Home General ଡେପୁଟି ଲବଣ କମିଶନର ଦପ୍ତର ଓଡିଶାରେ ହେଉ

ଡେପୁଟି ଲବଣ କମିଶନର ଦପ୍ତର ଓଡିଶାରେ ହେଉ

ଭୁବନେଶ୍ୱର : ଆଞ୍ଚଳିକ ବୟନଶିଳ୍ପ ସମିତି କାର୍ଯ୍ୟାଳୟକୁ ଭୁବନେଶ୍ୱରରୁ କୋଲକତା ସ୍ଥାନାନ୍ତରିତ କରିବାପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ରଖିଥିବାବେଳେ ଏହି ଦପ୍ତରକୁ ଓଡିଶାରେ ରଖିବା ସହିତ ଚେନ୍ନାଇରୁ ଡେପୁଟି ଲବଣ କମିଶନର ଦପ୍ତର ଓଡିଶାକୁ ସ୍ଥାନାନ୍ତର କରିବାଲାଗି ଏବେ ଦାବି ଜୋର ଧରିଛି ।

ଦୀର୍ଘବର୍ଷ ଧରି ଭୁବନେଶ୍ୱରରେ ବୟନଶିଳ୍ପ ସମିତିର ଆଞ୍ଚଳିକ ଦପ୍ତର କାର୍ଯ୍ୟକରୀ ଆସୁଛି ଏବଂ ରାଜ୍ୟର ବୁଣାକାର ତଥା ବୁଣାକାର ସମବାୟ ସମିତିଗୁଡିକ ସହ କେନ୍ଦ୍ର ସରକାରଙ୍କ ସମନ୍ୱୟ ରକ୍ଷା କରିବାରେ ଏହି ଦପ୍ତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । କେବଳ ବୟନଶିଳ୍ପ ନୁହେଁ ହସ୍ତଶିଳ୍ପ ସହ ଜଡିତ ସମିତିମାନଙ୍କୁ ମଧ୍ୟ ଏହି ଦପ୍ତର ଉଭୟ ବୈଷୟିକ ଓ ଆର୍ଥିକ ସହାୟତା ଦେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଓଡିଶାର ଅନ୍ୟୁନ ୧୬ଟି ଜିଲ୍ଲାରେ ବୁଣାକାରମାନେ ରହିଥିବାବେଳେ ହସ୍ତତନ୍ତ ଉତ୍ପାଦନ ଓ ବିପଣନ କ୍ଷେତ୍ରରେ ମଧ୍ୟ ଏହି ଦପ୍ତର ମାର୍ଗଦର୍ଶନ ଦେଇଥାଏ । ଓଡିଶା ବାହାରେ ବୟନଶିଳ୍ପ ଓ ହସ୍ତଶିଳ୍ପ ସାମଗ୍ରୀର ବିପ୍ପଣନ ଲାଗି ମଧ୍ୟ ଏହି ଆଞ୍ଚଳିକ ଦପ୍ତରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଦପ୍ତରକୁ କୋଲକତାକୁ ସ୍ଥାନାନ୍ତର କରାଗଲେ ଓଡିଶାର ସ୍ଥିତି ଏବଂ ବୟନଶିଳ୍ପ ତଥା ହସ୍ତଶିଳ୍ପ ସମିତିଗୁଡିକ କୋଲକତାର ଦୟା ଅନୁଗ୍ରହ ଉପରେ ରହିବେ ଏବଂ ଓଡିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦନ ଓ ବିପ୍ପଣନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିବ । ଶିଳ୍ପୀମାନଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ନିକଟରେ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ବିଭାଗୀୟ ସଚିବ ୟୁ.ପି.ସିଂହଙ୍କ ନିକଟରେ ଦୃଢ ଦାବି କରାଯାଇଛି ।

ଅନ୍ୟ ପକ୍ଷରେ ଓଡିଶାର ୪୮୦ କିଲୋମିର ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ସହିତ ୧୧୦୦ ବର୍ଗକିଲୋମିଟର ପରିମିତ ଚିଲିକା ହ୍ରଦ ରହିଥିବାବେଳେ ନିଜ ଚାହିଦା ମେଣ୍ଟାଇବାପାଇଁ ଓଡିଶା ଲୁଣ ଉତ୍ପାଦନ କରିପାରୁନାହିଁ । ଚେନ୍ନାଇରେ ଥିବା ଡେପୁଟୀ ଲବଣ କମିଶନରଙ୍କ ଦପ୍ତରରୁ ଓଡିଶାକୁ ତ୍ୱରିତ ସହଯୋଗ ମିଳୁନଥିବାରୁ ବର୍ଷକୁ ବର୍ଷ ରାଜ୍ୟରେ ଲୁଣ ଉତ୍ପାଦନ ହ୍ରାସ ପାଇବା ସହିତ ଲବଣ ସମବାୟ ସମିତିଗୁଡିକ ଋଗଣ ହୋଇପଡୁଛି ।

ସରକାରୀ ତଥ୍ୟ ମୁତାବକ ଓଡିଶା ପାଇଁ ବାର୍ଷିକ ୬ଲକ୍ଷ ୭୨ହଜାର ମେଟ୍ରିକ ଟନ୍‍ ଲୁଣ ଉଭୟ ଖାଇବା ଓ ଶିଳ୍ପାନୁଷ୍ଠାନ ପାଇଁ ଆବଶ୍ୟକ ପଡୁଛି । କିନ୍ତୁ ପ୍ରଚୁର ପ୍ରାକୃତିକ ଭିତ୍ତିଭୂମି ଥିବା ସତ୍ୱେ ଓଡିଶାରେ ଏବେ ବର୍ଷକୁ ୧୦ହଜାର ମେଟ୍ରିକ ଟନ୍‍ ଲୁଣ ବି ଉତ୍ପାଦନ ହୋଇପାରୁନାହିଁ । ରାଜ୍ୟରେ ଲୁଣ ଉତ୍ପାଦନ ପାଇଁ ଯେଉଁ ପ୍ରାକୃତିକ ଭିତ୍ତିଭୂମି ରହିଛି ତାହାର ପୂର୍ଣ୍ଣ ଉପଯୋଗ କରାଯାଇ ପାରିଲେ ଓଡିଶା ବାର୍ଷିକ ୫୦ଲକ୍ଷ ମେଟ୍ରିକ ଟନ୍‍ରୁ ଅଧିକ ଲୁଣ ଉତ୍ପାଦନ କରି ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ସହିତ ଅନ୍ୟ ରାଜ୍ୟକୁ ମଧ୍ୟ ଯୋଗାଇ ପାରନ୍ତା ।

ହସ୍ତତନ୍ତ, ହସ୍ତଶିଳ୍ପ ଓ ଲବଣ କ୍ଷେତ୍ରର ପୂର୍ଣ୍ଣ ଉପଯୋଗ କରାଯାଇ ପାରିଲେ ବ୍ୟାପକ କର୍ମନିଯୁକ୍ତି ସହ ଓଡିଶାର ଅର୍ଥନୀତି ବିଶେଷ ଭାବେ ସମୃଦ୍ଧ ହୋଇପାରନ୍ତା ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here