେଇଛନ୍ତି ।

ରାତି ପାହିଲା ବେଳକୁ ଅନେକ ରାସ୍ତାଘାଟ ଏମାନଙ୍କ ଗାଡି ଯୋଗୁଁ ଏକ ପ୍ରକାର ଅବରୋଧ । ବିଶେଷକରି ବିଭିନ୍ନ ବିଦ୍ୟାଳୟ ସମ୍ମୁଖରେ ଏମାନେ ଗାଡି ରଖିଦେବାରୁ ପିଲାମାନେ ବିଦ୍ୟାଳୟରେ ପହଞ୍ଚିବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ନେଇ ଆସିଥିବା ଅନେକ ଗାଡିମୋଟର ବିଦ୍ୟାଳୟ ନିକଟରେ ପହଞ୍ଚି ପାରିନଥିବାବେଳେ ବହୁ ଛାତ୍ରଛାତ୍ରୀ ଆଜି ବିଦ୍ୟାଳୟ ନଯାଇ ଘରକୁ ଫେରିଛନ୍ତି ।

ସକାଳୁ ସକାଳୁ ଡ୍ରାଇଭର ମହାସଂଘର ସଦସ୍ୟମାନେ ରାମମନ୍ଦିର, ମାଷ୍ଟରକ୍ୟାଣ୍ଟିନ ଆଦି ରାସ୍ତାକୁ ଅବରୋଧ କରି ରଖିବା ସହିତ ଅନେକ ଗାଡି ଚାଳକଙ୍କ ରାସ୍ତା ଓଗାଳି ଥିଲେ । ତେବେ ପୁଲିସ୍‍ ଆସି ପହଞ୍ଚିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲେ ମଧ୍ୟ ରାମମନ୍ଦିର-ମାଷ୍ଟରକ୍ୟାଣ୍ଟିନ ରାସ୍ତାର ଦୁଇପଟକୁ ଏମାନେ ଦଖଲ କରି ରଖିଛନ୍ତି ।

ତେବେ ସବୁଠାରୁ ଅଧିକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ଷ୍ଟେସନରୁ ଫେରୁଥିବା ଯାତ୍ରୀ । ନିଜ ନିଜ ବ୍ୟାଗ ସହିତ ସେମାନେ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ମାଷ୍ଟରକ୍ୟାଣ୍ଟିନ ଛକଟି ଡ୍ରାଇଭରମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅବରୋଧ ହୋଇଥିବା ଯୋଗୁଁ ଯାତ୍ରୀମାନେ କୁଆଡେ ଯିବେ ତାହା ଜାଣିନପାରି ବହୁ କଷ୍ଟରେ ଭିଡରୁ ବାହାରିଥିବା ଦେଖିବାକୁ ମିଳିଥିଲା ।

ତେବେ ଲକ୍ଷ ଲକ୍ଷ ଡ୍ରାଇଭର ଜନପଥ ଅବରୋଧ କରିଥିଲେ ମଧ୍ୟ କମିଶନରେଟ ପୁଲିସ୍‍ କେବଳ ରାମମନ୍ଦିର ନିକଟରେ ଛିଡା ହୋଇ ଭିଡକୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି । ଏତେ ସଂଖ୍ୟାରେ ଲୋକେ ହାତରେ ବାଉଁଠ ଠେଙ୍ଗା ଧରି କିଭଳି ରାଜଧାନୀକୁ ଆସିଲେ ଓ ସେମାନଙ୍କୁ ଏଥିପାଇଁ କିଏ ଅନୁମତି ଦେଲା ତାହା ବଡ ପ୍ରଶ୍ନବାଚୀ ହୋଇଛି ।

ରାତି ଅଧରୁ ସମଗ୍ର ରାଜ୍ୟରୁ ଆସିଥିବା ଡ୍ରାଇଭର ମହାସଂଘର ସଦସ୍ୟମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ହାତରେ ଠେଙ୍ଗା ଓ ବ୍ୟାନର ଧରି ରାଲି କରୁଥିଲେ ମଧ୍ୟ ସେମାନଙ୍କ ଆଖପାଖରେ ପୁଲିସ୍‍ମାନଙ୍କୁ ଦେଖିବାକୁ ମିଳୁନାହିଁ । ଏପରିକି ଗାନ୍ଧୀମାର୍ଗର ଧାରଣାସ୍ଥଳରେ ଜାରି ୧୪୪ ଧାରାର ସୀମାକୁ ମଧ୍ୟ ଏମାନେ ଅତିକ୍ରମ କରି ରାସ୍ତାଉପରେ ଶୋଇଥିବା ଲକ୍ଷ୍ୟ କରାଯାଇଛି ।