Home Administration ଡିସେମ୍ବର ୨୦ରୁ ପ୍ରଶାସନ ଗାଓଁ କି ଔର

ଡିସେମ୍ବର ୨୦ରୁ ପ୍ରଶାସନ ଗାଓଁ କି ଔର

ନୂଆଦିଲ୍ଲୀ : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଚଳିତ ଡିସେମ୍ବର ମାସ ୨୦ରୁ ୨୫ତାରିଖ ଯାଏ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁଶାସନ ସପ୍ତାହ ପାଳନ କରାଯାଉଛି । କେନ୍ଦ୍ର ପ୍ରଶାସନିକ ସଂସ୍କାର ଓ ସାଧରଣ ଅଭିଯୋଗ ବିଭାଗ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମକୁ କେନ୍ଦ୍ର କାର୍ମିକ, ପେନ୍‌ସନ୍‌, ସାଧାରଣ ଅଭିଯୋଗ ଓ ପେନ୍‌ସନ୍ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଗ୍ରାମ୍ୟ  ଉନ୍ନୟନ ମନ୍ତ୍ରଣାଳୟ, ଶିଳ୍ପ ପ୍ରୋତ୍ସାହନ ବିଭାଗ ଆଦି ସହାୟତାରେ ପାଳନ କରୁଛି ।

କେନ୍ଦ୍ର ବିଜ୍ଞାନ, ପ୍ରଯୁକ୍ତି, ଭୂବିଜ୍ଞାନ ବିଭାଗର ସ୍ୱାଧୀନ ଦାୟିତ୍ୱ ତଥା ପ୍ରଧାନମନ୍ତ୍ରୀଙ୍କ ଦପ୍ତର, ସାଧାରଣ ଅଭିଯୋଗ ଓ ପେନ୍‌ସନ୍ , ମହାକାଶ ଓ ଆଣବିକ ଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହ ଏହି ସୁଶାସନ ସପ୍ତାହକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହ ଏହିତ୍ତଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ସୁଶାସନ ସପ୍ତାହକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ଦ୍ୱାରା ମଧ୍ୟ “ସୁଶାସନରେ ଉତ୍ତମ ନୀତି’ ଶୀର୍ଷକ ଏକ ପ୍ରଦର୍ଶନୀ ଉଦ୍‌ଘାଟିତ ହେବ । ସେ ଏହି ଅବସରରେ  ମନ୍ତ୍ରୀ ଶ୍ରୀ ସିଂହ ସୁଶାସନ ସପ୍ତାହ ପୋର୍ଟାଲକୁ ଉଦ୍‌ଘାଟନ କରିବା ସହିତ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗର ଦୁଇବର୍ଷର ଉପଲବ୍ଧି ଉପରେ ପ୍ରସ୍ତୁତ ଏକ “ବୁକ୍‌ଲେଟ’କୁ ଉନ୍ମୋଚନ କରିବେ । ଏହି କାର୍ଯ୍ୟକ୍ରମରେ ‘ପ୍ରଶାସନ ଗାଓଁ କି ଔର’ ଉପରେ ନିର୍ମିତ ଏକ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେବ ।

ସୁଶାସନ ସପ୍ତାହ ପାଳନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବାର୍ତ୍ତା ଦେଇ ଏହାର ସଫଳତା କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ “ ସ୍ୱାଧୀନତାର ଅମୃତକାଳରେ ଏକ ସ୍ୱଚ୍ଛ, ପାରଦର୍ଶୀ ବ୍ୟବସ୍ଥା, ଦକ୍ଷ ପ୍ରକ୍ରିୟା ଓ ସୁଦକ୍ଷ ଶାସନ ବ୍ୟବସ୍ଥା ସୃଷ୍ଟି କରିବାକୁ ଆମେ ତ୍ୱରିତ ବେଗରେ ଗତି କରୁଛୁ । ଏହି ବିକାଶକୁ ସର୍ବାଙ୍ଗୀଣ ଓ ସମାବେଶୀ କରିବାକୁ ଉଦ୍ୟମ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ସପ୍ତାହଟିର ପ୍ରସଙ୍ଗ ବା ବିଷୟବସ୍ତୁ ଗ୍ରାମାଭିମୁଖୀ ପ୍ରଶାସନ (ପ୍ରଶାସନ ଗାଁଓ କି ଔର) ବିଶେଷ  ମହତ୍ୱ ରଖେ । ଆମ ସରକାର ସୁଶାସନ ପ୍ରକ୍ରିୟାକୁ ସୁଦୃଢ କରିବାକୁ ଅଙ୍ଗୀକାରବଦ୍ଧ । ଏହି ସୁଶାସନ ନୀତିରେ ଲୋକାଭିମୁଖୀତା, ଶାସନଗତ ସକ୍ରିୟତା ଓ ‘ନାଗରିକ-ପ୍ରଥମ” ଆଭିମୁଖ୍ୟ ଅଗ୍ରାଧିକାର ପାଇଛି ।

ଏହି ସପ୍ତାହ ପାଳନ ଅବସରରେ ଶାସନକୁ ଗ୍ରାମାଭିମୁଖୀ କରିବାକୁ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କ ଅଭାବ ଅଭିଯୋଗର ଅବସାନ ପାଇଁ ଦେଶବ୍ୟାପୀ ଏହି ଅବସରରେ ‘ପ୍ରଶାସନ ଗାଓଁ କି ଔର’ ଅଭିଯାନ ଚାଲିବ । ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣି ତାହାର ତ୍ୱରିତ ସମାଧାନ ତଥା ଜନତାଙ୍କୁ ଉତ୍ତମ ସେବା ଯୋଗାଣ ନିମନ୍ତେ ଦେଶର ସବୁ ଜିଲ୍ଲା, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ‘ପ୍ରଶାସନ ଗାଓଁ କି ଔର’ କାର୍ଯ୍ୟକ୍ରମରେ ୭୦୦ରୁ ଅଧିକ ଜିଲ୍ଳାପାଳ ଅଂଶଗ୍ରହଣ କରିବେ ।

ସେମାନେ ଜିଲ୍ଲାର ତହସିଲ / ପଞ୍ଚାୟତ ସମିତି ସଦର କାର୍ଯ୍ୟାଳୟ ଆଦିକୁ ଯାଇ  ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣି ତାହାର ସମାଧାନ କରିବା ସହ ନାଗରିକଙ୍କୁ ତ୍ୱରିତ ସେବା ଯୋଗାଇ ଦେବାକୁ ଉଦ୍ୟମ କରିବେ । ବିଭିନ୍ନ ତହସିଲ ଓ ପଞ୍ଚାୟତ ସମିତି ଦପ୍ତରରେ କି ପ୍ରକାର କାର୍ଯ୍ୟ ଏହି ସପ୍ତାହ ପାଳନ ଅବସରରେ କରାଯିବ ସେଥିପାଇଁ କେନ୍ଦ୍ର ପ୍ରଶାସନିକ ଓ ସାଧାରଣ ଅଭିଯୋଗ ବିଭାଗ ତଥା ରାଜ୍ୟ ସରକାରମାନେ ଆବଶ୍ୟକ ନିର୍ଦ୍ଦେଶାବଳୀ ଯୋଗାଇ ଦେଇଛନ୍ତି ।

ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ ହେଲା ସ୍ୱାଧୀନତାର ଅମୃତ ମହୋତ୍ସବ ବେଳାରେ ପ୍ରଶାସନିକ ସଂସ୍କାରର ଦ୍ୱିତୀୟ ପିଢିକୁ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ରଖିଥିବା ଲକ୍ଷ୍ୟକୁ ସାକାର କରିବା ।  www.pgportal.gov.in/ggw.ପୋର୍ଟାଲ ମାଧ୍ୟମରେ ଏହି ସୁଶାସନ ସପ୍ତାହ ପାଳନର ପ୍ରଗତିକୁ ତଦାରଖ କରାଯିବ । ପ୍ରତ୍ୟେକ ଜିଲ୍ଲାପାଳ ନିଜ ଜିଲ୍ଲାର ଏକ ସୁଶାସନ ନୀତି  ପାଳନର ଅଗ୍ରଗତି ସମ୍ପର୍କରେ ଏକ ସୁଶାସନ ନୀତି ଓ ଜନ ଅଭିଯୋଗସମାଧାନର ନମୁନା ଉପସ୍ଥାପିତ କରିବେ । ଜିଲ୍ଲାୱାରୀ ଏଭଳି ସଫଳ କାହାଣୀଗୁଡିକର ଭିଡିଓ କ୍ଲିପ୍ସକୁ ନଥିକୃତ  କରାଯିବ । ଶାସନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ମାନ ପ୍ରତିଷ୍ଠା କରି ଉତ୍ତର ପିଢିଙ୍କୁ ଅନୁପ୍ରାଣିତ କରିବା ସହିତ ‘ସୁଶାସନ’କୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିବା ପାଇଁ ଏହି ସପ୍ତାହ ସହାୟକ ହେବ ବୋଲି ଆଶା କରାଯାଉଛି ।

ଡିସେମ୍ବର ୨୧ରେ ବୈଦେଶିକ ମନ୍ତ୍ରଣାଳୟ ଆନୁକୂଲ୍ୟରେ “ସୁଶାସନ ପ୍ରୟାସ’ ଉପରେ ଏକ ଆଲୋଚନା ଅନୁଷ୍ଠିତ ହେବ । ତା’ ପରଦିନ, ଅର୍ଥାତ୍ ଡିସେମ୍ବର ୨୨ତାରିଖରେ ସଂସ୍କାରର ପରବର୍ତ୍ତୀ ପିଢିରେ ଅଭିଯୋଗ ହ୍ରାସ ତଥା ପ୍ରତିକାର ଏବଂ ସମନ୍ୱିତ ଓ ସଫଳ ସୁଶାସନ ନୀତି ଉପରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଡିପିଆଇଆଇଟି ଏହାର ଆୟୋଜନ କରିବ ।

ଡିସେମ୍ବର ୨୩ରେ “ମିଶନ କର୍ମଯୋଗୀ -ଦ ପାଥ ଆହେଡ” ଉପରେ କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏକ କର୍ମଶାଳା  ଆୟୋଜିତ ହେବ । ଡିସେମ୍ବର ୨୪ତାରିଖରେ ପ୍ରଶାସନିକ ସଂସ୍କାର ବିଭାଗ ପକ୍ଷରୁ କେନ୍ଦ୍ରୀୟ ସଚିବାଳୟରେ ନିଷ୍ପତ୍ତିଗ୍ରହଣରେ ଦକ୍ଷତା ବୃଦ୍ଧି ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଛି । ଏଥିରେ ସୁଶାସନର ଅଭିଜ୍ଞତାକୁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହ ବଣ୍ଟନ କରାଯିବ । ଡିସେମ୍ବର ୨୫ରେ ସୁଶାସନ ଦିବସ ପାଳିତ ହେବ । ସେଦିନ “ସୁଶାସନ ସପ୍ତାହ – ପ୍ରଶାସନ ଗାଓଁ  କି ଔର” ଉପରେ ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ଏହାଛଡା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସୁଶାସନ-ସୂଚୀକୁ ସେ ଦିନ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା ଉନ୍ମୋଚନ କରିବେ । 

ଡିସେମ୍ବର ୨୫ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସୁଶାସନ ଦିବସର ସମାବର୍ତ୍ତନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି ।

ଉଦ୍‌ଘାଟନ ଉତ୍ସବରେ ପ୍ରଶାସନିକ ସଂସ୍କାର ବିଭାଗର ସଚିବ ଶ୍ରୀ ସଂଜୟ ସିଂହ, ଗୁଜରାଟର ମୁଖ୍ୟ ସଚିବ ଶ୍ରୀ ପଙ୍କଜ କୁମାର , ଜମ୍ମୁ ଓ କାଶ୍ମୀରର ମୁଖ୍ୟ ସଚିବ ଶ୍ରୀ ଅରୁଣ କୁମାର ମେହେତା, ଉତ୍ତରପ୍ରଦେଶର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ଦେବେଶ ଚତୁର୍ବେଦୀ, ପ୍ରଶାସନିକ ସଂସ୍କାର ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଭି ଶ୍ରୀନିବାସ ପ୍ରମୁଖ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ସବୁ ମନ୍ତ୍ରଣାଳୟ ଓ ବିଭାଗ, ସମସ୍ତ ରାଜ୍ୟ ସରକାର ଓ ସବୁ ଜିଲ୍ଲା ଭାଗ ନେବେ ।