Home Covid ଟିକାକରଣ ଲାଗି ନୂଆ ନୂଆ ତରିକା

ଟିକାକରଣ ଲାଗି ନୂଆ ନୂଆ ତରିକା

ଭୁବନେଶ୍ୱର : ଟିକାକରଣ ଅଭିଯାନକୁ ବ୍ୟାପକ କରିବାପାଇଁ ରାଜ୍ୟ ସରକାର ନୂଆ ନୂଆ ତରିକା ଆପଣଉଛନ୍ତି । ଟିକାକରଣ ସାର୍ଟିଫିକେଟ ନଥିଲେ ସରକାରୀ କର୍ମଚାରୀମାନେ ଦପ୍ତର ଆସିପାରିବେ ନାହିଁ ବୋଲି ସାଧାରଣ ପ୍ରଶାସନ ବିଭାଗ ମାର୍ଗଦର୍ଶିକା ଜାରି କରିଥିବାବେଳେ ଟିକା ନେଇନଥିଲେ ଗଞ୍ଜାମ ଜିଲ୍ଲାରେ କୌଣସି ଦୋକାନୀ ଦୋକାନ ଖୋଲିପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଅପପ୍ରଚାରର ବଶବର୍ତ୍ତୀ ହୋଇ କେତେକ ସରକାରୀ କର୍ମଚାରୀ ଟିକା ନେଇନଥିବା ପରିପ୍ରେକ୍ଷୀରେ ସମ୍ଭାବ୍ୟ ତୃତୀୟଲହର କରୋନା ସଂକ୍ରମଣକୁ ଆଖିଆଗରେ ରଖି ସମସ୍ତ ସରକାରୀ କର୍ମଚାରୀ ଟିକା ନେବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ଏକ ପ୍ରକାର ସ୍ପଷ୍ଟକରି ଦେଇଛନ୍ତି । ଯେଉଁ ସରକାରୀ କର୍ମଚାରୀମାନେ ଟିକା ନେଇନଥିବେ ସେମାନଙ୍କୁ ସରକାରୀ ଦପ୍ତର ମନା । ତେବେ କେଉଁଥିପାଇଁ କେଉଁ ସରକାରୀ କର୍ମଚାରୀ ଟିକା ନେଇନାହାନ୍ତି ସେ ତାହାର ବିସ୍ତୃତ ବିବରଣୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ଏ ସଂକ୍ରାନ୍ତରେ ସେ ନିଷ୍ପତ୍ତି ନେଇପାରିବେ ।

ରାଜ୍ୟ ସରକାରଙ୍କର ଏହି ଘୋଷଣାରୁ ଆଉପାଦେ ଆଗେଇଯାଇ ଗଞ୍ଜାମ ଜିଲ୍ଲାପାଳ ନିକଟରେ ବ୍ୟବସାୟୀମାନଙ୍କ ଟିକାକରଣ ସମ୍ପର୍କରେ ଆଉଏକ ଘୋଷଣା କରିଛନ୍ତି । ଏଥିରେ କୁହାଯାଇଛି ଯେ ସାଧାରଣ ଦୋକାନ ବଜାର ଠାରୁ ଆରମ୍ଭ କରି ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନରେ କାମ କରୁଥିବା ସବୁ ଲୋକ ଟିକା ନେବାକୁ ବାଧ୍ୟ । କେବଳ ସେତିକି ନୁହେଁ ଦୋକାନ ମାଲିକ ଦୋକାନରେ କାମ କରୁଥିବା ଲୋକମାନଙ୍କ ଟିକା ସାର୍ଟିଫିକେଟର ପ୍ରତିଲିପି ଦୋକାନ ବାହାରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଝୁଲାଇବା ଆବଶ୍ୟକ । ଏହାର ଖିଲାପ କରାଗଲେ ଦୋକାନ ସିଲ୍‍ ସହିତ ଅନ୍ୟ କାର୍ଯ୍ୟାନୁଷ୍ଠାନର ଆଶଙ୍କା ରହିଛି ।

ଏବେ ଆଉ କେତେକ ଜିଲ୍ଲାପାଳ ଓ ବିଶେଷଜ୍ଞମାନେ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀମାନଙ୍କ ପାଇଁ ଟିକାକରଣକୁ ବାଧ୍ୟତାମୂଳକ କରିବାକୁ ମତ ଦେଉଛନ୍ତି । ବିଶେଷକରି ଟଙ୍କିକିଆ ଓ ମାଗଣା ଚାଉଳର ସମସ୍ତ ହିତାଧିକାରୀ, ନିର୍ମାଣ ଶ୍ରମିକ ଏବଂ ସରକାରଙ୍କ ଠାରୁ ବିଭିନ୍ନ ଭତ୍ତା ଓ ଅନ୍ୟାନ୍ୟ ସହାୟତା ପାଉଥିବା ଲୋକେ ଯଦି ଟିକାକରଣ ନକରିଥାନ୍ତି ତାହେଲେ ସେମାନଙ୍କୁ ଦିଆଯାଉଥିବା ଏହି ସୁବିଧା ସୁଯୋଗ ସାମୟିକଭାବେ ସ୍ଥଗିତ ରଖିବାପାଇଁ କେତେକ ମହଲ ପରାମର୍ଶ ଦେଉଛନ୍ତି । ତେବେ ଏସଂକ୍ରାନ୍ତରେ ସରକାରଙ୍କ ତରଫରୁ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ ।

ଯେଉଁ ବ୍ୟକ୍ତିମାନେ ସରକାରୀ ଦପ୍ତରକୁ ଆସୁଛନ୍ତି ସେମାନଙ୍କର ଟିକାକରଣ ସାର୍ଟିଫିକେଟ ନଥିଲେ ସେମାନଙ୍କୁ ଦପ୍ତରରେ ପ୍ରବେଶ ଲାଗି ଅନୁମତି ନଦେବାପାଇଁ ମଧ୍ୟ ମତପ୍ରକାଶ ପାଉଛି । ଏହାଛଡା ମୋଟରଯାନ ଯାଞ୍ଚବେଳେ ଡ୍ରାଇଭିଂ ଲାଇସେନ୍ସ, କାଗଜପତ୍ର, ଇନସ୍ୟୁରାନ୍ସ ଆଦିର ତନଖି ଯେପରି କରାଯାଉଛି ତାହା ସହିତ ସମ୍ପୃକ୍ତ ଚାଳକ ଓ ଆରେହୀମାନଙ୍କର ଟିକାକରଣ ସାର୍ଟିଫିକେଟ ଅଛି କି ନାହିଁ ତାହା ମଧ୍ୟ ଦେଖିବା ଆବଶ୍ୟକ । ଏହା କରାଗଲେ ରାସ୍ତାଘାଟରେ ଅମାନିଆଙ୍କ ଉତ୍ପାତ କମିବା ସହିତ ଟିକାକରଣ ହାର ମଧ୍ୟ ଢେର ବଢିବ ।

ରାଜ୍ୟର ୮୦ ପ୍ରତିଶତରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବା ଏବଂ ପ୍ରାୟ ୨୩ ପ୍ରତିଶତ ଲୋକ ଅନସୂଚିତ ଜନଜାତିବର୍ଗର ହୋଇଥିବା ପରିପ୍ରେକ୍ଷୀରେ ଏଠାରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରି ସହଜରେ ଯେମିତି ଲୋକଙ୍କ ପାଖରେ ଟିକା ଉପଲବ୍ଧ ହୋଇପାରିବ ସେ ଦିଗରେ ଧ୍ୟାନ ଦେବାପାଇଁ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । ୮୦କୋଟି ଲୋକଙ୍କ ପାଇଁ ୬ମାସ ଲାଗି କେନ୍ଦ୍ର ସରକାର ମାଗଣା ରାସନ ବ୍ୟବସ୍ତା କରୁଥିବା ଏବଂ ଗୃହନିର୍ମାଣ ଓ ଅନ୍ୟାନ୍ୟ ଯୋଜନାରେ ସାମିଲ ଉପଭୋକ୍ତା ଓ ପେନ୍‍ସନଭୋଗୀଙ୍କ ପାଇଁ ମଧ୍ୟ ଟିକାକରଣକୁ ବାଧ୍ୟତାମୂଳକ କରିବାଲାଗି ବିଶେଷଜ୍ଞମାନେ କହୁଛନ୍ତି । (ତଥ୍ୟ)