Home General ଜଳ ସାଥୀ ଅର୍ନ୍ତଧ୍ୟାନ

ଜଳ ସାଥୀ ଅର୍ନ୍ତଧ୍ୟାନ

ଭୁବନେଶ୍ୱର : ସହରାଞ୍ଚଳ ଲୋକଙ୍କୁ ଆକ୍ୱାଗାର୍ଡ ମାନର ଜଳଯୋଗାଣରେ ସହାୟତା ପାଇଁ ହୋଇଥିବା ‘ଜଳ ସାଥୀ’ ବ୍ୟବସ୍ଥା ଠିକଣା ଭାବେ କାର୍ଯ୍ୟ କରୁନାହିଁ । ନିୟୋଜିତ ହୋଇଥିବା ଜଳ ସାଥିମାନେ ଏକ ପ୍ରକାର ଅର୍ନ୍ତଧ୍ୟାନ ହୋଇଗଲେଣି ।

ରାଜ୍ୟ ସରକାର ସହରାଞ୍ଚଳରେ ଅମୃତ ଯୋଜନାରେ ୨୪ଘଣ୍ଟିଆ ସ୍ୱଚ୍ଛ ପାଣି ଯୋଗାଣ କାର୍ଯ୍ୟକାରୀ କରୁଛନ୍ତି । ପର୍ଯ୍ୟାୟକ୍ରମେ ଏହି ଯୋଜନାରେ ଯୋଗାଯାଉଥିବା ଜଳ ଆକ୍ୱାଗାର୍ଡ ମାନର ବୋଲି କୁହାଯାଉଛି । ତେବେ ଏହି ଜଳଯୋଗାଣକୁ ସୁବ୍ୟବସ୍ଥିତ କରିବା ସହିତ ଠିକଣା ସମୟରେ ଜଳ ଟିକସ ଆଦାୟ ଏବଂ ଜଳ ପରୀକ୍ଷା ପାଇଁ ‘ଜଳ ସାଥୀ’ ନିୟୋଜିତ ହୋଇଥିଲେ ।

ଜଳ ସାଥି ମୁତୟନ ପାଇଁ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା) ପଦକ୍ଷେପ ଗ୍ରହଣ କରିଥିଲା । ଏଥିପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟମାନଙ୍କୁ ଜଳ ଟିକସ ଆଦାୟ ଓ ଜଳ ପରୀକ୍ଷାପାଇଁ ତାଲିମ ଦିଆଯାଇଥିଲା । ଘରୋଇ ବ୍ୟାଙ୍କ୍‍ ସହ ରାଜିନାମା ହୋଇ ଟିକସ ଆଦାୟକାରୀଙ୍କୁ ଡିଜିଟାଲ ପେମେଣ୍ଟ ଜରିଆରେ ଅର୍ଥ ସଂଗ୍ରହ ପାଇଁ ପୋସ୍‍ ମେସିନ ବି ପ୍ରଦାନ କରାଯାଇଥିଲା ।

ହେଲେ ପ୍ରାୟ ବର୍ଷକ ପରେ ଏହି ବ୍ୟବସ୍ଥା ଖୋଦ ରାଜଧାନୀରେ ଫେଲ ମାରିଛି । ଗୃହ ଓ ନଗର ଉନ୍ନୟନ ବିଭାଗ ଏହାକୁ ସଠିକ ଭାବେ ପରିଚାଳନା କରିପାରି ନାହିଁ । ଯେଉଁସବୁ ସ୍ଥାନରେ ୨୪ଘଣ୍ଟା ଜଳ ଯୋଗାଣ ହେଉଛି ସେଠାରେ ଥରୁଟିଏ ହେଲେ ଜଳ ସାଥୀମାନେ ଜଳର ମାନ ପରୀକ୍ଷା କରୁନାହାନ୍ତି । ରାସ୍ତାଘାଟରେ ପାଇପ୍‍ ଲିକ୍‍ ହୋଇ ପାଣି ବୋହୁଛି । ତେଣୁ ଲୋକେ ବି ଭୟରେ ଏହାକୁ ଆକ୍ୱାଗାର୍ଡ ଜଳ ଭାବି ସିଧାସଳଖ ପିଉ ନାହାନ୍ତି ।

ନିଯୁକ୍ତି ପାଇବାପରେ ଜଳ ସାଥିମାନେ ଯେଉଁସବୁ ୟୁନିଟ୍‍ରୁ ଜଳ ଟିକସ ଆଦାୟ କରିଥିଲେ ସେଠାକୁ ଆଉ ଦ୍ୱିତୀୟଥର ଯାଉନାହାନ୍ତି । କେତେକ ୟୁନିଟ୍‍ରେ ତ ଜଳ ସାଥୀମାନଙ୍କର ଆଦୌ ଦେଖାଦର୍ଶନ ନାହିଁ । ଫଳରେ ହିତାଧିକାରୀମାନେ ଚାହିଁଲେ ବି ନିୟମିତ ଭାବେ ଜଳ ଟିକସ ଦେଇପାରୁ ନାହାନ୍ତି । ଲୋକଙ୍କ ଉପରେ ଟିକସ ବୋଝ ବଢି ଚାଲିଥିବାରୁ ଆଗାମୀ ଦିନରେ ଏହା କିଭଳି ଆଦାୟ ହେବ ତାହା ଚିନ୍ତାର କାରଣ ହେଲାଣି ।

ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଳ ସାଥୀ ମାନେ କାହା ଅଧିନରେ କାର୍ଯ୍ୟ କରିବେ ତାହାକୁ ନେଇ ଜଳ ଯୋଗାଣ ଦାୟିତ୍ୱରେ ଥିବା ୱାଟ୍‍କୋ ଓ ସୁଡା ଭିତରେ ଟଣାଓଟରା ଚାଲିଛି । ଏହା ଭିତରେ କିନ୍ତୁ ବର୍ଷଟିଏ ବିତି ଗଲାଣି । ଯେଉଁ ମହିଳାମାନେ ଆଗଭର ହୋଇ ଆସି ତାଲିମ ନେଇଥିଲେ ସେମାନେ ବି ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଲେଣି । ଏହା ଫଳରେ ଲୋକଙ୍କୁ ଆକ୍ୱାଗାର୍ଡ ମାନର ଜଳ ଯୋଗାଇବା ସହିତ ଠିକଣା ସମୟରେ ଟିକସ ଆଦାୟ ଓ ଏହା ଜରିଆରେ ସହରୀ ମହିଳା ଗୋଷ୍ଠିଙ୍କୁ ରୋଜଗାର ଦେବାପାଇଁ ଯେଉଁ ଯୋଜନା ହୋଇଥିବା ତାହା ପ୍ରାୟତଃ ଅଧାବାଟରେ ରହିଗଲାଣି । (ତଥ୍ୟ)

LEAVE A REPLY

Please enter your comment!
Please enter your name here