Home News in Odia ଡେଙ୍ଗୁ ପ୍ରସଙ୍ଗରେ ଘେରିଲା କଂଗ୍ରେସ

ଡେଙ୍ଗୁ ପ୍ରସଙ୍ଗରେ ଘେରିଲା କଂଗ୍ରେସ

ଭୁବନେଶ୍ୱର : ହେଙ୍ଗୁ ପ୍ରସଙ୍ଗରେ ଆଜି ସରକାରଙ୍କୁ ଘେରିଛି କଂଗ୍ରେସ । ଡେଙ୍ଗୁକୁ ହାଲୁକା ଭାବେ ନେଲେ ଏହା ଆଗାମୀ ଦିନରେ ମହଙ୍ଗା ପଡିବ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ତଥା ଦଳର ମୁଖପାତ୍ର ଦେବାଶିଷ ପଟ୍ଟନାୟକ ।

ଆଜି ଏଠାରେର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମେ ଆଗରୁ ଶୁଣିଥିଲେ ଦେଶର ବିଭିନ୍ନ ସ୍ଥାନରୁ ଯଥା ଦିଲ୍ଲୀ, ସୁରଟ ସମେତ ଦେଶର ଅନ୍ୟାନ୍ୟ ବଡ଼ ସହରରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ । କିନ୍ତୁ ଏବେ ଆମ ରାଜ୍ୟ ଓଡ଼ିଶାରେ ବି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଏକ ନିର୍ଦ୍ଦିଷ୍ଟ ଜାତି ମଶା ଦ୍ୱାରା ଏହି ଡେଙ୍ଗୁ ରୋଗ ବ୍ୟାପୁଛି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇ ରାଜ୍ୟରେ ଗୁରତର ଆକାରରେ ଧାରଣ କଲାଣି । କରୋନା ସାଂଗକୁ ଡେଙ୍ଗୁରୋଗ ଲୋକଙ୍କୁ ଭୟଭିତ କରୁଛି ।

ଆଜି ସୁଦ୍ଧା ରାଜ୍ୟରେ ସରକାରୀ ହିସାବରେ ୪୫୩ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ପ୍ରତିଦିନ ୩୦ ରୁ ଅଧିକ ଲୋକ ଡେଙ୍ଗୁରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ସରକାରୀ ହିସାବରୁ ଜଣାଯାଏ । କିନ୍ତୁ ପ୍ରକୃତରେ ହଜାର ହଜାର ସଂଖ୍ୟାରେ ଡେଙ୍ଗୁ ରୋଗୀ ସଂକ୍ରମିତ ହେଉଛନ୍ତି । ଡ. ପଟ୍ଟନାୟକ କହିଛନ୍ତି ଆଗରୁ ଓଡ଼ିଶାରେ ଡେଙ୍ଗୁ କେବେ ଦେଖାଦେଇ ନଥିଲା । ବିଗତ ୩-୪ ବର୍ଷ ଧରି ଆମ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ସହିତ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି । ପୌରାଂଚଳର ଅଧିବାସୀ ମାନଙ୍କ ଠାରୁ ଟିକସ ଆଦାୟ କରୁଥିବା ମହାନଗର ନିଗମ ସମେତ ରାଜ୍ୟର ପୌର କର୍ତୃପକ୍ଷମାନେ ଡେଙ୍ଗୁ ରୋଗ ନିୟନ୍ତ୍ରଣ କରିବାରେ ସଂପୂଣ୍ଣ ବିଫଳ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ସାଧାରଣ ଜନତାଙ୍କ ଜୀବନର ମୂଲ୍ୟ ଅପେକ୍ଷା ରାଜ୍ୟସରକାରଙ୍କ ପଦାଧିକାରୀ ଓ ନେତାମାନେ ପ୍ରିୟାପ୍ରୀତି ପୋଷଣ ଓ ଅର୍ଥ ତୋଷରପାତରେ ବ୍ୟସ୍ତ ରହୁଛନ୍ତି । ସେହିପରି ନଗର ଉନ୍ନୟନ ମନ୍ତ୍ରୀ ଏକ ହତ୍ୟାମାମଲାରୁ ନିଜ ନାମକୁ କାଟିବାକୁ ଉଦ୍ୟମ କରୁଥିବା ବେଳେ ଡେଙ୍ଗୁ ମୁକାବିଲା କିଭଳି ହେବ ତାହାକୁ ନେଇ ଚିନ୍ତା କରୁନାହାନ୍ତି କି ତାଙ୍କ ବିଭାଗ କୌଣସି ଆବଶ୍ୟକ ପଦକ୍ଷେପ ନେଉଁ ନାହାନ୍ତି । ପୌରାଂଚଳରେ ହୋଲଡିଂ ଟ୍ୟାକ୍ସ ନେଉଛନ୍ତି କିନ୍ତୁ ସେବା ଯୋଗାଇ ଦେଉନାହାନ୍ତି କାହିଁକି ବୋଲି ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଡ. ପଟ୍ଟନାୟକ । ପୌରାଂଚଳ ଓ ସହରାଂଚଳରେ ଦୁଇବର୍ଷରୁ ଅଧିକ ସମୟ ଧରି ଜନପ୍ରତିନିଧି ନଥିବାରୁ ରାଜ୍ୟରେ ଏଭଳି ଅବସ୍ଥା ଦେଖାଦେଇଛି ।

କେବଳ ଲୋକମାନଙ୍କ ପାଖରୁ ଫାଇନ ଆଦାୟ କରାଯାଉଛି କିନ୍ତୁ ଡେଙ୍ଗୁ ରୋଗୀଙ୍କ ଜୀବନ ରକ୍ଷାପାଇଁ ସରକାର କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ନଗରବାସୀଙ୍କ ପାଇଁ କେତେକ ପରାମର୍ଶମାନ ଦେଇ ସରକାର ହାତ ଟେକି ଦେଇଛନ୍ତି । କେବଳ ମିଥ୍ୟା ପ୍ରଚାର, ମିଥ୍ୟା ପ୍ରତିଶୃତି ଦେଇ ଜନସାଧାରଣଙ୍କୁ ପ୍ରତାରଣା କରିଚାଲିଛନ୍ତି ବୋଲି ସେ କହିଛନ୍ତି । ବିଶେଷକରି ଭୁବନେଶ୍ୱର ଓ କଟକ ସହରରେ ଏହା କାୟା ବିସ୍ତାର କରିଚାଲିଛି । ୧୦୭ରୁ ଅଧିକ ଡେଙ୍ଗୁ ରୋଗରେ ସଂକ୍ରମିତ ହୋଇଛନ୍ତି ।

ଭୁବନେଶ୍ୱର ଏବଂ କଟକର ଅଧିକାଂଶ ଅଂଚଳରେ ଡେଙ୍ଗୁରୋଗର ପାଦୃଭାବ ବଢ଼ୁଛି । ନଗର ଉନ୍ନୟନ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡେଙ୍ଗୁ ବ୍ୟାପିବା ସ୍ୱୀକାରକରି ଗଣମାଧ୍ୟମରେ ବିବୃତି ରଖିସାରିଛନ୍ତି । ଦୈତନଗରୀ ଭୁବନେଶ୍ୱର କଟକରେ ସରକାରୀ ହିସାବରେ ଡେଙ୍ଗୁରେ କେହି ମୃତ କରିନଥିଲେ ବି ଯେଉଁ ପରିମାଣରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ତାହା ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ସେଥିପାଇଁ ସରକାର ଦାୟି ରହିବେ ବୋଲି ମୁଖପାତ୍ର ମନୋ ରଞ୍ଜନ ଦାଶ ସରକାରଙ୍କୁ ଚେତେଇ ଦେଇଛନ୍ତି ।

ଭୁବନେଶ୍ୱର ସ୍ମାର୍ଟ ସିଟି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ, ଏଠି ନାଳନର୍ଦ୍ଦମା ସଫା ନହେବା, ମଶାତେଲ ନପଡ଼ିବା, ମଶାଧୂଆଁ ଗାଡ଼ି ନବୁଲିବା ଦ୍ୱାରା ଡେଙ୍ଗୁ ବ୍ୟାପୁଛି ବୋଲି ଶ୍ରୀ ଦାଶ କହିଛନ୍ତି । ସରକାରଙ୍କ ଏଭଳି ଆଭିମୁଖ୍ୟ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାଶ କହିଥିଲେ । ତେଣୁ ଡେଙ୍ଗୁ ରୋଗ ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ହସପିଟାଲରେ ଡେଙ୍ଗୁରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲିବା ସହିତ ମହାନଗରର ପ୍ରତ୍ୟେକ ୱାର୍ଡରେ ନାଳନର୍ଦ୍ଦମା ସଫା କରିବା ଏବଂ ଆବଶ୍ୟକତା ଅନୁଯାୟୀ ମଶାଧୂଆଁ ଏବଂ ମଶାତେଲ ପକାଇବା ସହ ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବାପାଇଁ ଅଧିକ ମାତ୍ରାରେ ପ୍ରଚାର ଓ ପ୍ରସାର କରିବା ସହିତ ଆବଶ୍ୟକ ପଦକ୍ଷେପ ନେବାପାଇଁ ସରକାରଙ୍କ ପାଖରେ ଦାବି ଜଣାଇଛି କଂଗ୍ରେସ ।

ଏହି ଅବସରରେ ଦୈତନଗରୀ କଟକ ଭୁବନେଶ୍ୱର ମହାନଗରର କମିଶନରଙ୍କୁ ଏକ ଦାବି ପତ୍ର ଦିଆଯିବା ସଂଗେ ସଂଗେ ବିଭିନ୍ନ ୱାର୍ଡ ବୁଲି କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଜନସଚେତନ କରିବା ସହିତ ଅଳିଆ ଆବର୍ଜନା କିପରି ସଫା ହୋଇପାରିବ ତାହା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀକୁ ପରିଚାଳନା କରିଥିଲେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ।