Home Agriculture ଡିବିଟିରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଡିବିଟିରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ସ୍ୱଚ୍ଛତାକୁ ବିଭାଗୀୟ କାର୍ଯ୍ୟକ୍ରମରେ ପ୍ରତିଫଳିତ କରିବା ନିମନ୍ତେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ସମସ୍ତ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଆବଶ୍ୟକୀୟ କୃଷି ସହାୟତା ଯୋଗାଇବା ପଦ୍ଧତିକୁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତରଣ (ଡିବିଟି) ଅନ୍ତର୍ଭୁକ୍ତ କରାଯାଇଛି । ଡିବିଟି ମାଧ୍ୟମରେ ସରକାରୀ ପ୍ରୋତ୍ସାହନ ତଥା ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଚାଷୀମାନଙ୍କର ବ୍ୟାଙ୍କ ଜମାଖାତାକୁ ସିଧାସଳଖ ରିହାତି ଅର୍ଥ ପ୍ରଦାନ କରାଯାଉଛି ।

ଏପରି ବ୍ୟବସ୍ଥାରେ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମର କାର୍ଯ୍ୟଶୈଳୀ ଉତ୍ସାହଜନକ ନୁହେଁ ବୋଲି ଦର୍ଶାଇ ସୁଧାର ତଥା ଅଧିକ ଅଗ୍ରଗତି ନିମନ୍ତେ ପଦାଧିକାରୀମାନଙ୍କୁ ତାଗିଦ୍‌ କରିବା ସହିତ ଚଳିତ ମାସ ୧୭ ତାରିଖରେ ଅନ୍ୟ ଏକ ସମୀକ୍ଷା ବୈଠକ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁଧାର ବ୍ୟବସ୍ଥାରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି । ଅନୁରୂପ ଭାବରେ ଉତ୍ସାହଜନକ କାର୍ଯ୍ୟଶୈଳୀ ପ୍ରଦର୍ଶନ କରୁଥିବା ଅଧିକାରୀମାନଙ୍କୁ ପୁରସ୍କୃତ କରିବା ନିମନ୍ତେ ବନ୍ଦୋବସ୍ତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ମଧ୍ୟ ଡିବିଟିରେ ଅନ୍ତର୍ଭୁକ୍ତ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ଉପରେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ଅଧିକ ନିଷ୍ଠା ଓ ଆନ୍ତରିକତା ପ୍ରଦର୍ଶନ ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ଅନୁଷ୍ଠିତ ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କୃଷି ଜିଲ୍ଲା ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀମାନେ ଯୋଗଦେଇଥିଲେ । ବୈଠକରେ ମଧ୍ୟ ରାଜ୍ୟ ଯୋଜନା ଓ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରାଯାଇଥିବାବେଳେ କ୍ଷେତ୍ରୀୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଧନ୍ୟବାଦ ଅର୍ପଣ କରିଥିଲେ ।