Home Finance ଜିଏସ୍‍ଟି କରଦାତାଙ୍କ ପାଇଁ ରିହାତି ସୁବିଧା

ଜିଏସ୍‍ଟି କରଦାତାଙ୍କ ପାଇଁ ରିହାତି ସୁବିଧା

ନୂଆଦିଲ୍ଲୀ : କୋଭିଡ ମହାମାରୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜିଏସ୍‍ଟି ଆଇନ ପରିସର ମଧ୍ୟରେ କରଦାତାଙ୍କ ପାଇଁ ବିଭିନ୍ନ ରିହାତି ସୁବିଧା ଯୋଗାଇ ଦେଇଛନ୍ତି । କରଦାତାମାନେ ଜିଏସ୍‍ଟି ପୈଠ କ୍ଷେତ୍ରରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

କରୋନାର ଦ୍ୱିତୀୟ ସଂକ୍ରମଣ ପରିପ୍ରେକ୍ଷୀରେ ୨୦୨୧ ମେ ୧ତାରିଖରେ ସରକାର ଏହି ମର୍ମରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏଥିରେ ସରକାର ଟିକସଦାତାଙ୍କ ପାଇଁ ଗ୍ରହଣ କରିଥିବା ପଦକ୍ଷେପଗୁଡିକ ନିମ୍ନମତେ ପ୍ରଦାନ କରାଯାଇଛି ।

ଟିକସ ପୈଠ କ୍ଷେତ୍ରରେ ବିଳମ୍ବ ପାଇଁ ବାର୍ଷିକ ଯେଉଁ ୧୮ଶତାଂଶ ହାରରେ ସ୍ୱାଭାବିକ ସୁଧ ଆଦାୟ କରାଯାଉଥିଲା ତାହାକୁ କୋହଳ କରାଯାଇ ବିଭିନ୍ନ ବର୍ଗର କରଦାତାଙ୍କ ପାଇଁ ନିମ୍ନଲିଖିତ ସୁବିଧା ପ୍ରଦାନ କରାଯାଇଛି ।

ବର୍ଷକୁ ମୋଟ ୫କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ପଞ୍ଜୀକୃତ ବ୍ୟକ୍ତିବିଶେଷଙ୍କ ପାଇଁ ଟିକସ ପୈଠର ଧାର୍ଯ୍ୟ ତାରିଖଠାରୁ ୧୫ଦିନ ପର୍ଯ୍ୟନ୍ତ ୧୮ଶତାଂଶ ପରିବର୍ତ୍ତେ ୯ ଶତାଂଶ ସୁଧ ଆଦାୟ କରାଯିବ । ଏହି ୧୫ ଦିନ ପରେ ଟିକସ ଦାଖଲ କଲେ ପୂର୍ବଭଳି ୧୮ ଶତାଂଶ ସୁଧ ଦେବାକୁ ପଡିବ । ୨୦୨୧ ମାର୍ଚ୍ଚରୁ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ଟିକସ ଆଦାୟ ସମୟ ପାଇଁ ଏହି ସୁବିଧା ପ୍ରଦାନ କରାଯାଇଛି । ୨୦୨୧ ମାର୍ଚ୍ଚର ଟିକସ ଏପ୍ରିଲ ୨୦୨୧ ଏବଂ ୨୦୨୧ ଏପ୍ରିଲ ମାସର ଟିକସ ମେ ୨୦୨୧ରେ ଆଦାୟ କରାଯିବ ।

ବାର୍ଷିକ ୫କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ପଞ୍ଜୀକୃତ ବ୍ୟକ୍ତି ବା ବ୍ୟବସାୟୀଙ୍କ ପାଇଁ ଧାର୍ଯ୍ୟ ଟିକସ ଆଦାୟ ତାରିଖର ୧୫ଦିନ ପରବର୍ତ୍ତୀ ସମୟ ପାଇଁ ଟିକସ ଉପରେ କୌଣସି ସୁଧ ପଡିବ ନାହିଁ । ଏହାର ପରବର୍ତ୍ତୀ ୧୫ଦିନ ମଧ୍ୟରେ ଟିକସ ଦାଖଲ କଲେ ୯ ଶତାଂଶ ସୁଧ ଦେବାକୁ ପଡିବ । ଏହା ପରେ ଟିକସ ପୈଠ ପାଇଁ ୧୮ଶତାଂଶ ହାରରେ ସୁଧ ଦେବାକୁ ହେବ । ଏହା ଉଭୟ ନିୟମିତ ଟିକସ ଦାତା ଓ କ୍ୟୁଆର୍ଏମ୍ପି ଅନ୍ତର୍ଭୁକ୍ତ ଯୋଜନାର ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ ୨୦୨୧ ମାର୍ଚ୍ଚ ଓ ଏପ୍ରିଲ ମାସର ଟିକସ ଆଦାୟ ସମୟ ଅନ୍ତର୍ଭୁକ୍ତ । ସମ୍ପୃକ୍ତ ଟିକସଦାତା ମାର୍ଚ୍ଚର ଟିକସ ଏପ୍ରିଲରେ ଓ ଏପ୍ରିଲର ଟିକସ ୨୦୨୧ ମେ’ ମାସରେ ଦାଖଲ କରିପାରିବେ ।

କମ୍ପୋଜିଏସନ ସ୍କିମରେ ଟିକସ ପ୍ରଦାନ ପାଇଁ ପଞ୍ଜୀକୃତ କରଦାତାଙ୍କ ନିମନ୍ତେ ଧାର୍ଯ୍ୟ ତାରିଖର ପନ୍ଦରଦିନ ପରବର୍ତ୍ତୀ ସମୟ ପାଇଁ କୌଣସି ସୁଧ ଦେବାକୁ ପଡିବ ନାହିଁ । ରିହାତି ସମୟ ୧୫ଦିନ ପରେ ଟିକସ ଦେଲେ ୯ଶତାଂଶ ସୁଧ ଦେବାକୁ ହେବ । ଏହି ସମୟ ପରେ ଟିକସ ପୈଠ କଲେ ୧୮ଶତାଂଶ ହାରରେ ସୁଧ ଆଦାୟ କରାଯିବ । ଏମାନଙ୍କ ପାଇଁ ମଧ୍ୟ ୨୦୨୧ ମାର୍ଚ୍ଚ ଓ ଏପ୍ରିଲର ଟିକସ ପୈଠ ସମୟ ଯଥାକ୍ରମେ ଏପ୍ରିଲ ଓ ମେ’ ମାସ ଧାର୍ଯ୍ୟ କରାଯାଇଛି ।

ଯେଉଁ ପଞ୍ଜୀକୃତ କରଦାତା /ବ୍ୟବସାୟୀଙ୍କ ବାର୍ଷିକ କାରବାର ପାଞ୍ଚକୋଟି ଟଙ୍କାରୁ ଅଧିକ ସେମାନଙ୍କ ପାଇଁ ୧୫ଦିନ ପର୍ଯ୍ୟନ୍ତ ଜିଏସ୍ଟିଆର-3B ଫର୍ମରେ ରିଟର୍ଣ୍ଣ ଦାଖଲ କ୍ଷେତ୍ରରେ ଲେଟ ଫିକୁ ଛାଡ କରାଯାଇଛି । ଅର୍ଥାତ୍ ସେମାନେ ଧାର୍ଯ୍ୟ ତାରିଖର ପନ୍ଦରଦିନ ପର୍ଯ୍ୟନ୍ତ ଏହି ସୁବିଧା ପାଇପାରିବେ । ମାର୍ଚ୍ଚ ଓ ଏପ୍ରିଲ ମାସର ଟିକସ ଦାଖଲ ସମୟ ପାଇଁ ଏହି ସୁବିଧା ଉପଲବ୍ଧ ।

ଯେଉଁ ପଞ୍ଜୀକୃତ ବ୍ୟବସାୟୀ/ବ୍ୟକ୍ତିଙ୍କର ବାର୍ଷିକ କାରବାର ପାଞ୍ଚକୋଟି ଟଙ୍କା ଭିତରେ ସେମାନଙ୍କ ପାଇଁ ଜିଏସଟିଆର-3B ଫର୍ମରେ ରିଟର୍ଣ୍ଣ ଦାଖଲ ସମୟ ଧାର୍ଯ୍ୟ ଶେଷ ତାରିଖଠାରୁ ୧୫ଦିନ ଅଧିକ ବଢାଇ ଦିଆଯାଇଛି । ଏହା ମାର୍ଚ୍ଚ ଓ ଏପ୍ରିଲ ୨୧ ଟିକସ ସମୟ ପାଇଁ ଉଦ୍ଦିଷ୍ଟ । ସେହିଭଳି ମାସିକ ରିଟର୍ଣ୍ଣ ଦାଖଲ କରୁଥିବା ଟିକସଦାତା ଏହି ସୁବିଧା ଜାନୁୟାରୀ-ମାର୍ଚ୍ଚ ୨୦୨୧ ଓ କ୍ୟୁଆରଏମ୍ପି ସ୍କିମର ଟିକସଦାତା ଏପ୍ରିଲ ମାସ ପାଇଁ ନେଇପାରିବେ ।

ଜିଏସ୍‍ଟିଆର-୧, ଆଇଏଫଏଫ୍, ଜିଏସ୍ଟିଆର-୪ ଓ ଆଇଟିସି-୦୪ର ଟିକସ ଫାଇଲ କରିବାର ଶେଷ ତାରିଖକୁ ନିମ୍ନମତେ ବୃଦ୍ଧି କରାଯାଇଛି । ଜିଏସ୍ଟିଆର-୧ ଫର୍ମ, ଆଇଏଫଏଫ, ଏପ୍ରିଲ ମାସ ପାଇଁ ଉଦ୍ଦିଷ୍ଟ ଫାଇଲିଂ ତାରିଖର ଅନ୍ତିମ ସମୟ ସୀମାକୁ ୧୫ଦିନ ଯାଏ ବଢାଇ ଦିଆଯାଇଛି । ଜିଏସ୍ଟିଆର-୪ ଫର୍ମର ଫାଇଲିଂ ତାରିଖ, ଯାହା ୨୦୨୦-୨୧ ପାଇଁ ଉଦ୍ଧିଷ୍ଟ, ତାହାକୁ ୩୦ଏପ୍ରିଲ ୨୦୨୧ରୁ ୩୧ ମେ’ ୨୦୨୧ ଯାଏ ବୃଦ୍ଧି କରାଯାଇଛି ।

ଆଇଟିସି-୦୪ ଫର୍ମ ଦାଖଲର ଶେଷ ତାରିଖକୁ ଜାନୁୟାରୀ-ମାର୍ଚ୍ଚ ୨୦୨୧ ତ୍ରୈମାସିକ ପାଇଁ ବୃଦ୍ଧି କରାଯାଇଛି । ଏବେ ଏହା ୨୦୨୧ ଏପ୍ରିଲ ୨୫ତାରିଖ ପରିବର୍ତ୍ତେ ୨୦୨୧ ମେ’ ୩୧ତାରିଖ ହୋଇଛି । ସିଜିଏସ୍ଟି ନିୟମରେ କେତେକ ସଂଶୋଧନ କରାଯାଇଛି । ଆଇଟିସି ସୁବିଧା ନେବା ନିୟମ କୋହଳ -ଆଇଟିସି ସୁବିଧା ନେବା ପାଇଁ ଉଦ୍ଦିଷ୍ଟ ନିୟମ କୋହଳ କରାଯାଇ ଧାରା ୩୬(୪) ଅର୍ଥାତ୍ ୧୦୫% ସର୍ବୋଚ୍ଚ ସୀମାକୁ ପରିବର୍ତ୍ତନ କରାଯାଇଛି । ଫଳରେ ଜିଏସ୍ଟିଆର-୩ଈ ଫର୍ମରେ ଆଇଟିସି ସାମଗ୍ରିକ ବୁଦ୍ଧି ଭିତ୍ତିରେ ହାସଲ କରିହେବ । ଏହି ସୁବିଧା ୨୦୨୧ ଏପ୍ରିଲ ଓ ମେ’ ମାସ ପାଇଁ ମିଳିବ ଏବଂ ମେ’ ମାସର ଟିକସ ପିରିୟଡ ପାଇଁ ପ୍ରଯୁଜ୍ୟ ହେବ । ଅନ୍ୟଥା ନିୟମ ୩୬(୪) ପ୍ରତ୍ୟେକ ଟିକସ ପିରିୟଡ ପାଇଁ ଅବ୍ୟାହତ ରହିବ ।

ଯେଉଁ କମ୍ପାନୀ ଇଲେକଟ୍ରୋନିକ୍ ଭେରିଫିକେସନ କୋଡ୍ ବ୍ୟବହାର ରି ଜିଏସ୍‍ଟିଆର-୩ଈ, ଜିଏସ୍ଟିଆର-୧/ଆଇଏଫ୍ଏଫ୍ ଫାଇଲ କରୁଛନ୍ତି ସେମାନଙ୍କୁ ଏହି ସୁବିଧା ୨୭.୦୪. ୨୦୨୧ରୁ ୩୧.୦୫.୨୦୨୧ ପିରିୟଡ ପର୍ଯ୍ୟନ୍ତ ମିଳିବ ।

ଜିଏସ୍‍ଟି ଆଇନର ଧାରା ୧୬୮(କ)ଅନୁସାରେ ବୈଧାନିକ ସମୟ ସୀମାକୁ ବଢାଇ ଦିଆଯାଇଛି । ତଦନୁସାରେ କୌଣସି କର୍ତ୍ତୃପକ୍ଷ ବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ବିଭିନ୍ନ କାମର ସମୟ ସୀମା ଧାର୍ଯ୍ୟ କରାଯାଇଛି । ଏହାଫଳରେ ୨୦୨୧ ଏପ୍ରିଲ ୧୫ଠାରୁ ମେ’ ୩୦ ମଧ୍ୟରେ ହେବାକୁ ଥିବା ସବୁ କାମର ସମୟ ସୀମାକୁ ୨୦୨୧ ମେ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି । ତେବେ ଏଥିରେ ଅଳ୍ପ କିଛି ନିଦ୍ଦିଷ୍ଟ ବ୍ୟତିକ୍ରମ କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ।