Home News in Odia ଜଳକର ବାକି ୪୯୧୪ କୋଟି ଟଙ୍କା

ଜଳକର ବାକି ୪୯୧୪ କୋଟି ଟଙ୍କା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନ ଉପରେ ବର୍ତ୍ତମାନ ସୁଦ୍ଧା ୪୯୧୪ କୋଟିରୁ ଅଧିକ ଟଙ୍କାର ଜଳକର ବାକିଆ ପଡିଛି । ଅଦାଲତି ମାମଲା ଯୋଗୁଁ ପାଖାପାଖି ୪ହଜାର କୋଟି ଟଙ୍କାର ଜଳକର ଅସୁଲ ହୋଇପାରୁ ନାହିଁ ।

ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ବିଧାନସଭାରେ ବିଧାୟକ ନବ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ବିଭିନ୍ନ ସଂସ୍ଥା ଉପରେ ୪୯୧୪କୋଟି ୫୬ଲକ୍ଷ ଟଙ୍କାର ଜଳକର ବାକି ପଡିଛି । ବକେୟା ଜଳ କର ଆଦାୟ ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ତେବେ କେତେକ ସଂସ୍ଥା ନ୍ୟାୟାଳୟରେ ମାମଲା ରୁଜୁ କରିଥିବାରୁ ୩୮୩୦କୋଟି ୩୭ଲକ୍ଷ ଟଙ୍କାର ଜଳକର ଆଦାୟ ପାଇଁ ବିଚାରାଧିନ ରହିଛି । ଏହାର ଶୀଘ୍ର ଫଏସଲା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିଭଳି ମାମଲା ରୁଜୁ କରିଥିବା ସଂସ୍ଥାମାନଙ୍କ ଠାରୁ ବକେୟା ଜଳକରର ୫୦ ପ୍ରତିଶତ ଆଦାୟ ପାଇଁ ହାଇକୋର୍ଟରେ ମିସ୍‍କେସ୍‍ ରୁଜୁ କରାଯାଇଛି । ବନ୍ଦ ହୋଇଯାଇଥିବା ସଂସ୍ଥାମାନଙ୍କ ଠାରୁ ବକେୟା ଜଳକର ଆଦାୟ ପାଇଁ ପଦକ୍ଷେପ ନେବାକୁ ନିର୍ବାହୀଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଏକାଥରକେ ବାକିଆ ଫଏସଲା ପାଇଁ ବି ପଦକ୍ଷେପ ନିଆଯାଉଛି ।

ତେବେ ମନ୍ତ୍ରୀ ଦେଇଥିବା ସୂଚନାରୁ ଜଣାଯାଇଛି ଯେ ୨୦୧୫-୧୬ ରୁ ଲଗାତାର ଭାବେ ଜଳକର ବାବଦରେ ରାଜ୍ୟ ସରକାର ଧାର୍ଯ୍ୟ କରୁଥିବା ଲକ୍ଷ୍ୟ ପୂରଣ ହେଉନାହିଁ । ୨୦୧୧-୧୨ ରୁ ଲଗାତାର ୪ବର୍ଷ ଧରି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଜଳକର ଆଦାୟ ହେଉଥିବାବେଳେ ଏବେ ଏହା ହ୍ରାସ ପାଇବାରେ ଲାଗିଛି ।

୨୦୧୫-୧୬ ବର୍ଷରେ ସରକାର ୬୫୦କୋଟି ଟଙ୍କାର ଜଳକର ଆଦାୟ ପାଇଁ ଲକ୍ଷ୍ୟ ରଖିଥିବାବେଳେ ଆଦାୟ ହୋଇଥିଲା ୫୯୩କୋଟି ୨୯ଲକ୍ଷ ଟଙ୍କା । ତେବେ ଏହା ପରଠାରୁ ପ୍ରତିବର୍ଷ ୭୫୦କୋଟି ଟଙ୍କାର ଜଳକର ଆଦାୟର ଲକ୍ଷ୍ୟ ଧାର୍ଯ୍ୟ ହେଉଥିବାବେଳେ ଏହା ପୂରଣ ହେଉନାହିଁ । ୨୦୧୭-୧୮ ରୁ ୨୦୧୯-୨୦ ପର୍ଯ୍ୟନ୍ତ ଆଦାୟ ଜଳକର ପରିମାଣ ୬୨୦ କୋଟି ଟଙ୍କା ଟପିନଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ୭୧୫କୋଟି ୮୭ଲକ୍ଷ ଟଙ୍କା ହୋଇଥିଲା । (ତଥ୍ୟ)