Home General ଜିରୋ ନାଇଟ୍‍କୁ ବାରଣ

ଜିରୋ ନାଇଟ୍‍କୁ ବାରଣ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଜିରୋ ନାଇଟ୍‍ ପାଳନ ଉପରେ କଡା କଟକଣା ଲଗାଇଛନ୍ତି । ଡିସେମ୍ବର ୩୧ ତାରିଖ ମଧ୍ୟ ରାତ୍ରୀରେ ସହରର କୌଣସି ହୋଟେଲ, କ୍ଲବ, ସମ୍ମିଳନୀ କକ୍ଷ କିମ୍ବା କଲ୍ୟାଣମଣ୍ଡପରେ ଏହା ପାଳନ କରାଯାଇ ପାରିବନାହିଁ ବୋଲି ବିଏମ୍‍ସି ନୋଟିସ୍‍ ଜାରି କରିଛି ।

କେବଳ ଏହି ସ୍ଥାନଗୁଡିକ ନୁହେଁ, ଜିରୋ ନାଇଟ୍‍ ପାଳନ ପାଇଁ ସହରର ଅନ୍ୟ କୌଣସି ସ୍ଥାନରେ ବି ଅଧିକ ସଂଖ୍ୟାରେ ଲୋକ ଏକତ୍ରିତ ହେବାକୁ ବାରଣ କରାଯାଇଛି ।

ବିଏମ୍‍ସି ପକ୍ଷରୁ ଜନସାଧାରଣଙ୍କ ଅନୁରୋଧ କରାଯାଇଛି ଯେ କରୋନା କଟକଣାକୁ ଦୃଷ୍ଟିରେ ରଖି ଲୋକେ ନିଜ ଘର, ପରିବାର, ସାଙ୍ଗସାଥି ମାନଙ୍କ ସହିତ ନିଜ ନିଜ ବାସଭବନ ପରିସରରେ ଏହା ପାଳନ କରନ୍ତୁ । କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଏହା ପାଳନ କରିବାପାଇଁ ବିଏମ୍‍ସି ପକ୍ଷରୁ କୁହାଯାଇଛି ।

ଉଲ୍ଲେଖନୀୟ ଯେ ନୂଆବର୍ଷ ପାଳନ ପାଇଁ ଡିସେମ୍ବର ୩୧ତାରିଖ ମଧ୍ୟରାତ୍ରରେ ଲୋକେ ଏକତ୍ରିତ ହେବା ସହିତ ବିଭିନ୍ନ ପ୍ରକାର ନାଚ ଗୀତରେ ମାତିଥାନ୍ତି । ଗୋଟିଏ ଗୋଟିଏ ସ୍ଥାନରେ ଶହ ଶହ ଲୋକ ରୁଣ୍ଡ ହେବା ସହିତ ହୋଟେଲ ଓ କ୍ଲବଗୁଡିକରେ ପାହାନ୍ତା ପ୍ରହର ପର୍ଯ୍ୟନ୍ତ ମଉଜ ମଜଲିସ୍‍ କରିଥାନ୍ତି । ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‍ସି ଏହା ଉପରେ ଚଳିତବର୍ଷ କଟକଣା ଜାରି କରିଛି ।