Home News in Odia ଜୋରିମାନାକୁ ଖାତିର କରୁନାହାନ୍ତି ଅମାନିଆ

ଜୋରିମାନାକୁ ଖାତିର କରୁନାହାନ୍ତି ଅମାନିଆ

ଭୁବନେଶ୍ୱର : କୋଭିଡ ମାର୍ଗଦର୍ଶିକା ମାନିବାପାଇଁ କମିଶନରେଟ ପୁଲିସ୍‍ ଯେତେ ପ୍ରକାର ଜୋରିମାନା ଲଗାଇଲେ ବି ଅମାନିଆମାନେ କିନ୍ତୁ କଟକଣା ମାନିବାକୁ ନାରାଜ । ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି ପଛେ ମାସ୍କ ପିନ୍ଧୁ ନାହାନ୍ତି କି ପୁଲିସ୍‍ ଲଗାଇଥିବା ଧାର୍ଯ୍ୟ ସମୟରେ ଘରକୁ ଫେରୁନାହାନ୍ତି ।

କରୋନା ମୁକାବିଲା ପାଇଁ ମାସ୍କ ପିନ୍ଧିବା ଅତି ଜରୁରୀ ହୋଇଥିବାବେଳେ ସରକାରୀ ମାର୍ଗଦର୍ଶିକାରେ ଏହାକୁ ବାଧ୍ୟତା ମୂଳକ କରାଯାଇଛି । ଯେଉଁମାନେ ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ପୁଲିସ୍‍କୁ କ୍ଷମତା ଦିଆଯାଇଛି । ତେବେ ପୁଲିସ୍‍ର ନାଲିଆଖି କିମ୍ବା ଜୋରିମାନା ବି ଅନେକ ଅମାନିଆଙ୍କୁ ବାଟକୁ ଆଣିପାରୁ ନାହିଁ । ସେମାନେ ନିଜେ ବିନା ମାସ୍କରେ ବୁଲି ତଣ୍ଡ ଗଣିବା ସହିତ ଅନ୍ୟମାନଙ୍କ ପାଇଁ ବିପଦ ଡାକି ଆଣୁଛନ୍ତି ।

ଗତବର୍ଷ କରୋନା ସମୟରେ କେବଳ ରାଜଧାନୀରେ ମାସ୍କ ପିନ୍ଧିନଥିବା କାରଣରୁ ଅମାନିଆମାନେ ୮ଲକ୍ଷ ୬୮ହଜାର ଟଙ୍କାର ତଣ୍ଡ ଗଣିଥିବାବେଳେ ଚଳିତବର୍ଷ ମାର୍ଚ୍ଚ ଶେଷସୁଦ୍ଧା ୩ଲକ୍ଷ ୧୮ହଜାର ଜୋରିମାନା ପୁଲିସ୍‍କୁ ଦେଲେଣି । କଟକରେ ବି ସ୍ଥିତି ଆହୁରି ଖରାପ । ଚଳିତବର୍ଷ ବିନା ମାସ୍କରେ ବୁଲି ଲୋକେ ୫ଲକ୍ଷ ୩୪ହଜାର ଟଙ୍କାରୁ ଅଧିକ ଜୋରିମାନା ଦେଲେଣି ।

ବର୍ତ୍ତମାନ ସମଗ୍ର ରାଜ୍ୟରେ ଯେତେ ନୂଆ କରୋନା ରୋଗୀ ଚିହ୍ନଟ ହେଉଛନ୍ତି ତାହାର ଅଧା କେବଳ ଭୁବନେଶ୍ୱରରୁ ବାହାରୁଛନ୍ତି । ତେଣୁ ଏଠାରେ ଲୋକେ କିଭଳି କରୋନା କଟକଣାକୁ କଡାକଡି ଭାବେ ପାଳନ କରିବେ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରକ୍ଷା କରିବା ସହିତ ଜାରି ହୋଇଥିବା ରାତ୍ରୀକାଳୀନ କର୍ଫ୍ୟୁକୁ ମାନିବାପାଇଁ ସରକାର ବାରମ୍ବାର ଅନୁରୋଧ କରୁଛନ୍ତି । ହେଲେ କିଛି ଅମାନିଆ ଏବେ ବି ଏହାକୁ ମାନିବାକୁ ନାରାଜ । ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି ପଛେ କଟକଣାକୁ ଖାତିର କରୁନାହାନ୍ତି । ଏମାନଙ୍କ ପାଇଁ ଅନ୍ୟ ଜିଲ୍ଲା ଭଳି ରାଜଧାନୀରେ କରୋନା କମୁନଥିବା ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।

ଖାଲି କରୋନା ମାର୍ଗଦର୍ଶିକାକୁ ଅମାନ୍ୟ କରୁଛନ୍ତି ତାହା ନୁହେଁ, କରୋନା କାଳରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା, ବିନା ହେଲମେଟରେ ଗାଡି ଚଳାଇବା ପାଇଁ ବି ଅମାନିଆମାନେ ବିପୁଳ ତଣ୍ଡ ଗଣିଛନ୍ତି । ଭୁବନେଶ୍ୱରରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ୨୦୨୦ ମସିହାରେ ୧୩କୋଟି ୫୦ଲକ୍ଷରୁ ଅଧିକ ଜୋରିମାନା ଆଦାୟ ହୋଇଥିବାବେଳେ ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଏହା ୧୧କୋଟି ୮୩ଲକ୍ଷ ଟଙ୍କାକୁ ଟପିଗଲାଣି । କଟକରେ ଏହା ଯଥାକ୍ରମେ ୨କୋଟି ୫୨ଲକ୍ଷ ଓ ୧କୋଟି ୧୨ଲକ୍ଷରୁ ଅଧିକ ରହିଛି ।

ଶାରୀରିକ ଦୂରତା ରକ୍ଷା ନିୟମକୁ ତ ରାଜଧାନୀରେ ଆଉ କେହି ମାନିବାକୁ ପ୍ରସ୍ତୁତ ନୁହନ୍ତି । ବିଶେଷକରି ବିଭିନ୍ନ ଦୋକାନ ବଜାର ଓ ମଲ୍‍ ଆଦିରେ ଲୋକେ ଏହାକୁ ଅଣଦେଖା କରୁଛନ୍ତି । ପୂର୍ବଭଳି ଏଠାରେ ବିଏମ୍‍ସି କିମ୍ବା ପୁଲିସ୍‍ର ଚଢଉ ନଥିବାରୁ ଲୋକଙ୍କ ମନରେ ବି ତଣ୍ଡଗଣିବାର ଭୟ ନାହିଁ । (ତଥ୍ୟ)

LEAVE A REPLY

Please enter your comment!
Please enter your name here