Home Health ଟିକା ତାଲିକାରେ ସାମ୍ବାଦିକଙ୍କୁ ସାମିଲ କର

ଟିକା ତାଲିକାରେ ସାମ୍ବାଦିକଙ୍କୁ ସାମିଲ କର

ଭୁବନେଶ୍ୱର : ସାମ୍ବାଦିକମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ କୋଭିଡି-୧୯ ଟିକାଦାନ ପ୍ରକ୍ରିୟାରେ ସାମିଲ ପାଇଁ ଓଡିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଚିବଙ୍କୁ ପତ୍ର ଲେଖିଛନ୍ତି ।

କୋଭିଡ-୧୯ ଟିକାଦାନ ପ୍ରକ୍ରିୟାରେ ସମ୍ମୁଖ ଯୋଦ୍ଧା ତାଲିକାକୁ ଅଧିକ ପରିବ୍ୟାପ୍ତ ପାଇଁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀ ଯେଉଁମାନେ କି ଜିଲ୍ଲା ଓ ରାଜ୍ୟ ସ୍ତରରେ କରୋନା ମୁକାବିଲା କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ଫେବୃୟାରୀମାସରୁ ଟିକା ଦିଆଯାଉଛି । ତେବେ ଅନ୍ୟ କେତେକ ବର୍ଗର ଲୋକେ ଅଛନ୍ତି ଯେଉଁମାନେ କି ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ବିପଦରେ ରହୁଛନ୍ତି ସେମାନଙ୍କୁ ସମ୍ମୁଖ ଯୋଦ୍ଧା ତାଲିକାରେ ସାମିଲ କରାଯାଇ ନାହିଁ ।

ତେବେ ରାଜ୍ୟ ସରକାର ଛାପା ଓ ଇଲେକଟ୍ରୋନିକ ଗଣମାଧ୍ୟମର ପ୍ରତିନିଧି, କର୍ମଚାରୀଙ୍କ ସହିତ ଅନ୍ୟ ଜରୁରୀ ସେବା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଯଥା ବିଦ୍ୟୁତ୍‍, ଜଳଯୋଗାଣ, ବିମାନବନ୍ଦରରେ ନିୟୋଜିତ କର୍ମଚାରୀ, ରେଳବାଇ ଓ ବନ୍ଦର କର୍ମଚାରୀଙ୍କୁ ସାମିଲ ପାଇଁ ପ୍ରସ୍ତାବ ଦେଇଛନ୍ତି ।

ଶ୍ରୀ ମହାପାତ୍ର ମଧ୍ୟ ପୁରୀର ଶ୍ରୀଜଗନ୍ନାଥ, ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ମଧ୍ୟରେ ସମୁଖ ଯୋଦ୍ଧା ତାଲିକାରେ ସାମିଲ ପାଇଁ କହିଛନ୍ତି । କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଉପରୋକ୍ତ ବର୍ଗର ବ୍ୟକ୍ତିଙ୍କୁ ସମୁଖ ଯୋଦ୍ଧା ତାଲିକାରେ ସାମିଲ ସହିତ ଅଗ୍ରାଧିକାର ଭିତ୍ତିରେ ଟିକା ପ୍ରଦାନ ଲାଗି ମଞ୍ଜୁରୀ ପତ୍ର ରାଜ୍ୟ ସରକାରଙ୍କୁ ପଠାଇବାକୁ ଶ୍ରୀ ମହାପାତ୍ର କହିଛନ୍ତି ।