Home Administration ଡ୍ରଗ୍ସ କଣ୍ଟ୍ରୋଲ ପ୍ରଶାସନର ୩ଟି ୱେବସାଇଟ୍‍

ଡ୍ରଗ୍ସ କଣ୍ଟ୍ରୋଲ ପ୍ରଶାସନର ୩ଟି ୱେବସାଇଟ୍‍

ଭୁବନେଶ୍ୱର : ରାଜ୍ୟରେ ନକଲି ଔଷଧ ଧରାପଡିବା ପରେ ଏବେ ଔଷଧ ତଦାରଖ ଦାୟିତ୍ୱରେ ଥିବା ଡ୍ରଗ୍ସ କଣ୍ଟ୍ରୋଲ ପ୍ରଶାସନର ତିନି ପ୍ରକାର ୱେବସାଇଟ୍‍ ରହିଥିବା ନଜରକୁ ଆସିଛି । ପ୍ରତ୍ୟେକ ୱେବସାଇଟ୍‍ର ଚିତ୍ର ଓ ତଥ୍ୟ ଭିନ୍ନ ଭିନ୍ନ ହୋଇଥିବାରୁ ଏହାକୁ ନେଇ ବ୍ୟବସାୟୀଙ୍କ ଠାରୁ ଆରମ୍ଭକରି ସାଧାରଣ ଲୋକେ ଅଡୁଆରେ ପଡୁଛନ୍ତି ।

ରାଜ୍ୟ ସରକାରଙ୍କ ପୋର୍ଟାଲରେ ଥିବା ସ୍ୱାସ୍ଥ୍ୟ ବିଭାଗ ପେଜ୍‍ରେ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟର ଗୋଟିଏ ୱେବସାଇଟ୍‍ ଲିଙ୍କ୍‍ ରହିଛି । ଏଥିରେ ସୂଚନାକୁ ଅପଡେଟ୍‍ କରାଯାଉ ନାହିଁ । ଦୁଇବର୍ଷ ତଳୁ ଅବସରଗ୍ରହଣ କରିଥିବା ଅଧିକାରୀଙ୍କ ନାମ ଏଥିରେ ଏବେ ବି ଗୁଇନ୍ଦା ଅଧିକାରୀ ଭାବେ ପ୍ରଦର୍ଶିତ ହେଉଛି । ଏଥି ସହିତ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କର ମୋବାଇଲ୍‍ ନମ୍ବର ଏଥିରେ ଉପଲବ୍ଧ ନାହିଁ । ଦୀର୍ଘଦିନ ଧରି ଡ୍ରଗ୍ସ କଣ୍ଟ୍ରୋଲ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳୁଛି । ଏହାକୁ ଏନ୍‍ଆଇସି ତିଆରି କରିଛି ।

ଆଉ ଗୋଟିଏ ୱେବସାଇଟ୍‍ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ନିଜେ ପ୍ରସ୍ତୁତ କରିଛନ୍ତି । ଏହାକୁ ବି ଏନ୍‍ଆଇସି ତିଆରି କରିଛି । ହେଲେ ରାଜ୍ୟ ସରକାରଙ୍କ ପୋର୍ଟାଲ ସହିତ ଏହାର ଲିଙ୍କ୍‍ ଦିଆଯାଇ ନାହିଁ । ଏଥିରେ ଅବଶ୍ୟ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଠାରୁ ଆରମ୍ଭକରି ଇନ୍ସପେକ୍ଟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ନାଁ ଓ ଫୋନ୍‍ ନମ୍ବର ରହିଛି । ରାଜ୍ୟ ପୋର୍ଟାଲ ସହିତ ଏହାର ଲିଙ୍କ୍‍ ନଥିବାରୁ ସାଧାରଣ ଲୋକେ ଚାହିଁଲେ ବି ଡ୍ରଗ୍ସ କଣ୍ଟ୍ରୋଲର କିମ୍ବା ଇନ୍ସପେକ୍ଟରଙ୍କ ସଂକ୍ରାନ୍ତରେ କିଛି ସୂଚନା ପାଇପାରୁ ନାହାନ୍ତି ।

ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ନାଁରେ ଖୋଲିଥିବା ତୃତୀୟ ୱେବସାଇଟ୍‍ ରେ ରାଜ୍ୟ ସ୍ୱାସ୍ଥ୍ୟ ମିଶନ କର୍ତ୍ତୃପକ୍ଷଙ୍କ ଲୋଗୋ ରହିଥିବାରୁ ଏଥିପାଇଁ ମିଶନ କର୍ତ୍ତୃପକ୍ଷ ଅର୍ଥ ବ୍ୟୟ କରିଥିବା ଅନୁମାନ କରାଯାଉଛି । ଏହାକୁ ଗୋଟିଏ ବେସରକାରୀ ସଂସ୍ଥା ତିଆରି କରିଥିବାରୁ ଏହା ଅତ୍ୟନ୍ତ ରଙ୍ଗିନ ଓ ଆଖିଦୃଶିଆ ହୋଇଛି । ହେଲେ ଏହାର ଲିଙ୍କ୍‍ ରାଜ୍ୟ ସରକାରଙ୍କ ପୋର୍ଟାଲ ସହିତ ନଥିବାରୁ ଏହାକୁ ବି ସାଧାରଣ ଲୋକେ ପାଇବା କଷ୍ଟକର । ଯଦି କୌଣସି ବ୍ୟକ୍ତି ଇଣ୍ଟରନେଟ୍‍ରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ସଂକ୍ରାନ୍ତରେ ସର୍ଚ୍ଚ କରୁଛନ୍ତି ତେବେ ଏହି ସାଇଟ୍‍ ପ୍ରଥମେ ଆସିଯାଉଛି ।

ରାଜ୍ୟ ସରକାର ନକଲି ଔଷଧ ଧରପଗଡକୁ ଜୋର ଦେବା ସହିତ ଏଭଳି ଔଷଧ ସଂକ୍ରାନ୍ତରେ ତୁରନ୍ତ ସରକାରଙ୍କୁ ଜଣାଇବାକୁ ଅନୁରୋଧ କରୁଛନ୍ତି । ହେଲେ ଲୋକେ କାହା ଠିକଣା କେଉଁଠୁ ପାଇ ଅଭିଯୋଗ କରିବେ ଜାଣିପାରୁ ନାହାନ୍ତି । ସାଧାରଣ ସରକାରୀ କର୍ମଚାରୀଙ୍କ ଠିକଣା ଓ ଫୋନ୍‍ ନମ୍ବର ୱେବସାଇଟ୍‍ରୁ ମିଳିଥାଏ । ହେଲେ ଡ୍ରଗ୍ସ କଣ୍ଟ୍ରୋଲ ପ୍ରଶାସନର ତିନି ପ୍ରକାର ୱେବସାଇଟ୍‍ ରହିବା ଓ ସରକାରୀ ପୋର୍ଟାଲରେ ଥିବା ୱେବସାଇଟ୍‍ଟି ଅପଡେଟ୍‍ ନହେବା ଏବେ ଏ କ୍ଷେତ୍ରରେ ବାଧକ ହୋଇଛି ।

ରାଜ୍ୟ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ବିଭାଗ ସରକାରୀ ପୋର୍ଟାଲର ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବାବେଳେ ଡ୍ରଗ୍ସ କଣ୍ଟ୍ରୋଲ ପ୍ରଶାସନର ଏଭଳି ତିନି ତିନିଟି ୱେବସାଇଟ୍‍ ଘୂରି ବୁଲିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଖୋଦ୍‍ ସରକାରୀ ସଂସ୍ଥା ନିଜସ୍ୱ ୱେବସାଇଟ୍‍ ପ୍ରସ୍ତୁତ ସମୟରେ ଆଇଟି ବିଭାଗର ପରାମର୍ଶ ନେଉନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ନକଲି ଔଷଧ ଧରିବା ଓ ସାଧାରଣ ଲୋକେ ଏଥିରେ ସରକାରଙ୍କୁ ସହାୟତା କରିବା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । (ତଥ୍ୟ)