Home Covid ଟିକା କିଣିବାକୁ ଶିଳ୍ପସଂସ୍ଥା ରାଜି

ଟିକା କିଣିବାକୁ ଶିଳ୍ପସଂସ୍ଥା ରାଜି

72
0

ଭୁବନେଶ୍ୱର : ଟିକାକରଣରେ ସହଯୋଗ ପାଇଁ ରାଜ୍ୟର ବୃହତ୍‍ ଶିଳ୍ପସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ ଆଗେଇ ଆସିଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗରେ ସେମାନେ ଟିକା ଖରିଦ ସହିତ ନିଜର କର୍ମଚାରୀ, ସେମାନଙ୍କ ପରିବାର ଏପରିକି ଠିକା କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କର ଟିକାକରଣ କରାଇବେ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଶିଳ୍ପସଂସ୍ଥା ଓ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କୁ ନେଇ ଅନୁଷ୍ଠାନ ବୈଠକରେ ଖୋଲା ବଜାରରୁ ଟିକା ଖରିଦ ନେଇ ଆଲୋଚନା ହୋଇଛି । ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଶିଳ୍ପ ପ୍ରତିନିଧିମାନଙ୍କୁ ଏ ସଂକ୍ରାନ୍ତରେ ବିସ୍ତୃତଭାବେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଇପିକଲ, ଫିକି, ସିଆଇଆଇ ଓ ଆଇସିସିର ଓଡିଶା ମୁଖ୍ୟମାନେ ଉପସ୍ଥିତ ଥିଲେ ।

ବିଭିନ୍ନ ରାଷ୍ଟ୍ରାୟତ ସଂସ୍ଥା ଯଥା ଆରଏସ୍‍ପି, ଏମ୍‍ସିଏଲ୍‍, ନାଲ୍‍କୋ, ଇଫ୍‍କୋ,ଏନ୍‍ଟିପିସି, ଗେଲ୍‍, ଏଚ୍‍ପିସିଏଲ୍‍, ବିପିସିଏଲ୍‍, ହାଲ୍‍ ପ୍ରତିନିଧି ବୈଠକରେ ଯୋଗ ଦେଇଥିଲେ । ସେହିଭଳି ଟାଟାଷ୍ଟିଲ, ଜେଏସ୍‍ପିଏଲ୍‍, ଜେଏସ୍‍ଡବ୍ଲ୍ୟୁ, ପିପିଏଲ୍‍, ଆର୍ସେଲର ମିତ୍ତଲ, ଇଫ୍‍କୋ, ଟିସିଏସ୍‍, ଧାମରା ବନ୍ଦର, ରାମ୍‍କୋ ଏବଂ ଅନ୍ୟ ଘରୋଇ ସଂସ୍ଥାର ପ୍ରତିନିଧି ଉପସ୍ଥିତ ଥିଲେ ।

ରାଜ୍ୟର ଶିଳ୍ପସଂସ୍ଥା ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ସେମାନଙ୍କ କର୍ମଚାରୀ ଓ କର୍ମଚାରୀଙ୍କ ପରିବାରକୁ ଟିକା ଦେବା ପାଇଁ ଲାଗି ସ୍ପୁଟ୍‍ନିକ-ଭି, କୋଭାକ୍ସିନ ଓ କୋଭିସିଲ୍ଡ ଭଳି ଟିକା ଖରିଦ କ୍ଷେତ୍ରରେ ସମନ୍ୱୟରକ୍ଷା ଲାଗି ରାଜି ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହାଇଦ୍ରାବାଦ ଠାରେ ଥିବା ଡକ୍ଟର ରେଡ୍ଡୀ ଲାବୋରଟାରୀରୁ ଶିଳ୍ପସଂସ୍ଥାଗୁଡିକ ଲାଗି ଆବଶ୍ୟକ ଟିକା ଖରିଦରେ ସହଯୋଗ କରିବ ।

ଭାରତ ସରକାର ଏବେ ଦେଶ ଭିତରେ ଉତ୍ପାଦିତ ଟିକାର ୫୦ ପ୍ରତିଶତ ରାଜ୍ୟମାନଙ୍କୁ ଦେବା ସହିତ ବଜାରରେ ଉପଲବ୍ଧ ପାଇଁ ନିଷ୍ପତ୍ତି ନେଇଛନ୍ତି । ଶିଳ୍ପସଂସ୍ଥାମାନେ କେବଳ ନିଜର କର୍ମଚାରୀ କିମ୍ବା ସେମାନଙ୍କର ପରିବାର ନୁହେଁ, ଠିକା କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଟିକା ଦେବେ ।

ସେହିଭଳି ଛୋଟ ଓ ମଧ୍ୟମ ଶିଳ୍ପ ଯେଉଁମାନେ କି ସେମାନଙ୍କ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଭାବେ ଟିକାକରଣ ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି ସେମାନଙ୍କୁ ମଧ୍ୟ ସରକାର ଏକ୍ଷେତ୍ରରେ ସହାୟତା କରିବେ । ଏହି ଟିକାକରଣ କାର୍ଯ୍ୟ ଭାରତ ସରକାରଙ୍କ ନୀତି ଅନୁଯାୟୀ ହେବ ଯାହା ଫଳରେ ସେମାନେ ନିଜର ବାଣିଜ୍ୟିକ ଓ ଶିଳ୍ପ କାରବାର ଚଳାଇପାରିବେ । ମହାମାରୀ ସମୟରେ ଉପୁଜିଥିବା ସମସ୍ୟାର ଏହା ସମାଧାନ କରିପାରିବ ।

ବୈଠକରେ ଅନୁଷ୍ଠିତ ସମସ୍ତ ବୃହତ୍‍ ସଂସ୍ଥା ଟିକା କିଣିବାପାଇଁ ରାଜି ହୋଇଥିବା ଶିଳ୍ପ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଗତବର୍ଷ ଆସିଥିବା କୋଭିଡର ପ୍ରଥମ ଲହର ସମୟରେ ଶିଳ୍ପସଂସ୍ଥାଗୁଡିକ କୋଭିଡ ଡାକ୍ତରଖାନା ପ୍ରତିଷ୍ଠା ସହିତ ସେମାନଙ୍କ କର୍ମଚାରୀଙ୍କୁ କୋଭିଡ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ ।

ବର୍ତ୍ତମାନ ଦ୍ୱିତୀୟ ଲହର ସମୟରେ ଏହି ସଂସ୍ଥାମାନେ ପୁର୍ନବାର ନିଜ ଦାୟିତ୍ୱ ତୁଲାଇବାପାଇଁ ରାଜି ହୋଇଛନ୍ତି । ଇତି ମଧ୍ୟରେ ରାଜ୍ୟ ସରକାର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ତରଳ ଅକ୍ସିଜେନ୍‍ ଯୋଗାଣ ପାଇଁ ଟାସ୍କଫୋର୍ସ ଗଠନ କରିଥିବାବେଳେ ଏଥିରେ ଥିବା ୯ଜଣ ସଦସ୍ୟ ମେଡିକାଲ ଅକ୍ସିଜେନ ଯୋଗାଣ ପାଇଁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରୁଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here