Home News in Odia ଜଳକର ପାଇଁ ଅଦାଲତ ଦଉଡୁଛନ୍ତି ସରକାର

ଜଳକର ପାଇଁ ଅଦାଲତ ଦଉଡୁଛନ୍ତି ସରକାର

ଭୁବନେଶ୍ୱର : ସରକାରୀ ସଂସ୍ଥା ଓ କଳ କାରଖାନାକୁ ପାଣି ଯୋଗାଇ ସରକାର ଏବେ ଆଇନ୍‍ ଅଦାଲତରେ ଚକ୍କର କାଟୁଛନ୍ତି । ପାଣି ନେବାପରେ ପ୍ରାପ୍ୟ ଦେବା ବଦଳରେ କେତେକ ବଡ ବହ ସଂସ୍ଥା ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିବାରୁ ଏଭଳି ସ୍ଥିତି ଉପୁଜିଛି ।

ତେବେ ସରକାରଙ୍କ ଜଳ ଦେଉନଥିବା ସଂସ୍ଥା ମଧ୍ୟରେ ଦକ୍ଷିଣପୂର୍ବ ରେଳବାଇ, ପିପିଏଲ୍‍, ସେଲ୍‍, ଓପିଜିସି, ଇଡ୍‍କୋ, ଟାଟା ଷ୍ଟିଲ୍‍, ଜିନ୍ଦଲ ସମେତ ୬ଶହରୁ ଅଧିକ ଛୋଡ ବଡ ସଂସ୍ଥା ରହିଛନ୍ତି । ଏମାନଙ୍କ ମଧ୍ୟରେ କେତେକ ବଡ ବଡ ହୋଟେଲ ବି ରହିଛନ୍ତି ।

ବିଭିନ୍ନ ସଂସ୍ଥା ଉପରେ ରାଜ୍ୟ ସରକାରଙ୍କର ପ୍ରାୟ ୫ହଜାର କୋଟି ଟଙ୍କାର ଜଳକର ବାକି ପଡିଥିବାବେଳେ ଏଥିରେ ସବୁଠାରୁ ଆଗରେ ରହିଛି ଦକ୍ଷିଣପୂର୍ବ ରେଳବାଇ । ଏହି କେନ୍ଦ୍ରୀୟ ସଂସ୍ଥା ଉପରେ ସର୍ବାଧିକ ୪୫୪କୋଟି ୧୩ଲକ୍ଷ ଟଙ୍କା ବାକିଆ ଗଡୁଛି । ସେହିଭଳି ରାଜ୍ୟ ସରକାରଙ୍କ ସଂସ୍ଥା ଓପିଜିସି ଉପରେ ୩୪୪କୋଟି ୪୧ଲକ୍ଷ ଟଙ୍କା ରହିଛି । ସେଲ୍‍ ଉପରେ ୨୨୦ କୋଟି ଟଙ୍କାରୁ ଅଧିକ ଜଳକର ବାକି ପଡିଥିବାବେଳେ ଏନ୍‍ଟିପିସି ଉପରେ ପାଖାପାତ୍କ ୧୫କୋଟି ଟଙ୍କା ବାକି ରହିଛି ।

ବୃହତ୍‍ ଶିଳ୍ପସଂସ୍ଥା ମଧ୍ୟରେ ଟାଟା ଷ୍ଟିଲ୍‍ ଉପରେ ପ୍ରାୟ ୧୮୧ କୋଟି ଟଙ୍କା ବାକିଆ ଗଡୁଥିବାବେଳେ ଜିନ୍ଦଲ ଉପରେ ୧୦୩କୋଟି ୫୨ଲକ୍ଷ, ଶ୍ୟାମ ମେଟାଲିକ ଉପରେ ୧୩୧ କୋଟି ୫୨ଲକ୍ଷ, ଓରିଏଣ୍ଟ ପେପରମିଲ୍‍ ଉପରେ ୨୭୯କୋଟି ୫୭ଲକ୍ଷ, ଏସାର ଷ୍ଟିଲଉପରେ ୧୧କୋଟି ୭୫ଲକ୍ଷ, ଟାଟା ରିଫ୍ରାକ୍ଟରିଜ ଉପରେ ୮୨କୋଟି ୪୭ଲକ୍ଷ ଟଙ୍କାର ବାକିଆ ଗଡୁଛି ।

ତେବେ ଜଳ କର ଦେଉନଥିବା ଏହି ବଡ ବଡ ସରକାରୀ ଓ ବେସରକାରୀ ସଂସ୍ଥାଙ୍କ ମଧ୍ୟରୁ ଅନେକ କିନ୍ତୁ ସରକାରଙ୍କ ବିରୁଦ୍ଧରେ ଅଦାଲତରେ ମାମଲା ରୁଜୁ କରିଛନ୍ତି । ଫଳରେ ଟଙ୍କାଟିଏ ଜଳକର ପାଉନାହାନ୍ତି । ସମ୍ପୃକ୍ତ ସଂସ୍ଥାମାନେ ସୁଧ ପଇସାରେ ମାମଲା ଲଢୁଥିବାବେଳେ ସରକାର କିନ୍ତୁ ଅଦାଲତି ଲଢେଇ ଜାରି ରଖିଛନ୍ତି । କରୋନା ଭଳି ତିରୋଟ ସମୟରେ ବି ଏହି ସଂସ୍ଥାମାନଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ଜଳକର ଆଦାୟ ହୋଇପାରୁ ନାହିଁ ।

ଖାଲି ଶିଳ୍ପସଂସ୍ଥା କିମ୍ବା କେନ୍ଦ୍ରୀୟ ସଂସ୍ଥା ନୁହନ୍ତି ରାଜଧାନୀରେ ବିଳାସପୂର୍ଣ୍ଣ ହୋଟେଲ ଓ କର୍ପୋରେଟ ଡାକ୍ତରଖାନାଗୁଡିକ ମଧ୍ୟ ଲକ୍ଷାଧିକ ଟଙ୍କାର ଜଳକର ପଇଠ କରୁନାହାନ୍ତି । ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସନାଲ ଉପରେ ୨ଲକ୍ଷ ଟଙ୍କାରୁ ଅଧିକ ଜଳକର ବାକି ଥିବାବେଳେ ଟ୍ରାଇଡେଣ୍ଟ ଉପରେ ଲକ୍ଷେରୁ ଅଧିକ ଟଙ୍କା ବାକି ଗଡୁଛି ।

ସୂଚନା ଅନୁଯାୟୀ ବିଭିନ୍ନ ସଂସ୍ଥାଙ୍କ ଠାରୁ ପାଇବାକୁ ଥିବା ପାଖପାଖି ୪ହଜାର କୋଟି ଟଙ୍କାର ଜଳକର ଅଦାଲତି ଲଢେଇ ଯୋଗୁଁ ଅଟକି ରହିଛି । ମାମଲା ରୁଜୁ କରିଥିବା ସଂସ୍ଥାଙ୍କ ଠାରୁ ବାକିଆ ଅର୍ଥର ୫୦ ପ୍ରତିଶତ ଆଦାୟ ପାଇଁ ମିସ୍‍କେସ୍‍ ରୁଜୁ ହୋଇଥିଲେ ମଧ୍ୟ ବାକିଆ ଜଳକର ପରିମାଣ ଦିନକୁ ଦିନ ବଢିବାରେ ଲାଗିଛି । (ତଥ୍ୟ)