Home General ଜିଲ୍ଲାପାଳଙ୍କୁ ସତର୍କ କଲେ

ଜିଲ୍ଲାପାଳଙ୍କୁ ସତର୍କ କଲେ

ଭୁବନେଶ୍ୱର : ରାଜ୍ୟରେ ବଡ ଧରଣର ବର୍ଷା ଆଶଙ୍କା ଥିବାରୁ ଏ ନେଇ ସହରାଞ୍ଚଳରେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଜିଲ୍ଲାପାଳମାନଙ୍କୁ କହିଛନ୍ତିି । ପ୍ରତ୍ୟେକ ପୌରାଞ୍ଚଳକୁ ପୂର୍ବରୁ ପଠାଯାଇଥିବା ୧୯ଟି ନିର୍ଦ୍ଦେଶନାମାକୁ ପାଳନ ପାଇଁ ଏଥିରେ କୁହାଯାଇଛି ।

ଏଥିରେ ସହରାଞ୍ଚଳରେ ବନ୍ୟାଭଳି ସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ କଣ୍ଟ୍ରୋଲରୁମ୍‍ ପ୍ରତିଷ୍ଠା ସହିତ ସେଠାରେ ଜଣେ ନୋଡାଲ ଅଫିସରଙ୍କୁ ମୁତୟନ କରିବାଲାଗି କୁହାଯାଇଛି । ଏହି କଣ୍ଟ୍ରୋଲରୁମ୍‍ ୨୪ଘଣ୍ଟା କାର୍ଯ୍ୟ କରିବା ସହିତ ସାଧାରଣ ଲୋଙ୍କ ଅଭିଯୋଗ ଗ୍ରହଣ କରିବ ।

ସେହିଭଳି ବନ୍ୟା ସ୍ଥାନ ଚିହ୍ନଟ ସହିତ ଏହାର ପରିଚାଳନା ପାଇଁ ଟିମ୍‍ ଗଠନ କରିବା, ଡ୍ରେନ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ଜଳସମ୍ପଦ ବିଭାଗ ଓ ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷାକରି ନିର୍ମାଣ କାର୍ଯ୍ୟ ସାରିବା, ଡ୍ରେନରୁ ଜାମ୍‍ ହଟାଇବା, ଡ୍ରେନ ଉପରେ ଖାଲିଥିବା ସ୍ଥାନରେ ସ୍ଲାବ ପକାଇବା ଆଦି କାର୍ଯ୍ୟ କରିବାଲାଗି କୁହାଯାଇଛି ।

ସେହିଭଳି ଜଳବନ୍ଦୀ ଆଶଙ୍କା ଥିବା ସ୍ଥାନ ଚିହ୍ନଟ ସହିତ ଏଠାରୁ ଜବରଦଖଲ ହଟାଇବା, ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍‍ର ସହାୟତା ନେବା, ସହରାଞ୍ଚଳରୁ କଠିନ ବର୍ଜ୍ୟବସ୍ତୁ ହଟାଇବା, ଜଳବନ୍ଦୀ ପରିଚାଳନା ପାଇଁ ପମ୍ପ, ଡିଜିସେଟ୍‍ ଓ ମାନବସମ୍ବଳ ପ୍ରସ୍ତୁତ ରଖିବା ସେହିଭଳି ଏଥିପାଇଁ ଆବଶ୍ୟକ ପଡୁଥିବା ଜାଳେଣି ଗଚ୍ଛିତ ରଖିବାକୁ ପ୍ରମୁଖ ସଚିବ କହିଛନ୍ତି । ତେବେ ବର୍ଷା ପୂର୍ବରୁ ସମସ୍ତ ପ୍ରସ୍ତୁତିକାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ସହିତ ଯେଭଳି କୌଣସି ସହରାଞ୍ଚଳରେ ଜଳବନ୍ଦୀ କିମ୍ବା ବନ୍ୟା ଭଳି ସ୍ଥିତି ନଉପୁଜେ ତାହା ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି ।