Home Education ଡିଜିଟାଲ ତାଲିମରେ ଓଡିଶାରୁ ୧୭ଲକ୍ଷରୁ ଅଧିକ

ଡିଜିଟାଲ ତାଲିମରେ ଓଡିଶାରୁ ୧୭ଲକ୍ଷରୁ ଅଧିକ

ଭୁବନେଶ୍ୱର : ଗାଁ ଗହଳର ଲୋକଙ୍କୁ ଡିଜିଟାଲ କାରବାର ସହିତ ପରିଚିତି ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସଶକ୍ତ ଅଭିଯାନ (ପିଏମ୍‍ଜିଦିଶା)ରେ ଓଡିଶାର ୧୭ଲକ୍ଷରୁ ଅଧିକ ଲୋକ ତାଲିମ ପାଇଛନ୍ତି । ବିଜେଡି ସାଂସଦ ସୁଜିତ କୁମାରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସଂସଦରେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଥିବା ପିଏମ୍‍ଜିଦିଶା ଯୋଜନାରେ ୬କୋଟି ଲୋକଙ୍କୁ ଡିଜିଟାଲ ସଶକ୍ତ କରିବାପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ଏଥିପାଇଁ ୫,୫୬,୪୨,୮୫୮ ଜଣ ନିଜକୁ ପଞ୍ଜିକୃତ କରିଥିବାବେଳେ ୪,୬୯,୦୦,୪୧୨ ଜଣ ତାଲିମ ପାଇଥିଲେ । ଏମାନଙ୍କ ମଧ୍ୟରେ ଓଡିଶାରୁ ୨୭,୬୧,୮୩୪ ଜଣଙ୍କୁ ତାଲିମ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ୨୨,୬୪,୩୩୫ ଜଣ ନିଜକୁ ପଞ୍ଜିକୃତ କରାଇଥିଲେ । ତେବେ ୧୭,୧୬,୦୬୦ ଜଣ ତାଲିମ ପାଇଥିଲେ ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ୭୫ତମ ଜାତୀୟ ନମୂନା ସର୍ଭେ (ଏନ୍‍ଏସ୍‍ଏସ୍‍)ର ସୂଚନା ଅନୁଯାୟୀ ଦେଶରେ ୧୫ରୁ ୨୯ବର୍ଷ ବୟସର ୨୯.୪ ପ୍ରତିଶତ ପୁରୁଷ ଗ୍ରାମାଞ୍ଚଳରେ କମ୍ପ୍ୟୁଟର ବ୍ୟବହାର କରୁଥିବାବେଳେ ମହିଳାଙ୍କ ସଂଖ୍ୟା ୧୭.୬ ପ୍ରତିଶତ ରହିଛି । ସହରାଞ୍ଚଳରେ ଏହି ହାର ଯଥାକ୍ରମେ ୬୦.୬ ଓ ୫୦.୯ ପ୍ରତିଶତ ଅଛି । ତେବେ ୧୫ରୁ ୫୯ବର୍ଷ ବୟସ ବର୍ଗରେ ଗ୍ରାମାଞ୍ଚଳରେ କମ୍ପ୍ୟୁଟର ବ୍ୟବହାର କରୁଥିବା ପୁରୁଷ ଓ ମହିଳାଙ୍କ ହାର ଯଥାକ୍ରମେ ୧୬.୪ ଓ ୮.୬ ପ୍ରତିଶତ ରହିଥିବାବେଳେ ସହରାଞ୍ଚଳରେ ଏହି ହାର ଯଥାକ୍ରମେ ୪୪.୩ ଓ ୩୧.୪ ପ୍ରତିଶତ ରହିଛି ।

ସେହିଭଳି ଇଣ୍ଟରନେଟ୍‍ ବ୍ୟବହାର କ୍ଷେତ୍ରରେ ୧୫ରୁ ୨୯ବର୍ଷ ବୟସ ବର୍ଗରେ ଗ୍ରାମାଞ୍ଚଳରେ ପୁରୁଷ ଓ ମହିଳାଙ୍କ ହାର ଯଥାକ୍ରମେ ୩୮.୮ ଓ ୨୧.୩ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହା ୬୯.୪ ଓ ୫୬.୩ ପ୍ରତିଶତ ରହିଛି । ୧୫ରୁ ୫୯ବୟସ ବର୍ଗରେ ଗ୍ରାମାଞ୍ଚଳରେ ପୁରୁଷ ଓ ମହିଳାଙ୍କ ଇଣ୍ଟରନେଟ୍‍ ବ୍ୟବହାର ଯଥାକ୍ରମେ ୨୨.୯ ଓ ୧୦.୯ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହା ୫୨.୯ ଓ ୩୬ ପ୍ରତିଶତ ରହିଛି ।

କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ କୋଭିଡ ମହାମାରୀ ଓ ଏହାର ପରବର୍ତ୍ତୀ ସମୟରେ ବ୍ୟବସାୟ ଓ ସରକାରୀ କାର୍ଯ୍ୟ ପାଇଁ ଡିଜିଟାଲ ସାକ୍ଷରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପିଏମ୍‍ଜିଦିଶା ଯୋଜନାରେ ସମଗ୍ର ଦେଶରେ ତାଲିମ ପରେ ପ୍ରମାଣପତ୍ର ପାଇଥିବା ୩.୪୮ଲକ୍ଷ ଲୋକଙ୍କ ମଧ୍ୟରୁ ୧.୯୨ କୋଟି ମହିଳା ଥିବାବେଳେ ୧.୫୫ କୋଟି ପୁରୁଷ ରହିଥିବା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)