Home Health ଜାନୁୟାରୀ ୧୬ରୁ ଟୀକାଦାନ

ଜାନୁୟାରୀ ୧୬ରୁ ଟୀକାଦାନ

ନୂଆଦିଲ୍ଲୀ : ଆସନ୍ତା ଜାନୁୟାରୀ ୧୬ ତାରିଖରୁ ସମଗ୍ର ଦେଶରେ ଆରମ୍ଭ ହେବ କରୋନା ଟୀକାଦାନ । ପ୍ରଥମ ପର୍ଯ୍ୟାୟରେ ୩କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମକର୍ତ୍ତାଙ୍କୁ ଦିଆଯିବ ଟୀକା ଓ ପରେ ଆଉ ୨୭କୋଟିଙ୍କୁ ମିଳିବ ଟୀକା । ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୁ ଆଦି ପର୍ବ ପରେ ଟୀକା ଦେବାକୁ ନିଷ୍ପତ୍ତି ହୋଇଛି ।

କୋଭିଡ-୧୯ର ସ୍ଥିତି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ଟୀକାଦାନର ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି । କ୍ୟାବିନେଟ୍‍ ସଚିବ, ପ୍ରଧାନମନ୍ତ୍ରୀଙ୍କ ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ ।

କୋଭିଡ ପରିଚାଳନା ଓ ଏ ସଂକ୍ରାନ୍ତୀୟ ଅନ୍ୟାନ୍ୟ ପ୍ରସଙ୍ଗର ସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ । ଦୁଇଟି ଟୀକା (କୋଭିସିଲ୍ଡ ଏବଂ କୋଭାକ୍ସିନ) ଯାହାକି କି ସୁରକ୍ଷା ଓ ପ୍ରତିରୋଧଶକ୍ତି ପ୍ରତିଷ୍ଠା କରିଛି ତାହାର ଜରୁରୀକାଳୀନ ବ୍ୟବହାର କିମ୍ବା ତ୍ୱରିତ ଅନୁମୋଦନ ଲାଗି ଜାତୀୟ ପ୍ରାଧିକରଣ ମଞ୍ଜୁର କରିଛନ୍ତି ।ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କ ମିଳିତ ସହଯୋଗରେ ଟୀକାକରଣ ସଂକ୍ରାନ୍ତରେ କେନ୍ଦ୍ରର ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀଙ୍କୁ ନିକଟ ଭବିଷ୍ୟତରେ ଅବଗତ କରାଯାଇଥିଲା ।

ଟୀକାଦାନ ନେଇ ଚାଲିଥିବା ଏହି ପ୍ରସ୍ତୁତି କାର୍ଯ୍ୟକ୍ରମକୁ ଲୋକଙ୍କ ଅଂଶଗ୍ରହଣ (ଜନ ଭାଗିଦାରୀ) ନିର୍ବାଚନ ଅଭିଜ୍ଞତା (ବୁଥ୍‍ସ୍ତରୀୟ ରଣନୀତି) ର ବ୍ୟବହାର ଏବଂ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ (ୟୁଆଇପି) ସହାୟତା କରିବ । ବର୍ତ୍ତମାନ ଚଳାଯାଉଥିବା ସ୍ୱାସ୍ଥ୍ୟସେବା ବିଶେଷକରି ଜାତୀୟ କାର୍ଯ୍ୟକ୍ରମ ଏବଂ ପ୍ରାଥମିତ ସ୍ୱାସ୍ଥ୍ୟସେବାରେ କୌଣସି ବୁଝାମଣା ହେବନାହିଁ ; ବୈଜ୍ଞାନିକ ଏବଂ ପ୍ରାଧିକରଣ ମାନଦଣ୍ଡ, ଅନ୍ୟ ଏସ୍‍ଓପି ଉପରେ କୌଣସି ବୁଝାମଣା ହେବନାହିଁ ।

ପ୍ରଧାନମନ୍ତ୍ରୀଙ୍କୁ କୋ-ୱିନ ଟୀକା ବିତରଣ ପରିଚାଳନା ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ କରାଯାଇଥିଲା । ଏହି ଅନନ୍ୟ ଡିଜିଟାଲ ପ୍ଲାଟଫର୍ମ ଟୀକା ମହଜୁଦର ବାସ୍ତବ ସମୟ ସୂଚନା, ଗଚ୍ଛିତ ଟୀକାର ତାପମାତ୍ରା ଏବଂ କୋଭିଡ-୧୯ ଟୀକା ନେଉଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ଟ୍ରାକିଂ ସୂଚନା ପ୍ରଦାନ କରିବ । ପୂର୍ବରୁ ପଞ୍ଜିକୃତ ହୋଇଥିବା ହିତାଧିକାରୀଙ୍କୁ ଆବଣ୍ଟିତ ହୋଇଥିବା ସମୟ, ସେମାନଙ୍କର ଯାଞ୍ଚ ଏବଂ ଟୀକାକରଣ ସଫଳ ହେବାପରେ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ ନେଇ ଏହି ପ୍ଲାଟଫର୍ମ ସମସ୍ତ ସ୍ତରରେ ଯୋଜନା ପରିଚାଳକମାନଙ୍କୁ ସହାୟତା କରିବ । ଏହି ପ୍ଲାଟଫର୍ମରେ ୭୯ଲକ୍ଷରୁ ଅଧିକ ହିତାଧିକାରୀ ପଞ୍ଜିକୃତ ହୋଇ ସାରିଛନ୍ତି ।

ଟୀକାଦାନ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଟୀକାକରଣକାରୀ ଏବଂ ଟୀକା ପରିଚାଳକମାନେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ସେମାନଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦିଆଯାଇଥିଲା । ଜାତୀୟ ସ୍ତରର ପ୍ରଶିକ୍ଷକ ପ୍ରଶିକ୍ଷଣ ସମୟରେ ୨୩୬୦ ଅଂଶଗ୍ରହଣକାରୀଙ୍କୁ ତାଲିମ ଦିଆଯାଇଥିଲା ଯେଉଁଥିରେ ରାଜ୍ୟ ଟୀକାକରଣ ଅଧିକାରୀ, କୋଲ୍ଡ ଚେନ୍‍ ଅଧିକାରୀ, ଆଇଇସି ଅଧିକାରୀ, ଉନ୍ନୟନ ସହଯୋଗୀ ଆଦି ରହିଥିଲେ । ୬୧ହଜାରରୁ ଅଧିକ ଯୋଜନା ପରିଚାଳକ, ୨ଲକ୍ଷ ଟୀକାକରଣକାରୀ ଏବଂ ୩.୭ଲକ୍ଷ ଅନ୍ୟ ଟୀକାକରଣ ଦଳର ସଦସ୍ୟଙ୍କୁ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ସମଗ୍ର ଦେଶରେ ଚଳଳଯାଉଥିବା ତିନି ପର୍ଯ୍ୟାୟ ଡ୍ରାଏ ରନ୍‍ ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଗତ କାଲି ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଡ୍ରାଏ ରନ୍‍ ୩୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୪୮୯୫ ଅଧିବେଶନ ସାଇଟ୍‍କୁ ଅର୍ନ୍ତଭୁକ୍ତ କରି ୬୧୫ଟି ଜିଲ୍ଲାରେ ହୋଇଥିଲା ।