Home News in Odia ୩୦ଟି ନୂଆ ଏନଏସି ପାଇଁ ପ୍ରସ୍ତାବ

୩୦ଟି ନୂଆ ଏନଏସି ପାଇଁ ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ ଆଉ ୩୦ଟି ନୂଆ ଏନ୍‍ଏସି ଗଠନ ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ପଡି ରହିଛି । ସେହିଭଳି ଆଉ ୭ଟି ପ୍ରସ୍ତାବ ଉପରେ ନିଷ୍ପତ୍ତି ବିଚାରାଧିନ ଥିବାବେଳେ ଆସନ୍ତା ପୌର ନିର୍ବାଚନ ପୂର୍ବରୁ ଏଗୁଡିକୁ ମାନ୍ୟତା ମିଳିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।

ରାଜ୍ୟରେ ବର୍ତ୍ତମାନ ୧୧୪ଟି ପୌରସଂସ୍ଥା ଥିବାବେଳେ ଏଥିରୁ ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲିଟି ଓ ୬୧ ଏନଏସି ରହିଛି । ତେବେ ରାଜ୍ୟରେ ଆଉ ୩୦ଟି ନୂଆ ଏନଏସି ଖୋଲିବାପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଆସିଛି ।

ଏଥି ମଧ୍ୟରେ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ଭୋଗରାଇ, ସିମୁଳିଆ, ବରଗଡ ଜିଲ୍ଲାର ଭଟଲି, ଭେଡେନ, ଭଦ୍ରକ ଜିଲ୍ଲାର ଧାମରା, ବଲାଙ୍ଗିର ଜିଲ୍ଲାର ବେଲପଡା, ବଙ୍ଗମୁଣ୍ଡା, ସଇଁତଳା, ବୌଦ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର, ନିଆଳି, ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ଓ ସେରଗଡ, ଯାଜପୁର ଜିଲ୍ଲାର ଧର୍ମଶାଳା/ଜାରକା, ଚଣ୍ଡିଖୋଲ ଓ ବିଞ୍ଝାରପୁର, ଖୋରଧାର ବୋଲଗଡ, ଟାଙ୍ଗି, ବେଗୁନିଆ, କୋରାପୁଟ ଜିଲ୍ଲାର ଦାମନଯୋଡି, କନ୍ଧମାଳ ଜିଲ୍ଲାର ରାଇକିଆ, ମୟୁରଭଞ୍ଜ ଜିଲ୍ଲାର ବେତନଟି, ନୂଆପଡା ଜିଲ୍ଲାର ସିନାପାଲି ଏବଂ ପୁରୀ ଜିଲ୍ଲାର କାକଟପୁର, ସାକ୍ଷୀଗୋପାଳ, ବ୍ରହ୍ମଗିରି ଆଦି ରହିଛି ।

ଏହାଛଡା ଏନ୍‍ଏଏସି ଗଠନ ନିମନ୍ତେ ମିଳିଥିବା ଆଉ ୭ଟି ପ୍ରସ୍ତାବ ସରକାରଙ୍କର ବିଚାରାଧିନ ରହିଛି । ଏଗୁଡିକ ହେଲା ଅନୁଗୁଳ ଜିଲ୍ଲାର ପାଲଲହଡା, ସୁବର୍ଣ୍ଣପୁର ବୀରମହାରାଜପୁର, ବଲାଙ୍ଗିର ଜିଲ୍ଲାର ଲୋଇସିଂହା, କୋରାପୁଟ ଜିଲ୍ଲାର ବୋରିଗୁମା, ସୁନ୍ଦରଗଡ ଜିଲ୍ଲାର ବଣାଇ, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଓ ବରଗଡ ଜିଲ୍ଲାର ଡୁଙ୍ଗୁରୁପାଲି । ତେବେ ବର୍ତ୍ତମାନ ସୁଦ୍ଧା ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ହୋଇପାରି ନାହିଁ ।

ଅନ୍ୟ ପକ୍ଷରେ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ, କେନ୍ଦ୍ରାପଡା ମ୍ୟୁନିସିପାଲିଟି, ଓଡଗାଁ ଓ ନୂଆପଡା ଏନ୍‍ଏସିରେ ବିଭିନ୍ନ କାରଣ ନେଇ ଉଚ୍ଚନ୍ୟାୟାଳୟରେ ମାମଲା ବିଚାରାଧିନ ରହିଛି । ଏଥିଯୋଗୁଁ ଏହିସବୁ ପୌର ସଂସ୍ଥାରେ ନିର୍ବାଚନ ପ୍ରକ୍ରିୟା ଅନିଶ୍ଚିତତା ମଧ୍ୟରେ ରହିଛି । ରାଉରକେଲା ମହାନଗର ନିଗମ ଗଠନ ନେଇ ରୁଜୁ ମାମଲା ଉପରେ ଅଦାଲତ ୨୦୧୫ ମାର୍ଚ୍ଚ ମାସରେ ରହିତାଦେଶ ଜାରି କରିଛନ୍ତି । ସମ୍ବଲପୁର ମହାନଗର ନିଗମରେ ୱାର୍ଡ ସଂରକ୍ଷଣ ନେଇ ଉଚ୍ଚ ନ୍ୟାୟାଳୟ ୨୦୧୫ ଏପ୍ରିଲ୍‍ ମାସରେ ସ୍ଥଗିତାଦେଶ ଜାରି କରିଛନ୍ତି । ସେହିପରି କେନ୍ଦ୍ରାପଡା ମ୍ୟୁନିସିପାଲିଟି, ଓଡଗାଁ ଏନଏସି ଏବଂ ନୂଆପଡା ଏନ୍‍ଏଏସିର ୱାର୍ଡ ସଂରକ୍ଷଣ ମାମଲା ଉପରେ ଅଦାଲତ ଯଥାକ୍ରମେ ୨୦୧୬ ଜୁନ୍‍, ୨୦୧୭ ଡିସେମ୍ବର ଓ ୨୦୧୮ ମାର୍ଚ୍ଚ ମାସରେ ସ୍ଥଗିତାଦେଶ ଜାରି କରିଛନ୍ତି ।

ପୌର ନିର୍ବାଚନ ପାଇଁ ସରକାର ଏବେ ପାଦେ ଆଗକୁ ଯାଇ ଆସନ୍ତା ମାସ ୨୯ ତାରିଖରେ ଆସନ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଇଥିବାବେଳେ ଉକ୍ତ ପୌରାଞ୍ଚଳଗୁଡିକରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ କି ନାହିଁ ସେ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । (ତଥ୍ୟ)