Home Health ଟୀକା ପାଇଁ ଡାଟାବେସ

ଟୀକା ପାଇଁ ଡାଟାବେସ

ଖୁବ୍‍ଶୀଘ୍ର କରୋନା ଟୀକା ଆସିବାକୁ ଥିବାରୁ କରୋନା ଯୁଦ୍ଧରେ ସାମିଲ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଏହା ଯେଭଳି ଦିଆଯିବ ସେଥିପାଇଁ ଡାଟାବେସ ପ୍ରସ୍ତୁତ କରାଯିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସମେତ ଆଇଏମଏ ଓଡ଼ିଶା, ଘରୋଇ ଡାକ୍ତରଖାନା ସଂଘର ସଭାପତି, ଆୟୁଷ, ନର୍ସିଂ ଓ ପାରାମେଡ଼ିକ ସଂଘକୁ ପତ୍ର ଲେଖିଛନ୍ତି ।

ଏଥିରେ ଦର୍ଶାଯାଇଛି ଯେ କରୋନା ଟୀକା ଆସିବାକୁ ଥିବାରୁ ଭାରତ ସରକାର ଉଭୟ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ଡାଟାବେସ୍‍ ପ୍ରସ୍ତୁତି ପାଇଁ କହିଛନ୍ତି । ତଦନୁଯାୟୀ ଆଜି ହୋଇଥିବା ଭିଡ଼ିଓ କନଫରେନ୍ସିଂରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଅଙ୍ଗନବାଡ଼ି କର୍ମୀ, ସହାୟିକା, ସୁପରଭାଇଜର ଏବଂ ସିଡ଼ିପିଓମାନଙ୍କର ଡାଟାବେସ ପ୍ରସ୍ତୁତ ଲାଗି କୁହାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲ କମିଶନରମାନଙ୍କୁ ଏ ଦିଗରେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେବା ଲାଗି କୁହାଯାଇଛି ।

କୋଭିଡ୍‍-୧୯ ଭାକ୍ସିନେସନ ବେନିଫିସିଆରୀ ମ୍ୟାନେଜମେଣ୍ଟ ସିଷ୍ଟମ (ସିଭିବିଏମଏସ)ରେ ଅଙ୍ଗନବାଡ଼ି, କର୍ମୀ, ସହାୟିକା, ସୁପରଭାଇଜର ଓ ସିଡ଼ିପିଓମାନଙ୍କ ଡାଟା ଅପଲୋଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୫ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲା ଆଇସିଡିଏସକୁ ଡାଟାବେସ୍‍ ପ୍ରସ୍ତୁତ ଲାଗି ଅବଗତ କରିବାକୁ କୁହାଯାଇଛି । ସେହିଭଳି ବିଭିନ୍ନ ସଙ୍ଗଠନଗୁଡ଼ିକ ମଧ୍ୟ ସେମାନଙ୍କର ସଦସ୍ୟଙ୍କ ନାମ ସହ ଚଳିତ ମାସ ୨୯ ତାରିଖ ସୁଦ୍ଧା ଏଥିରେ ସାମିଲ ପାଇଁ ଜିଲ୍ଲାପାଳ, ମୁନିସିପାଲ କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ  କୁହାଯାଇଛି ।