Home Judiciary ଜାରି ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଜାରି ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ନୂଆଦିଲ୍ଲୀ : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜାରି ରହିବ । ଭକ୍ତମାନଙ୍କ ପାଇଁ ଚାଲୁଥିବା ଏହି ଉନ୍ନୟନ କାର୍ଯ୍ୟ ଜାରି ରଖିବାକୁ ସୁପ୍ରିମ୍‍କୋର୍ଟ କହିବା ସହିତ ଏହା ବିରୁଦ୍ଧରେ ଅଦାଲତକୁ ଯାଇଥିବା ଦୁଇ ଆବେଦନକାରୀ ଅର୍ଦ୍ଧେନ୍ଦୁ କୁମାର ଦାସ ଓ ସୁମନ୍ତ କୁମାର ଘଡାଇଙ୍କ ସେମାନଙ୍କ ଆବେଦନକୁ ଖାରଜ କରିଦେବା ସହ ଅଦାଲତର ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ସେମାନଙ୍କ ଉପରେ ଏକ ଲକ୍ଷ ଟଙ୍କା କରି ଜୋରିମାନା ଲଗାଇଛନ୍ତି ।

ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଯେଉଁ ନିର୍ମାଣ କାର୍ଯ୍ୟ ଚାଲିଛି ତାହା ଏଏସ୍‍ଆଇ ଓ ଆମସର ଆଇନ୍‍ର ଅବମାନନା ଦର୍ଶାଇ ଏହା ଉପରେ ରୋକ ଲଗାଇବାପାଇଁ ଆବେଦନକାରୀମାନେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତକାଲି ଏ ସଂକ୍ରାନ୍ତରେ ବିଚାରପତି ବି. ଆର. ଗଭାଇ ଓ ବିଚାର ହିମା କୋହଳିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଆଜି ପାଇଁ ରାୟ ସଂରକ୍ଷିତ ରହିଥିଲା ।

ସର୍ବୋଚ୍ଚ ଅଦାଲତରେ ପରିକ୍ରମା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଅଶୋକ ପରିଜା, ବରିଷ୍ଠ ଆଇନ୍‍ଜୀବୀ ତଥା ପୁରୀ ସାଂସଦ ପିନାକୀ ମିଶ୍ର ଦର୍ଶାଇଥିଲେ ଯେ ପ୍ରତିଦିନ ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରାୟ ୬୦ହଜାର ଭକ୍ତ ଆସୁଛନ୍ତି । ରଥଯାତ୍ରା ସମୟରେ ପୁରୀକୁ ୧୫ରୁ ୨୦ଲକ୍ଷ ଭକ୍ତ ଆସିଥାନ୍ତି । ଭକ୍ତମାନଙ୍କ ସୁବିଧା ପାଇଁ ପରିକ୍ରମା ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟ ଚାଲିଛି ଓ ଏଥିରେ ଏଏସ୍‍ଆଇ ଏବଂ ଏନ୍‍ଏମ୍‍ଏ କର୍ତ୍ତୃପକ୍ଷଙ୍କ ସହମତି ରହିଛି ।

ଯେଉଁସବୁ ନିର୍ମାଣ କାର୍ଯ୍ୟ ଚାଲିଛି ତାହାକୁ ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ପଡିବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପରିକ୍ରମା ପ୍ରକଳ୍ପ ମାମଲା ଶୀଘ୍ର ଶେଷ କରିବାକୁ ସେମାନେ ଖଣ୍ଡପୀଠଙ୍କ ନିକଟରେ ଦାବି କରିଥିଲେ ।

ଆଜି ସର୍ବୋଚ୍ଚ ଅଦାଲତ ତାଙ୍କର ଚୂଡାନ୍ତ ରାୟ ଶୁଣାଇ ମାମଲାକୁ ଖାରଜ କରିଦେବା ପରେ ପରିକ୍ରମା ପ୍ରକଳ୍ପ ଚାଲିଥିବା ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ସ୍ପଷ୍ଟ ହୋଇଛି । ତେବେ ପୂର୍ବରୁ ରାଜ୍ୟ ସରକାର ପ୍ରସ୍ତାବିତ ଅଭ୍ୟର୍ଥନା ସୌଧକୁ ନିଷିଦ୍ଧାଞ୍ଚଳ ବାହାରେ ନିର୍ମାଣ ପାଇଁ ରାଜି ହୋଇଛନ୍ତି ।

ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ବରିଷ୍ଠ ଆଇନ୍‍ଜୀବୀ ଗୌତମ ଦାସ ଓ ମହାଲକ୍ଷ୍ମୀ ପାଭାନି ପରିଚାଳନା କରୁଥିଲେ ।