Home Health ଡେଙ୍ଗୁ ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ପତ୍ର

ଡେଙ୍ଗୁ ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ପତ୍ର

ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ଡେଙ୍ଗୁ ଆୟତ୍ତ ପାଇଁ ବିଏମ୍‍ସି ଅଣ୍ଟା ଭିଡିଥିବାବେଳେ ଜିଲ୍ଲାପାଳମାନେ ଏହି ବର୍ଷାଦିନିଆ ରୋଗ ଉପରେ ନଜର ରଖିବାପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପରାମର୍ଶ ଦେଇଛି । ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ୫ଟି ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖି ମାର୍ଗଦର୍ଶିକା ଜାରି ହୋଇଛି ।

ଜାରି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ବର୍ଷାଋତୁରେ ଭେକ୍ଟର ବାହିତ ରୋଗ ବ୍ୟାପିବାର ସମ୍ଭାବନା ଢେର ଅଧିକ । ତେଣୁ ମୌସୁମୀ ଋତୁରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଏଭଳି ସ୍ଥିତିରେ ତାଲିମପ୍ରାପ୍ତ କର୍ମଚାରୀ ନେଇ ସ୍ଥିତି ଉପରେ ନଜର ରଖିବା ସହିତ ଆବଶ୍ୟକ ଔଷଧ ଆଦି ମହଜୁଦ ରଖିବାକୁ କୁହାଯାଇଛି । ବିଶେଷକରି ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଉପରେ ଦଖଲ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ମୁତୟନ ପାଇ ପରାମର୍ଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଗତ ଦିନରେ ମ୍ୟାଲେରିଆ, ଡେଙ୍ଗୁ, ଜାପାନୀ ଜ୍ୱର ଏବଂ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗ ବ୍ୟାପିବାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ବ୍ଲକ ସ୍ତରର ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପ୍ରସ୍ତୁତ ରଖିବା ସହିତ କୌଣସି ଠାରୁ ଏହାର ସୂଚନା ମିଳିଲେ ତ୍ୱରିତ ପଦକ୍ଷେପ ନିଅ ।

ଏଥି ସହିତ ଡେଙ୍ଗୁ, ମ୍ୟାଲେରିଆ ଭଳି ଭେକ୍ଟର ବାହିତ ରୋଗର ନିରାକରଣ ଲାଗି କେତେକ ମାର୍ଗଦର୍ଶିକା ଜାରି ହୋଇଛି । ଏଥି ସହିତ ଜିଲ୍ଲା ଓ ପୌରପାଳିକା ସ୍ତରରେ ସହଯୋଗୀମାନଙ୍କୁ ନେଇ ବୈଠକ କରିବା ସହିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ଅନ୍ୟ ବିଭାଗଗୁଡିକ ସହିତ ମିଶି ସଚେତନତା କାର୍ଯ୍ୟକ୍ରମ ଚଳାଇବାକୁ ପରାମର୍ଶ ଦିଆଯାଇଛି ।

ଯେଉଁସବୁ ଅଞ୍ଚଳରେ ଗତ ପାଞ୍ଚବର୍ଷ ମଧ୍ୟରେ ଭେକ୍ଟର ବାହିତ ରୋଗ ବ୍ୟାପିଛି ସେହିସବୁ ଅଞ୍ଚଳକୁ ଚିହ୍ନଟ କରିବା ସହିତ ଚଳିତବର୍ଷ ସେଠାକାର ସମ୍ବେଦନଶୀଳ ଅଞ୍ଚଳକୁ ଠାବ କରିବାପାଇଁ ପରାମର୍ଶ ଦିଆଯାଇଛି । ଏହି ରୋଗରେ ମୃତ୍ୟୁ ଯେଭଳି ନଘଟିବ ସେଥିପାଇଁ ଠିକଣା ସମୟରେ ପରୀକ୍ଷା, ଚିକିତ୍ସା ଓ ରୋଗୀଙ୍କୁ ଆବଶ୍ୟକ ସ୍ଥଳେ ଅନ୍ୟତ୍ର ରେଫର ପାଇଁ କୁହାଯାଇଛି ।

ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଭେକ୍ଟର ବାହିତ ରୋଗର ମୁକାବିଲା ପାଇଁ ଔଷଧ ଓ ରକ୍ତ ମହଜୁଦ ରଖିବା ସହିତ କୌଣସି ପ୍ରକାର ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ଠାରୁ ବ୍ଲକ ପର୍ଯ୍ୟନ୍ତ ସବୁ ସ୍ତରରେ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଶିଳ୍ପସଂସ୍ଥା, ପଞ୍ଚାୟତ ପ୍ରତିନିଧି ଏବଂ ସ୍ୱୟଂ ସହାୟକ ଗୋଷ୍ଠିକୁ ସାମିଲ ପାଇଁ ପରାମର୍ଶ ଦିଆଯାଇଛି । ସର୍ବୋପରି ଡେଙ୍ଗୁ, ମ୍ୟାଲେରିଆ ଓ ଚିକନଗୁନିଆ ଭଳି ରୋଗକୁ ପ୍ରତିହତ କରିବାପାଇଁ ଆଇଇସି ଓ ବିସିସି କାର୍ଯ୍ୟକ୍ରମ ଉପରେ ସର୍ବାଧିକ ଗୁରୁତ୍ୱ ଦେବା ସହିତ ଏହାର ନିରାକରଣ ସମ୍ବନ୍ଧୀୟ ସୂଚନା ଗଣମାଧ୍ୟମରେ ପ୍ରସାରିତ ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଜାରି କରିଛି । (ତଥ୍ୟ)