Home General ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ

ଭୁବନେଶ୍ୱର : ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ମେ ୧୮, ୨୦୨୨ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନୌସେନାର ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ପକ୍ଷରୁ ଏହି ପରୀକ୍ଷଣ ସମ୍ପାଦନ କରାଯାଇଥିଲା ।

ନୌସେନାର ଏକ ହେଲିକପ୍ଟର ଜରିଆରେ କ୍ଷେପଣାସ୍ତ୍ରର ବୈମାନିକ ପରୀକ୍ଷା ବା ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା । ଏହି ପରୀକ୍ଷଣ ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିଥିଲା । ଭାରତୀୟ ନୌସେନା ପାଇଁ ଏହା ହେଉଛି ଆକାଶ ମାର୍ଗରୁ ନିକ୍ଷେପ କରାଯାଇ ପାରୁଥିବା ପ୍ରଥମ ସ୍ୱଦେଶୀ ଜାହାଜ ବିଧ୍ୱଂସୀ କ୍ଷେପଣାସ୍ତ୍ର ପ୍ରଣାଳୀ।

ପରୀକ୍ଷା ସମୟରେ ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସାମୁଦ୍ରିକ ମାର୍ଗରେ ଗତି କରିଥିଲା ଏବଂ ନିର୍ଦ୍ଧାରିତ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ସଠିକ୍‌ ଭାବେ ଭେଦ କରିବାରେ ସକ୍ଷମ ହୋଇଥିଲା । ଏଥିସହିତ ନିୟନ୍ତ୍ରଣ, ମାର୍ଗଦର୍ଶନ ଓ ମିଶନ ଆକଳନକୁ ସମ୍ପୂର୍ଣ୍ଣ ସଠିକ୍‌ ଭାବେ କାର୍ଯ୍ୟକାରୀ କରିଥିଲା । ଏହାର ସବୁ ଉପ-ପ୍ରଣାଳୀ ସନ୍ତୋଷଜନକ ପ୍ରଦର୍ଶନ କରିଥିଲା । ପରୀକ୍ଷଣ ରେଞ୍ଜର ବିଭିନ୍ନ ସ୍ଥାନରେ ଏବଂ ଇମ୍ପାକ୍ଟ ପଏଣ୍ଟରେ ଲାଗିଥିବା ସେନ୍ସର କ୍ଷେପଣାସ୍ତ୍ରର ଗତିପଥକୁ ନିରୀକ୍ଷଣ କରିଥିଲା ଏବଂ ସବୁ ଘଟଣାକ୍ରମକୁ ରେକର୍ଡ କରିଥିଲା ।

ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନେକ ନୂଆ ଜ୍ଞାନକୌଶଳ ଖଞ୍ଜା ଯାଇଛି । ଏଥିରେ ହେଲିକପ୍ଟର ପାଇଁ ସ୍ୱଦେଶୀ ଭାବେ ବିକଶିତ ଏକ ଲଞ୍ଚର୍‌ ସଂଯୋଗ କରାଯାଇଛି । କ୍ଷେପଣାସ୍ତ୍ରର ମାର୍ଗଦର୍ଶୀ ପ୍ରଣାଳୀରେ ଅତ୍ୟାଧୁନିକ ନାଭିଗେସନ ବ୍ୟବସ୍ଥା ଓ ସମନ୍ବିତ ଏଭିଓନିକ୍ସ ଖଞ୍ଜା ହୋଇଛି । ଆଜିର ଫ୍ଲାଇଟ୍‌ ଟେଷ୍ଟ ସମୟରେ ଡିଆରଡିଓ ଓ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here