Home General ଝାଡଖଣ୍ଡ ମୁହାଁ ବାତ୍ୟା ‘ୟସ’

ଝାଡଖଣ୍ଡ ମୁହାଁ ବାତ୍ୟା ‘ୟସ’

ଭୁବନେଶ୍ୱର : ଓଡିଶା ଉପକୂଳ ଅତିକ୍ରମ କରିବାପରେ ମୟୁରଭଞ୍ଜ ଦେଇ ବାତ୍ୟା ‘ୟସ’ ଝାଡଖଣ୍ଡ ମୁହାଁ ହୋଇଛି । ଏହା କ୍ରମେ ଦୁର୍ବଳ ହେବା ସହିତ ଆଗକୁ ବଢୁଥିବା ଜଣାଯାଇଛି । ଏହା ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଓ ପବନ ଲାଗି ରହିଥିବା ସୂଚନା ମିଳିଛି ।

ଆଜି ସକାଳ ୯ଟା ରେ ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟଭାଗରେ ବାତ୍ୟା ସ୍ଥଳଭାଗ ଛୁଇଁଥିଲା । ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍‍ ପ୍ରକ୍ରିୟା ଜାରି ରହିବାପରେ ଏହା ଓଡିଶା ଉପକୁଳ ଅତିକ୍ରମ କରିଥିଲା । ତେବେ ବାତ୍ୟା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅତିକ୍ରମ କରିବା ସମୟରେ ପବନର ବେଗ ସର୍ବାଧିକ ୧୫୦ କିଲୋମିଟର ପର୍ଯ୍ୟନ୍ତ ରହିଥିଲା ।

ବାତ୍ୟା ଯୋଗୁଁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବଡ ବଡ ଗଛ ଉପୁଡିପଡିବା ସହିତ ଅନେକ କଚ୍ଚା ଘର ଭାଙ୍ଗିଥିଲା । ତଳିଆ ଅଞ୍ଚଳରେ ସମୁଦ୍ର ପାଣି ମାଡିଆସିଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ତେବେ ପଡିଥିବା ଗଛକୁ ଓଡ୍ରାଫ, ଅଗ୍ନିଶମ ଓ ଏନ୍‍ଡିଆରଏଫ୍‍ ଜବାନମାନେ କାଟି ସଫା କରୁଛନ୍ତି ।

ସ୍ଥଳଭାଗ ଅତିକ୍ରମ ପରେ ‘ୟସ’ ମୟୁରଭଞ୍ଜ ଜିଲ୍ଲାରେ ପ୍ରବେଶ କରିବା ଫଳରେ ସେଠାରେ ପ୍ରବଳ ପବନ ଓ ବର୍ଷା ଲାଗି ରହିଛି । ଏହା ଧିରେ ଧିରେ ଝାଡଖଣ୍ଡ ଆଗକୁ ଅଗ୍ରସର ହେଉଥିବାବେଳେ ଏହା ଉପରେ ସ୍ୱତନ୍ତ୍ର ରିଲିଫ କମିଶନର ଦପ୍ତର ଓ ରାଜ୍ୟ ପ୍ରଶାସନ ସତର୍କ ଦୃଷ୍ଟି ରଖିଛନ୍ତି ।

ସରକାରଙ୍କ ସଫଳ ବାତ୍ୟା ପରିଚାଳନା ଯୋଗୁଁ କୌଣସି ସ୍ଥାନରେ ଧନଜୀବନ ହାନି ଘଟିନାହିଁ । ବିଶେଷକରି ବିପଦ ଥିବା ସ୍ଥାନଗୁଡିକରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ଫଳରେ ଜୀବନହାନିକୁ ରୋକାଯାଇ ପାରିଛି । ସ୍ଥାନୀୟ ପ୍ରଶାସନ ଓ ପୁଲିସ୍‍ ସହାୟତାରେ ଉପକୂଳ ଜିଲ୍ଲାରୁ ପାଖାପାଖି ୬ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଏସ୍‍ଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।

ବର୍ତ୍ତମାନ ବାଲେଶ୍ୱର ଓ ଭଦକ୍ର ଜିଲ୍ଲାରେ ଉପୁଡି ପଡିଥିବା ବଡ ବଡ ଗଛଗୁଡିକୁ କାଟି ସଫା କରାଯାଉଥିବାବେଳେ ବାତ୍ୟା ଆଶ୍ରୟସ୍ଥଳରେ ଏବେ ବି ଲୋକେ ରହିଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ଏବେ ପ୍ରାୟ ୧୦୦ କିଲୋମିଟର ଉପରେ ପବନ ପ୍ରବାହିତ ହେଉଥିବାବେଳେ ଏହା ଧିରେ ଧିରେ କମିବ ଏବଂ ବାତ୍ୟା ଦୁର୍ବଳ ହୋଇ ଝାଡଖଣ୍ଡ ଆଡେ ମୁହାଁଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।