Home News in Odia ଜିଲ୍ଲା ବଢ଼ାଇବାକୁ ଦାବି

ଜିଲ୍ଲା ବଢ଼ାଇବାକୁ ଦାବି

ଭୁବନେଶ୍ୱର : ପଦ୍ମପୁର ସବ୍‍ଡିଭିଜନକୁ ନୂଆ ଜିଲ୍ଲା ମାନ୍ୟତା ଦେବା ପାଇଁ ପ୍ରତିଶ୍ରୁତି ସାର୍ବଜନୀନ ହେବା ପରେ ଏବେ ଅନ୍ୟୁନ ଆଉ ୧୨ଟି ନୂଆ ଜିଲ୍ଲା ଗଠନ ଲାଗି ଦାବି ଉଠୁଛି ।

ଏଠାରେ ଉଲ୍ଲେଖନୀୟ ଯେ ପ୍ରାୟ ୩୦ବର୍ଷ ତଳେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସୁରେନ୍ଦ୍ର ନାଥ ନାଏକ ରାଜସ୍ୱ ମନ୍ତ୍ରୀ ଥିବାବେଳେ ଓଡ଼ିଶାର ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରାଯାଇଥିଲା । ସେ ସମୟରେ ବି ଆଉ କେତେକ ଅଞ୍ଚଳରେ ନୂଆ ଜିଲ୍ଲା ଗଠନ ପାଇଁ ଦାବି ଉଠୁଥିବା ବେଳେ ପରବର୍ତ୍ତୀ ସମୟରେ ଏ ପ୍ରସଙ୍ଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜେ ବଜୁ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ ।

ବିଶେଷକରି କଟକ, କୋରାପୁଟ, ଗଞ୍ଜାମ, ସମ୍ବଲପୁର, ଫୁଲବାଣୀ, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ପୁରୀ, ଢ଼େଙ୍କାନାଳ ଆଦି ଅବିଭକ୍ତ ଜିଲ୍ଲାଗୁଡିକର ବିଭାଜନ କରାଯାଇ ସେତେବେଳେ ନୂଆ ଜିଲ୍ଲା ସୃଷ୍ଟି କରାଯାଇଥିଲା । ତେବେ ଖଣିଜ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦଭରା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର ଭଳି ଜିଲ୍ଲାଗୁଡିକର ସେ ସମୟରେ ବିଭାଜନ କରାନଯାଇ ଦ୍ୱିତୀୟ ପର୍ଯ୍ୟାୟରେ ଏହା ହାତକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ୧୯୯୫ ନିର୍ବାଚନରେ ବିଜୁ ବାବୁଙ୍କ ଜନତା ଦଳ କ୍ଷମତାଚ୍ୟୁତ ହେବା ପରଠାରୁ ଆଉ ନୂଆ ଜିଲ୍ଲା ଗଢ଼ା ଯାଇନାହିଁ ।

ସେ ସମୟରେ ନବଗଠିତ ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟାଳୟ ରାଜଧାନୀ ଭୁବନେଶ୍ୱରରେ ରହିଥିଲା । ପରବର୍ତ୍ତୀ ସରକାର ଅମଳରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦପ୍ତର ଭୁବନେଶ୍ୱରରୁ ଖୋର୍ଦ୍ଧାକୁ ସ୍ଥାନାନ୍ତରିତ ହୋଇଥିଲା । ସେ ସମୟରୁ ରାଜଧାନୀ ଭୁବନେଶ୍ୱରକୁ ସ୍ୱତନ୍ତ୍ର ନୂଆ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ଦଳମତ ନିର୍ବିଶେଷରେ ଦାବିହୋଇ ଆସୁଛି ।

ସେହିଭଳି ଗଞ୍ଜାମ ଜିଲ୍ଲାର ଘୁମୁସର ଓ ବ୍ରହ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ଦେବା ପାଇଁ ଦୀର୍ଘବର୍ଷ ଧରି ଦାବି ଚାଲିଛି । ମୟୂରଭଞ୍ଜ ଜିଲ୍ଲାକୁ ବିଭାଜିତ କରି ସ୍ୱତନ୍ତ୍ର ରାଇରଙ୍ଗପୁର ଜିଲ୍ଲା ଗଠନ କରିବା ଲାଗି ଯେଉଁ ପ୍ରସ୍ତାବ ରହିଥିଲା ତାହା ଏବେ ଏହି ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବା ପରେ କାର୍ଯ୍ୟକାରୀ ହୋଇପାରେ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରୁଛନ୍ତି । ସୁନ୍ଦରଗଡ ଜିଲ୍ଲାର ବିଭାଜନ କରି ରାଉରକେଲାରେ ଅନ୍ୟ ଏକ ନୂଆ ଜିଲ୍ଲା ପ୍ରତିଷ୍ଠା ପାଇଁ ୭୦ ଦଶକରୁ ଦାବି ହୋଇ ଆସୁଛି । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବ୍‍ଡିଭିଜନକୁ ଜିଲ୍ଲା ମାନ୍ୟତା ଦେବା ଲାଗି ବହୁ ପୁରୁଣା ଦାବି ମଧ୍ୟ ରହିଛି । ଏହାଛଡା ରାୟଗଡାର ଗୁଣୁପୁର, ବଲାଙ୍ଗୀରର ଟିଟିଲାଗଡ, କଳାହାଣ୍ଡିର ଧର୍ମଗଡ, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ବାଲେଶ୍ୱରର ଜଳେଶ୍ୱର ଓ ଅନୁଗୁଳର ତାଳଚେରରେ ମଧ୍ୟ ନୂଆ ଜିଲ୍ଲା ଗଠନ ପାଇଁ ଦଳମତ ନିର୍ବିଶେଷରେ ଲୋକେ ଆଶାବାନ୍ଧି ବସିଛନ୍ତି ।

ବରଗଡ ଜିଲ୍ଲା ଅନ୍ତର୍ଭୁକ୍ତ ପଦ୍ମପୁର ସବ୍‍ଡିଭିଜନକୁ ଜିଲ୍ଲା ମାନ୍ୟତା ଦେବା ଲାଗି ପ୍ରାୟ ୩୦ବର୍ଷ ଧରି ଜୋରଦାର ସଂଘର୍ଷ ଚାଲିଛି । ଏବେବି ଏ ପ୍ରସଙ୍ଗରେ ଆନ୍ଦୋଳନ ଅବ୍ୟାହତ ରହିଛି । ଅତୀତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି । ଏବେ ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ପଦ୍ମପୁରକୁ ୨୦୨୩ ଡିସେମ୍ବର ଶେଷ ପୂର୍ବରୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ବିଜେଡି ସଭାପତି ପ୍ରତିଶ୍ରୁତି ଦୋହରାଇଛନ୍ତି । ପଦ୍ମପୁର ପାଇଁ ପ୍ରତିଶ୍ରୁତି ମିଳିବା ପରେ ଏବେ ରାଜ୍ୟରେ ଆଉ ଅନ୍ୟୂନ ୧୨ଟି ଜିଲ୍ଲା ଗଠନ ଲାଗି ଦାବି ଜୋର୍‍ ଧରିଛି । ଏମିତିକି ରାଇରଙ୍ଗପୁରର ବିଧାୟକଙ୍କଠାରୁ ଆରମ୍ଭକରି ଟିଟିଲାଗଡର ପୌରାଧ୍ୟକ୍ଷଙ୍କ ପର୍ଯ୍ୟନ୍ତ ଅନେକ ନେତା ଜିଲ୍ଲା ଗଠନ ଦାବିରେ ଜୀବନଦାନ ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିବା ଚର୍ଚ୍ଚାର ବିଷୟ ହୋଇଛି । (ତଥ୍ୟ)