Home Finance ଜମା ୪ଲକ୍ଷ କୋଟି : ଋଣ ନୈରାଶ୍ୟଜନକ

ଜମା ୪ଲକ୍ଷ କୋଟି : ଋଣ ନୈରାଶ୍ୟଜନକ

ଭୁବନେଶ୍ୱର : ବ୍ୟାଙ୍କ୍‍ମାନେ ରାଜ୍ୟରୁ ପ୍ରାୟ ୪ଲକ୍ଷ କୋଟି ଟଙ୍କାର ଜମା ସଂଗ୍ରହ କରୁଥିବାବେଳେ ବର୍ଷକୁ ବର୍ଷ ଏହି ପରିମାଣ ବଢି ଚାଲିଛି । ଏତେ ବିପୁଳ ପରିମାଣର ଜମା ସଂଗ୍ରହ କରୁଥିବା ବ୍ୟାଙ୍କ୍‍ମାନେ କିନ୍ତୁ ସରକାରଙ୍କ ଅଗ୍ରାଧିକାର କ୍ଷେତ୍ର କୃଷି ଓ ଲଘୁ ଉଦ୍ୟୋଗକୁ ଋଣ ଦେବାରେ କୁନ୍ଥୁ କୁନ୍ଥୁ ହେଉଛନ୍ତି ।

ସୂଚନା ଅନୁଯାୟୀ ଚଳିତ ବର୍ଷ ଜୁନ୍‍ ସୁଦ୍ଧା ବ୍ୟାଙ୍କ୍‍ମାନେ ପ୍ରାୟ ୪ଲକ୍ଷ କୋଟି ଟଙ୍କାର ଜମା ସଂଗ୍ରହ କରିଥିବାବେଳେ ୨୦୧୮ ବର୍ଷରେ ଜୁନ୍‍ ସୁଦ୍ଧା ଏହି ପରିମାଣ ୩ଲକ୍ଷ କୋଟି ଟଙ୍କାରୁ କମ୍‍ ଥିଲା । ଗତବର୍ଷ ଏହା ପ୍ରାୟ ୩ଲକ୍ଷ ୬୦ହଜାର କୋଟି ଟଙ୍କା ଥିଲା । ପ୍ରତିବର୍ଷ ବ୍ୟାଙ୍କ୍‍ମାନଙ୍କର ଜମା ପରିମାଣ ବଢି ବଢି ଚାଲିଛି ।

ତେବେ ଏତେ ବିପୁଳ ପରିମାଣର ଜମା ସଂଗ୍ରହ କରୁଥିବା ବ୍ୟାଙ୍କ୍‍ମାନେ ଚଳିତବର୍ଷ ଜୁନ୍‍ ସୁଦ୍ଧା କୃଷି କ୍ଷେତ୍ରକୁ ପ୍ରାୟ ୮୧ହଜାର କୋଟି ଟଙ୍କାର ଋଣ ଦେଇଛନ୍ତି । ସେହିଭଳି ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରକୁ ଦେଇଥିବା ଅର୍ଥ ପରିମାଣ ୪୩ହଜାର କୋଟି ଟଙ୍କା ଟପିନାହିଁ ।

ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାବେଳେ ୭୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ । ତେଣୁ ଏ କ୍ଷେତ୍ରକୁ ଅଗ୍ରାଧିକାର ଭିତ୍ତିରେ ଋଣ ଯୋଗାଣ ପାଇଁ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ୍‍କୁ କୁହାଯାଉଛି । ହେଲେ ସମବାୟ ବ୍ୟାଙ୍କ୍‍ ଓ ଗ୍ରାମୀଣ ବ୍ୟାଙ୍କ୍‍ ଠାରୁ କୃଷି ଋଣ ଦେବାରେ ରାଷ୍ଟ୍ରାୟତ ବ୍ୟାଙ୍କ୍‍ମାନେ ପଛରେ ପଡିଛନ୍ତି ।

ସମବାୟ ବ୍ୟାଙ୍କ୍‍ ଯେତିକି ଜମା ସଂଗ୍ରହ କରୁଛନ୍ତି ତାହା ଅପେକ୍ଷା ଅଧିକ ଋଣ ପ୍ରଦାନ କରୁଛନ୍ତି । ଅଥଚ ବ୍ୟବସାୟିକ ବ୍ୟାଙ୍କ୍‍ମାନେ କୃଷି କ୍ଷେତ୍ରକୁ ଅଣଦେଖା କରୁଛନ୍ତି । ସେହିଭଳି ରାଜ୍ୟ କ୍ଷୁଦ୍ର, ଅଣୁ ଓ ଲଘୁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଯୁବ ଉଦ୍ୟୋଗୀମାନେ ଆଗ୍ରହ ପ୍ରକାଶ କରୁଥିବା ଓ ସରକାର ସେମାନଙ୍କୁ ଉତ୍ସାହିତ କରୁଥିବାବେଳେ ବ୍ୟାଙ୍କ୍‍ମାନେ କିନ୍ତୁ ଅର୍ଥ ପ୍ରଦାନ କ୍ଷେତ୍ରରେ ନକରାତ୍ମକ ମନୋଭାବ ପୋଷଣ କରୁଛନ୍ତି ।

ପ୍ରତିଥର ବସୁଥିବା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ରାଜ୍ୟ ସରକାର ଏହି ଅଗ୍ରାଧିକାର କ୍ଷେତ୍ରକୁ ଋଣ ଦେବାପାଇଁ ବ୍ୟାଙ୍କ୍‍ମାନଙ୍କୁ ତାଗିଦ କରୁଥିଲେ ମଧ୍ୟ ସେମାନେ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ସରକାର ବି ବ୍ୟାଙ୍କ୍‍ଗୁଡିକ ବିରୁଦ୍ଧରେ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଉ ନାହିଁ । ଫଳରେ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ୍‍ମାନେ ଗାଡି ଓ ଘର ଋଣ ଦେବାପାଇଁ ଯେତେ ଆଗ୍ରହ ପ୍ରକାଶ କରୁଛନ୍ତି କୃଷି ଓ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ର ପ୍ରତି ସେହି ପରିମାଣରେ ଆଗ୍ରହ ଦେଖାଉ ନାହାନ୍ତି ।

କେବଳ ବିପୁଳ ଜମା ସଂଗ୍ରହ କରି ସରକାରଙ୍କ ଅଗ୍ରାଧିକାର କ୍ଷେତ୍ରକୁ ଋଣ ଯୋଗାଣରେ ଅବହେଳା କରୁନାହାନ୍ତି, ଏକାଧିକ ଜିଲ୍ଲାକୁ ବି ଋଣ ପ୍ରଦାନରେ ଅଣଦେଖା କରୁଛନ୍ତି । ସୂଚନା ଅନୁଯାୟୀ ରାଜ୍ୟର ୬ଟି ଜିଲ୍ଲା ଋଣ ପାଇବା କ୍ଷେତ୍ରରେ ସବୁଠାରୁ ପଛରେ ପଡିଛନ୍ତି ।

ଋଣ ପ୍ରଦାନରେ ଅବହେଳା ଭଳି ଶାଖା ଖୋଲିବାରେ ବି ବ୍ୟାଙ୍କ୍‍ମାନେ ଉଦାସୀନ । ୨୦୧୮ ଜୁନ୍‍ ସୁଦ୍ଧା ରାଜ୍ୟରେ ୫୧୦୬ଟି ବ୍ୟାଙ୍କଶାଖା ଥିବାବେଳେ ଚଳିତ ବର୍ଷ ଜୁନ୍‍ ସୁଦ୍ଧା ଏହା ମାତ୍ର ୫୫୨୧ରେ ପହଞ୍ଚିଛି । ସେହିଭଳି ଏଟିଏମ୍‍ ସ୍ଥାପନ ଅବସ୍ଥା । ୨୦୧୮ ଜୁନ୍‍ ସୁଦ୍ଧା ରାଜ୍ୟରେ ୬୭୧୬ଟି ଏଟିଏମ୍‍ ବସିଥିବାବେଳେ ଚଳିତବର୍ଷ ଜୁନ୍‍ସୁଦ୍ଧା ଏହା ୭୧୨୪ରେ ପହଞ୍ଚିଛି । ରାଜ୍ୟ ସରକାର ଅପହଞ୍ଚ ଇଲାକାରେ ବ୍ୟାଙ୍କ୍‍ ଶାଖା ଖୋଲିବା ସହିତ ଅଧିକରୁ ଅଧିକ ଏଟିଏମ୍‍ ସ୍ଥାପନ ପାଇଁ ଯେତେ ପ୍ରକାର ଅନୁରୋଧ କଲେ ବି ବ୍ୟାଙ୍କ୍‍ମାନେ ଏହାକୁ ଖାତିର କରୁନଥିବା ଦେଖିବାକୁ ମିଳୁଛି । (ତଥ୍ୟ)