Home Education ଜୁଲାଇ ୨୬ରୁ ଶ୍ରେଣୀରେ ପାଠପଢା

ଜୁଲାଇ ୨୬ରୁ ଶ୍ରେଣୀରେ ପାଠପଢା

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଶ୍ରେଣୀରେ ପାଠପଢିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିୟମ ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।

ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ବିସ୍ତୃତ କୋଭିଡ ମାର୍ଗନିର୍ଦ୍ଦେଶିକା ଜାରି ହୋଇଥିବା ବୋଲି ଶ୍ରୀ ସାହୁ କହିଛନ୍ତି । ଶ୍ରେଣୀରେ ପାଠପଢା ପାଇଁ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଟିକା ଦେବା, ବିଦ୍ୟାଳୟରେ ଥର୍ମାଲ ସ୍କ୍ରିନିଂ ସହିତ ମାସ୍କ, ସାନିଟାଇଜର ବ୍ୟବହାର, ଶିକ୍ଷାନୁଷ୍ଠାନ ପରିସରକୁ ପରିଚ୍ଛନ୍ନ କରିବା ଓ ଅନ୍ୟାନ୍ୟ ମାର୍ଗନିର୍ଦ୍ଦେଶିକା ପାଳନ କରିବା ଆବଶ୍ୟକ ।

ତେବେ ଯେଉଁସବୁ ବିଦ୍ୟାଳୟରେ ଦଶମ ଶ୍ରେଣୀ ପାଇଁ ପରୀକ୍ଷା କେନ୍ଦ୍ର ହୋଇଛି ସେଠାରେ ପରୀକ୍ଷାପରେ ସେହିସବୁ ବିଦ୍ୟାଳୟ ଖୋଲିବ । ଅନ୍ୟ ସମସ୍ତ ଶ୍ରେଣୀରେ ପୂର୍ବଭଳି ଅନ୍‍ଲାଇନ୍‍ରେ ଶିକ୍ଷାଦାନ ଜାରି ରହିବ । ବିଦ୍ୟାଳୟ ଖୋଲିବାର ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ନିର୍ଭର କରେ ବୋଲି ଶାସନ ସଚିବ କହିଛନ୍ତି । ନିଷ୍ପତ୍ତି ଅନୁଯାୟୀ ବିଦ୍ୟାଳୟଗୁଡିକ ସକାଳ ୧୦ଟାରୁ ଖୋଲି ଅପରାହ୍ନ ୧.୩୦ରେ ବନ୍ଦ ହେବ ।

ସେହିଭଳି ନବ ଶ୍ରେଣୀର ଶିକ୍ଷାଦାନ ଅଗଷ୍ଟ ୧୬ ଓ ଏକାଦଶ ଶ୍ରେଣୀର ଶିକ୍ଷାଦାନ ସେପ୍ଟେମ୍ବର ୧୫ ତାରିଖ ପରେ ଆରମ୍ଭ କରିବାପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ବିଦ୍ୟାଳୟ ଖୋଲିବାର ସପ୍ତାହେ ପୂର୍ବରୁ ଶିକ୍ଷାନୁଷ୍ଠାନରୁ ସାନିଟାଇଜ କରାଯିବା ସହିତ ପିଲାଙ୍କ ବସିବାର ସ୍ଥାନ ପିରୂପିତ ହେବ । ଏ ନେଇ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଥମ ଥର ପାଇଁ କୋଭିଡ କଟକଣାକୁ ଆଖିଆଗରେ ରଖି ନିରନ୍ତର ଓ ବ୍ୟାପକ ମୂଲ୍ୟାୟନର ବ୍ୟବସ୍ଥା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ନବମ ଓ ଦଶମ ଶ୍ରେଣୀ ପାଇଁ ନିଆଯାଇଛି । ପରିସ୍ଥିତିକୁ ଦେଖି ଅଗାମୀ ଦିନରେ ମାଟ୍ରିକ ପରୀକ୍ଷା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ।

ଚଳିତ ଶିକ୍ଷାବର୍ଷ ଜୁଲାଇ ୨୦୨୧ ରୁ ଆରମ୍ଭ ହୋଇ ଏପ୍ରିଲ୍‍ ୨୦୨୨ ରେ ଶ୍ୟେ ହେବ । ଏହି ସମୟରେ ୪ଟି ଫର୍ମାଟିଭ ଆସେସମେଣ୍ଟ ଓ ୨ଟି ସୁମାଟିଭ ଆସେସମେଣ୍ଟ ହେବ ।

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁୟାରୀ ଦ୍ୱିତୀୟ ସପ୍ତାହ ଓ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ୪ଟି ଫର୍ମେଟିଭ ଆସେସମେଣ୍ଟ ହେବ । ଏହି ପରୀକ୍ଷା ଶ୍ରେଣୀ ଶିକ୍ଷକ ବା ବିଷୟ ଶିକ୍ଷକଙ୍କ ଦ୍ୱାରା ବିଦ୍ୟାଳୟ ସ୍ତରରେ କରାଯିବ ।

ରାଜ୍ୟ ସରକାର ଅନଲାଇନ୍‍ରେ ଯେଉଁ ପାଠପଢା ବ୍ୟବସ୍ଥା ଆରମ୍ଭ କରିଥବଲେ ସେଥିରେ କେବଳ ୪୦ ପ୍ରତିଶତ ପିଲା ପଢି ପାରିଥିବା ସଚିବ ଶ୍ରୀ ସାହୁ କହିଛନ୍ତି । ଏହି ବ୍ୟବସ୍ଥାରେ ଅବଶିଷ୍ଟ ୬୦ ପ୍ରତିଶତ ପିଲାଙ୍କ ନିକଟରେ ପହଞ୍ଚିବା କଷ୍ଟକର ହେଉଛି । ଗତବର୍ଷ ଏହି ପିଲାମାନେ ୧୫୦ଦିନର ଶିକ୍ଷାବର୍ଷ ହରାଇ ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here