Home Finance ଋଣ ଅପେକ୍ଷାରେ ଏସ୍‍ଏଚ୍‍ଜି

ଋଣ ଅପେକ୍ଷାରେ ଏସ୍‍ଏଚ୍‍ଜି

ଭୁବନେଶ୍ୱର : ଋଣ ପାଇବାପାଇଁ ଆବେଦନ କରି ପ୍ରାୟ ୬୪ହଜାର ସ୍ୱୟଂ ସହାୟକ ଗୋଷ୍ଠି (ଏସଏଚ୍‍ଜି) ଅପେକ୍ଷାକରି ରହିଛନ୍ତି । ଦୀର୍ଘଦିନ ଧରି ଅପେକ୍ଷାରତ ଏହି ଆବେଦନକାରୀମାନଙ୍କ ପ୍ରାର୍ଥନା ବ୍ୟାଙ୍କ୍‍ମାନେ କେବେ ଶୁଣିବେ ତାହା ଚିନ୍ତାର କାରଣ ହୋଇଛି ।

ରାଜ୍ୟ ସରକାର ଆଗାମୀ ପ୍ରତିବର୍ଷ ପ୍ରାୟ ୫ହଜାର କୋଟି ଟଙ୍କାର ଋଣ ଏସ୍‍ଏଚ୍‍ଜିମାନଙ୍କୁ ଦେବାପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ବ୍ୟାଙ୍କ୍‍ମାନେ ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଯେଉଁ ତାଲିକା ମିଳିଛି ମୋଟ୍‍ ୬୩,୯୯୦ ଆବେଦନକାରୀ ଅପେକ୍ଷାକରି ରହିଥିବାବେଳେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିବା ଜଣାଯାଇଛି ।

ମିଶନ ଶକ୍ତି ଯୋଜନାରେ ବାର୍ଷିକ ୫୦୦୦ କୋଟି ଟଙ୍କାର ଋଣ ଦେବାପାଇଁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ୨୧୨୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଏହାଦ୍ୱାରା ଲକ୍ଷେ ୨୬ହଜାର ସ୍ୱୟଂ ସହାୟକ ଗୋଷ୍ଠି ଉପକୃତ ହୋଇଛନ୍ତି । ଗତ ଆର୍ଥିକ ବର୍ଷରେ ୨୫୨୬କୋଟି ଟଙ୍କାର ଋଣ ଦିଆଯାଇ ଲକ୍ଷେ ୭୦ହଜାର ସ୍ୱୟଂ ସହାୟକ ଗୋଷ୍ଠିକୁ ଉପକୃତ କରାଯାଇଥିଲା ।

ବାର୍ଷିକ ୫୦୦୦ କୋଟିର ଋଣ ପ୍ରଦାନ କରିବା କ୍ଷେତ୍ରରେ ବ୍ୟାଙ୍କ୍‍ମାନେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବାବେଳେ ମିଶନ ଶକ୍ତି ବିଭାଗ ପକ୍ଷରୁ ଏଥିପାଇଁ ମିଶନ ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ବ୍ୟାଙ୍କ୍‍ମାନଙ୍କୁ କଡା ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ତେବେ ବ୍ୟାଙ୍କ୍‍ମାନେ ଏତେ ସଂଖ୍ୟାରେ ଆବେଦନପତ୍ରକୁ ପକାଇ ରଖିଥିବା ଯୋଗୁଁ ଏହାକୁ ତ୍ୱରାନ୍ୱିତ ଭାବରେ ମଞ୍ଜୁର କରିବା ସକାଶେ ରାଜ୍ୟ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି ।

ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠିକୁ ଅନ୍ତତଃ ପକ୍ଷେ ୪ଲକ୍ଷ ଟଙ୍କାର ଋଣ ପ୍ରଦାନ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କିନ୍ତୁ ବ୍ୟାଙ୍କ୍‍ମାନେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାରେ କୁଣ୍ଠା ପ୍ରକାଶ କରୁଛନ୍ତି । ମୁଖ୍ୟତଃ ଅଧିକରୁ ଅଧିକ ଋଣ ଦେଇ ସେମାନଙ୍କୁ ବ୍ୟବସାୟିକ ଦୃଷ୍ଟିରୁ ସକ୍ଷମ କରିବା ସକାଶେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ତାହାକୁ କାର୍ଯ୍ୟକାରୀ କରିବାପାଇଁ ବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି । ହେଲେ ଅଧିକ ୠଣ ଦେବା କ୍ଷେତ୍ରରେ ବ୍ୟାଙ୍କ୍‍ମାନଙ୍କର କାର୍ପଣ୍ୟତା ବେଶ୍‍ ପରିଲକ୍ଷିତ ହେଉଛି ।

ଚଳିତ ଆର୍ଥିକ ବର୍ଷରେ ୨,୫୪,୨୫୦ ଏସ୍‍ଏଚ୍‍ଜିମାନଙ୍କୁ ବ୍ୟାଙ୍କ୍‍ ଋଣ ଦେବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବର୍ତ୍ତମାନ ୧,୨୬,୨୬୩ ଏସ୍‍ଏଚ୍‍ଜିକୁ ଉପକୃତ କରାଯାଇଛି, ଯାହାକି ଲକ୍ଷ୍ୟଧାର୍ଯ୍ୟର ୫୦ ପ୍ରତିଶତ । ଆର୍ଥିକ ବର୍ଷ ସରିବାକୁ ଆଉମାତ୍ର ତିନିମାସ ଥିବାବେଳେ ଏହି ସମୟ ମଧ୍ୟରେ ଆଉ ୫୦ ପ୍ରତିଶତ ଲକ୍ଷ୍ୟ କିଭଳି ପୂରଣ କରାଯିବ ତାହା ନେଇ ଘୋର ସନ୍ଦେହ ଉପୁଜିଛି ।