Home Election ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ନିର୍ବାଚନ କମିଶନଙ୍କ ଆଲୋଚନା

ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ନିର୍ବାଚନ କମିଶନଙ୍କ ଆଲୋଚନା

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌରସଂସ୍ଥାଗୁଡ଼ିକର ସାଧାରଣ ନିର୍ବାଚନ ନିମନ୍ତେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏକ ବୈଠକ କରିଛନ୍ତି ।

ନିର୍ବାଚନ କମିଶନରଙ୍କ ସହ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍‌.କେ. ଶର୍ମା (ଆଇନଶୃଙ୍ଖଳା) ଉପସ୍ଥିତ ରହି ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ପୌର ନିର୍ବାଚନ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ନିର୍ବାଚନ ପୂର୍ବର ପ୍ରସ୍ତୁତି ଯଥା-କର୍ମଚାରୀମାନଙ୍କର ତାଲିମ୍‌, ନିର୍ବାଚନ ସାମଗ୍ରୀ ବିତରଣ, ବାଲାଟ୍‌ପେପର ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମ୍‌ ସ୍ଥାପନ ଓ ମତଗଣନା ଇତ୍ୟାଦି କାର୍ଯ୍ୟଗୁଡ଼ିକ କିପରି ଭାବେ ସୁରୁଖୁରୁରେ ହୋଇପାରିବ ସେ ସଂପର୍କରେ ବିସ୍ତୃତ ଭାବେ କମିଶନଙ୍କ ସଚିବ ଶ୍ରୀ ରବିନ୍ଦ୍ର ନାଥ ସାହୁ ଏବଂ ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟର ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍‌ ମାଧ୍ୟମରେ ବୈଠକରେ ଉପସ୍ଥିତ ଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଅବଗତ କରାଇଥିଲେ ।

ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ କଡ଼ାକଡ଼ି ଭାବେ ଏହାକୁ ପାଳନ କରିବା ସହ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ କମିଶନ ଗୁରୁତ୍ୱାରୋପ କରିଛନ୍ତି । ପୌରନିର୍ବାଚନ ନିମନ୍ତେ ଦୁଇପ୍ରକାରର ବାଲାଟ୍‌ପେପର ଇଭିଏମ୍‌ରେ ରହିବ । କାଉନ୍‌ସିଲର/କର୍ପୋରେଟର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍‌ପେପର ଏବଂ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ନିମନ୍ତେ ହଳଦିଆ ରଙ୍ଗର ବାଲାଟ୍‌ପେପର ନିର୍ବାଚନରେ ବ୍ୟବହାର କରାଯିବ । ପ୍ରତି ବୁଥ୍‌ରେ ଦୁଇଗୋଟି ଇଭିଏମ୍‌ ରହିବ ।

କାଉନ୍‌ସିଲର/କର୍ପୋରେଟର ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍‌ ଏବଂ ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍‌ ରହିବ । ଭୋଟରମାନେ ମତଦାନ କକ୍ଷ ମଧ୍ୟରେ ସହଜରେ ମତଦାନ କରିବା ପାଇଁ ଇଭିଏମ୍‌ର କଣ୍ଟ୍ରୋଲ ୟୁନିଟ୍‌ ଓ ବାଲାଟ୍‌ ୟୁନିଟ୍‌ ଉପରେ ଅଠାଥିବା ଷ୍ଟିକର ଲଗାଯିବ । କାଉନ୍‌ସିଲର/କର୍ପୋରେଟର ନିର୍ବାଚନ ପାଇଁ ଥିବା ଇଭିଏମ୍‌ର କଣ୍ଟ୍ରୋଲ ୟୁନିଟ୍‌ ଓ ବାଲାଟ୍‌ ୟୁନିଟ୍‌ ଉପରେ ଗୋଲାପି ରଙ୍ଗର ଷ୍ଟିକର ଏବଂ ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ଥିବା ଇଭିଏମ୍‌ର କଣ୍ଟ୍ରୋଲ ୟୁନିଟ୍‌ ଓ ବାଲାଟ୍‌ ୟୁନିଟ୍‌ ଉପରେ ହଳଦିଆ ରଙ୍ଗର ଷ୍ଟିକର ଲଗାଯିବ ।

ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ/ପ୍ରାର୍ଥିନୀମାନଙ୍କ ନାମ ବାଲାଟ୍‌ପେପରରେ ଓଡ଼ିଆ ବର୍ଣ୍ଣମାଳାର କ୍ରମାନୁସାରେ ରହିବ । ପୌର ନିର୍ବାଚନବେଳେ ପ୍ରତ୍ୟେକ ବୁଥ୍‌ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ୍‌ ପାଇଁ ୨୪ ଘଣ୍ଟିଆ କଡ଼ା ସୁରକ୍ଷା ସହ ସିସିଟିଭି, ଭୋଟଗଣତି ଓ ଫଳାଫଳ ଘୋଷଣାବେଳେ ପୁଲିସ୍‌ ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହିବା ସହ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଆର୍‌.କେ. ଶର୍ମା ସୂଚନା ଦେଇଛନ୍ତି ।

ଗତମାସନରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନେ ସଫଳତାର ସହ ଶେଷ କରିଥିବାରୁ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିନନ୍ଦନ ସହ ଧନ୍ୟବାଦ ଜଣାଇଛନ୍ତି ।