Home Health ଠିକା ନିଯୁକ୍ତିକୁ ଡାକ୍ତରୀ ଶିକ୍ଷକ ଅମଙ୍ଗ

ଠିକା ନିଯୁକ୍ତିକୁ ଡାକ୍ତରୀ ଶିକ୍ଷକ ଅମଙ୍ଗ

ଭୁବନେଶ୍ୱର : ଓଡ଼ିଶାର ସରକାରୀ ମେଡିକାଲ କଲେଜଗୁଡିକରେ ଶହ ଶହ ଡାକ୍ତରୀ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଖୋଲା ବିଜ୍ଞାପନ ସତ୍ତ୍ୱେ ବି ଏହି ପଦବୀରେ ଠିକା ନିଯୁକ୍ତି ପାଇଁ ଯୋଗ୍ୟ ଡାକ୍ତରମାନେ ଆଗ୍ରହ ପ୍ରକାଶ କରୁନଥିବାରୁ ପଦବୀ ପୂରଣରେ ସମସ୍ୟା ଉପୁଜୁଛି । ନିୟମିତ ପଦୋନ୍ନତି ଓ ସିଧାସଳଖ ନିଯୁକ୍ତି ଭିତ୍ତିରେ ଏହି ପଦବୀ ସବୁ ନିୟମିତ ବ୍ୟବଧାନରେ ପୂରଣ କରାଯାଉ ନଥିବା ଯୋଗୁଁ ଡାକ୍ତରୀ ଶିକ୍ଷା, ଚିକିତ୍ସା ଓ ଗବେଷଣା କ୍ଷେତ୍ର ବହୁ ମାତ୍ରାରେ ପ୍ରଭାବିତ ହେଉଛି ବୋଲି ଅଭିଜ୍ଞ ଡାକ୍ତରମାନେ ମତବ୍ୟକ୍ତ କରୁଛନ୍ତି ।

ଆଇନ ଅନୁଯାୟୀ ସରକାରୀ ମେଡିକାଲ କଲେଜ ଗୁଡିକରେ ଖାଲି ପଡିଥିବା ଓ ନୂଆ ଭାବେ ସୃଷ୍ଟି କରାଯାଉଥିବା ସହକାରୀ ପ୍ରଫେସର ପଦବୀ ପ୍ରତ୍ୟକ୍ଷ ନିଯୁକ୍ତି ଭିତ୍ତିରେ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଚୟନ କରାଯାଇଥିବା ପ୍ରାର୍ଥୀଙ୍କ ଦ୍ୱାରା ପୂରଣ ହୋଇଥାଏ । କିନ୍ତୁ ବର୍ଷ ବର୍ଷ ଧରି ଏଥିରୁ ଅନେକ ପଦବୀ ଖାଲି ରହୁଥିବା ବେଳେ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସମୟରେ ଏହି ପଦବୀ ପୂରଣ ପାଇଁ ବିଜ୍ଞାପନ ଓ ପ୍ରାର୍ଥୀ ଚୟନ ହେଉନଥିବାରୁ ମେଡିକାଲ କଲେଜ ଗୁଡିକର ଡାକ୍ତରୀ ଶିକ୍ଷକ କ୍ୟାଡରରେ ସାଙ୍ଘାତିକ ସମସ୍ୟା ସୃଷ୍ଟି ହେଉଛି ।

ସହକାରୀ ପ୍ରଫେସର ପଦବୀରୁ ସହଯୋଗୀ ବା ଆସୋସିଏଟ୍‍ ପ୍ରଫେସର ଏବଂ ସେଠାରୁ ପ୍ରଫେସର ପଦବୀ ମୁଖ୍ୟତଃ ପଦୋନ୍ନତି ଭିତ୍ତିରେ କ୍ୟାଡର ରୁଲ୍‍ ଅନୁଯାୟୀ ପୂରଣ କରାଯାଇଥାଏ । ତେବେ ଏ କ୍ଷେତ୍ରରେ ମଧ୍ୟ ଖୋଲା ବିଜ୍ଞାପନ ଆଧାରରେ ଲୋକସେବା ଆୟୋଗ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯାଇପାରିବ । ନିକଟରେ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଏକ ବିଜ୍ଞାପନ ପ୍ରକାଶ କରି ୧୪୪ଟି ଆସୋସିଏଟ୍‍ ପ୍ରଫେସର ଓ ୫୦ଟି ପ୍ରଫେସର ପଦବୀ ଚୁକ୍ତିଭିତ୍ତିରେ ସରକାର ପୂରଣ କରିବାକୁ ଚାହୁଁଥିବା ଦୃଷ୍ଟିରୁ ଖୋଲା ବଜାରରୁ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଲୋଡିଥିଲେ ।

ତେବେ ବହୁ କମ୍‍ ସଂଖ୍ୟକ ପ୍ରାର୍ଥୀ ଏହି ପଦବୀରେ ଠିକା ନିଯୁକ୍ତି ଲାଗି ଆଗ୍ରହ ପ୍ରକାଶ କରିଥିବା ପରିପ୍ରେକ୍ଷୀରେ ମେଡିକାଲ ଶିକ୍ଷା ନିର୍ଦ୍ଦେଶକ ମାତ୍ର ୭୧ଜଣ ପ୍ରାର୍ଥୀଙ୍କୁ ସହଯୋଗୀ ପ୍ରଫେସର ଓ ୭ଜଣଙ୍କୁ ପ୍ରଫେସର ପଦବୀ ପାଇଁ ସାକ୍ଷାତକାର ଡାକିଥିଲେ । ଏମାନଙ୍କ ଭିତରୁ ବି କିଛି ପ୍ରାର୍ଥୀ ସାକ୍ଷାତକାରରେ ଅନୁପସ୍ଥିତ ରହିବାରୁ ମାତ୍ର ଜଣଙ୍କୁ ଠିକା ପ୍ରଫେସର ଓ ୨୦ଜଣଙ୍କୁ ଠିକା ସହଯୋଗୀ ପ୍ରଫେସର ପଦବୀରେ ସୀମିତ ସମୟ ପାଇଁ ସରକାର ନିଯୁକ୍ତି ଦେବାକୁ ବାଧ୍ୟ ହୋଇଛନ୍ତି ।

ଏବେ ଏସସିବି, ଭୀମସାର, ଏମକେସିଜି ସମେତ ବାରିପଦା, ବାଲେଶ୍ୱର, ସୁନ୍ଦରଗଡ, କେନ୍ଦୁଝର, କୋରାପୁଟ, ପୁରୀ, କଳାହାଣ୍ଡି, ବଲାଙ୍ଗୀର ଆଦି ମେଡିକାଲ କଲେଜଗୁଡିକରେ ବହୁ ଡାକ୍ତରୀ ଶିକ୍ଷକ ପଦବୀ ଖାଲି ପଡିଛି । କଟକ ଶିଶୁଭବନରେ ସ୍ନାତକୋତ୍ତର ଶିକ୍ଷା ବ୍ୟବସ୍ଥା ଥିବାବେଳେ ସେଠି ବି ବହୁ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି । ରାଜଧାନୀର କ୍ୟାପିଟାଲ ହସପିଟାଲରେ ସ୍ନାତକୋତ୍ତର ବିଭାଗ ଖୋଲିବା ପାଇଁ ଜୋରଦାର ଉଦ୍ୟମ ଚାଲିଥିଲେ ମଧ୍ୟ ନିଶ୍ଚେତକ, ନିଦାନ ସମେତ ଅନ୍ୟ ବହୁ ବିଭାଗ ଲାଗି କିନ୍ତୁ ସଂପୂର୍ଣ୍ଣ ନିଯୁକ୍ତି ହେଉନାହିଁ । ଅବଶ୍ୟ ନିକଟରେ ରାଜ୍ୟ ସରକାର ଏହି ସ୍ନାତକୋତ୍ତର ଶିକ୍ଷାନୁଷ୍ଠାନ ପାଇଁ ଜଣେ ନିର୍ଦ୍ଦେଶକ ନିଯୁକ୍ତି କରିଛନ୍ତି ।

ଗୋଟିଏ ପଟେ ଠିକଣା ସମୟରେ ପଦୋନ୍ନତି ଦିଆଯାଉ ନଥିବାରୁ ଉପର ପାହ୍ୟାରେ ପାଖାପାଖି ୨୦୦ ପଦବୀ ଖାଲି ପଡିଥିବା ବେଳେ ଅନେକ ସହକାରୀ ଅଧ୍ୟାପକ ବର୍ଷ ବର୍ଷ ଧରି ପଦୋନ୍ନତି ନ ପାଇ ଗଭୀର ମନସ୍ତାପ ମଧ୍ୟରେ ରହୁଛନ୍ତି । ସେହିପରି ସହଯୋଗୀ ପ୍ରଫେସର ପଦବୀରେ ଥାଇ ପ୍ରଫେସର ପଦବୀକୁ ପଦୋନ୍ନତି ପାଇବା ପାଇଁ ଆଶା ବାନ୍ଧି ବସିଥିବା ବହୁ ଡାକ୍ତରୀ ଶିକ୍ଷକ ଏହି ସୁଯୋଗରୁ ବଞ୍ôଚତ ହୋଇ ଅବସର ଗ୍ରହଣ କରୁଥିବାରୁ ସରକାରୀ ମେଡିକାଲ କଲେଜରେ କାମ କରିବା ପାଇଁ ସେମାନଙ୍କର ଆଗ୍ରହ କମୁଥିବା ଉଭୟ ଛାତ୍ରଛାତ୍ରୀ ଓ ମେଡିକାଲ ଶିକ୍ଷକ ମହଲରୁ ଶୁଣିବାକୁ ମିଳୁଛି ।