Home Health ଠିକାରେ ନିଯୁକ୍ତ ହେବେ ପ୍ରଫେସର

ଠିକାରେ ନିଯୁକ୍ତ ହେବେ ପ୍ରଫେସର

ଭୁବନେଶ୍ୱର : ଖୁବ୍‍ଶୀଘ୍ର ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡିକରେ ଖାଲି ପଡିଥିବା ପ୍ରଫେସର ପଦବୀଗୁଡିକ ପୂରଣ ହେବାକୁ ଯାଉଛି । ଏଥିପାଇଁ ବିଭାଗୀୟ ପଦୋନ୍ନତି କମିଟି (ଡିପିସି)ର ସୁପାରିଶ୍‍ ଉପରେ ସରକାର ନିଷ୍ପତ୍ତି ନେଇ ସାରିଥିବାବେଳେ କେବଳ ବିଜ୍ଞପ୍ତି ପ୍ରକାଶ ବାକି ରହିଛି । ଏଥିରେ କଟକ, ବ୍ରହ୍ମପୁର, ସମ୍ବଲପୁର, ବଲାଙ୍ଗିର, ବାରିପଦା, ବାଲେଶ୍ୱର, କୋରାପୁଟ, ପୁରୀ, କଳାହାଣ୍ଡି ଆଦିରେ ଥିବା ମେଡିକାଲ କଲେଜଗୁଡିକର ବିଭିନ୍ନ ବିଭାଗର ପ୍ରଫେସର ଓ ସହଯୋଗୀ ପ୍ରଫେସର ପଦବୀ ସବୁ ପୂରଣ ହେବାକୁ ଯାଉଛି ।

ଏହାଛଡା ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଖୋଲୁଥିବା ସ୍ନାତକୋତ୍ତର ବିଭାଗ ଏବଂ କେନ୍ଦୁଝର ଓ ସୁନ୍ଦରଗଡର ଆରମ୍ଭ ହେବାକୁ ଯାଉଥିବା ନୂଆ ମେଡିକାଲ କଲେଜଗୁଡିକ ଲାଗି ମଧ୍ୟ ପ୍ରଫେସର ପଦବୀ ଲାଗି ବିଭାଗୀୟ ନିର୍ଦ୍ଦେଶକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ତିନୋଟି ସ୍ଥାନରେ ପ୍ରଫେସର ପଦବୀଗୁଡିକ ଠିକା ଭିତ୍ତିରେ ପୂରଣ କରାଯିବ । ତେବେ ସରକାରୀ ମେଡିକାଲ କଲେଜରୁ ଯେଉଁ ଯୋଗ୍ୟ ପ୍ରାର୍ଥୀମାନେ କେନ୍ଦୁଝର, ସୁନ୍ଦରଗଡର ମେଡିକାଲ ଓ ଭୁବନେଶ୍ୱର ପିଜିଆଇ ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଏଠାରେ ଡେପୁଟେସନ ଭିତ୍ତିରେ ନିଯୁକ୍ତି ଦିଆଯିବ ।

ଡିଏମ୍‍ଇଟିଙ୍କ ଏହି ବିଜ୍ଞପ୍ତି ଭିତ୍ତିରେ ନିଯୁକ୍ତି ଦିଆଗଲେ ସରକାରୀ କ୍ୟାଡରରୁ ପଦୋନ୍ନତି ଓ ମନୋନୟନ ଭିତ୍ତିରେ ନିଯୁକ୍ତି ପ୍ରକ୍ରିୟାକୁ ଝଟ୍‍କା ଲାଗିପାରେ ଏବଂ ବେସରକାରୀ ସଂସ୍ଥାରେ କାମ କରୁଥିବା ଡାକ୍ତରମାନଙ୍କୁ ଏହି ତିନିଟି ସରକାରୀ ସଂସ୍ଥାରେ ଠିକା ଭିତ୍ତିରେ ନିଯୁକ୍ତି ମିଳିପାରେ ବୋଲି ଅନେକ ମେଡିକାଲ କଲେଜର ବରିଷ୍ଠ ଶିକ୍ଷକମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ମେଡିକାଲ କଲେଜର ପ୍ରଫେସର ପଦବୀରେ ଠିକା ଓ ଡେପୁଟେସନ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସସୀମା ୬୯ବର୍ଷ ରଖାଯାଇଛି ଏବଂ ସାକ୍ଷାତକାର ମାଧ୍ୟମରେ ଏମାନଙ୍କୁ ଚୟନ କରାଯିବ ।

ଏମାନଙ୍କ ପାଇଁ ଅବସର ବୟସସୀମା ୭୦ବର୍ଷ ରଖାଯାଇଥିବାବେଳେ ୬୯ବର୍ଷ ବୟସ ପର୍ଯ୍ୟନ୍ତ ଥିବା ଆଶାୟୀ ପ୍ରାର୍ଥୀ ଏଥିଲାଗି ଆବେଦନ କରି ନିଯୁକ୍ତି ପାଇଲେ ସେମାନେ ବୟସାଧିକ କାରଣରୁ ପିଲାମାନଙ୍କୁ ଛିଡାହୋଇ ପାଠ ପଢାଇବା ଓ ପ୍ରାକ୍ଟିକାଲ କ୍ଲାସ କରାଇବା କ୍ଷେତ୍ରରେ ବିଭ୍ରାଟ ଉପୁଜିବ । ଅବଶ୍ୟ ଏଥିଯୋଗୁଁ କିଛି ଅବସରପ୍ରାପ୍ତ ସରକାରୀ ଚିକିତ୍ସକ ଓ ଘରୋଇ ଡାକ୍ତରଖାନାରେ ନିୟୋଜିତ ବୟସ୍କ ଡାକ୍ତରମାନେ ମେଡିକାଲ କଲେଜରେ ଠିକା ପ୍ରଫେସର ଭାବେ ମୋଟା ଅଙ୍କର ବେତନରେ ନିଯୁକ୍ତି ସୁଯୋଗ ପାଇବେ । ଏଥିଲାଗି ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢି ଚାଲିଥିବାବେଳେ ଉକ୍ତ ତିନିଟି ସଂସ୍ଥାରେ ପାଠ ପଢିବାକୁ ଥିବା ଛାତ୍ରଛାତ୍ରୀମାନେ କିନ୍ତୁ ଉଦ୍‍ବିଗ୍ନ ରହିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here