Home Health ଜବାନଙ୍କୁ ସଚେତନ କଲେ ସମ୍ମମ୍ ମାନସିକ ବିଶେଷଜ୍ଞଙ୍କ

ଜବାନଙ୍କୁ ସଚେତନ କଲେ ସମ୍ମମ୍ ମାନସିକ ବିଶେଷଜ୍ଞଙ୍କ

ଭୁବନେଶ୍ୱର : କାର୍ଯ୍ୟ କ୍ଷେତ୍ରରେ ଚାପଗ୍ରସ୍ତ ବ୍ୟକ୍ତି କିଭଳି ମାନସିକ ସନ୍ତୁଳନ ରଖିପାରିବେ ସେ ସମ୍ପର୍କରେ ସେଂଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (ସିଆର୍‌ପିଏଫ୍‌) ଜବାନ ମାନଙ୍କୁ ମାନସିକ ରୋଗ ବିଭାଗର ବିଶେଷଜ୍ଞ ତଥା ସମ୍ ଅଲ୍ଟିମେଟ୍ ମେଡିକେୟାରର ଭିଜିଟିଙ୍ଗ କନ୍‌ସଲ୍‌ଟାଂଟ ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ସଚେତନ କରାଇଛନ୍ତି ।

ଗତ ଡିସେମ୍ବର ୧୩ ତାରିଖ ଭୁବନେଶ୍ୱର ସ୍ଥିତ ସିଆର୍‌ପିଏଫ୍ କ୍ୟାମ୍ପସ୍‌ରେ ଜବାନ୍‌ମାନେ ମାନସିକ ଚାପରୁ କିପରି ମୁକ୍ତି ପାଇପାରିବେ ସେ ବିଷୟରେ ସମ୍ମମ୍ ପକ୍ଷରୁ ଏକ ସେମିନାର୍ ଆୟୋଜନ କରାଯାଇଥିଲା । ଏଥିରେ ମାନସିକ ଚାପ ଏବଂ କାର୍ଯ୍ୟ କ୍ଷେତ୍ରରେ କିପରି ସନ୍ତୁଳନ ରଖାଯାଇପାରିବ ସେ ସମ୍ପର୍କରେ ପ୍ରଫେସର ମିଶ୍ର ଅବଗତ କରାଇଥିଲେ ।

ଅବସାଦଗ୍ରସ୍ତ ହୋଇ ଭାରତରେ ପ୍ରତି ୪ ମିନିଟ୍‌ରେ କେହି ଜଣେ ଆତ୍ମହତ୍ୟା କରୁଛନ୍ତି ବୋଲି ସେ ପ୍ରକାଶ କରି ସିଆର୍‌ପିଏଫ୍ ଜବାନ ମାନଙ୍କ କାର୍ଯ୍ୟଶୈଳୀ, ମାଓବାଦୀ ମାନଙ୍କ ସହ କମ୍ବିଂ ଅପରେସନ୍ ସମୟରେ ଉପୁଜୁଥିବା ମାନସିକ ଚାପ, ସୀମାରେ ଡ୍ୟୁଟି କଲାବେଳେ ଜବାନ୍ ଏବଂ ଘରେ ଥିବା ସେମାନଙ୍କ ପତ୍ନୀ ଏବଂ ପରିବାର ଅନୁଭବ କରୁଥିବା ଅତ୍ୟଧିକ ଚାପ ଉପରେ ଆଲୋଚନା କରାଥିଲେ । ମାନସିକ ଚାପ ଯୋଗୁଁ ମଧୁମେହ, ଉଚ୍ଚ ରକ୍ତଚାପ, ନିଦ୍ରାହୀନତା, ହୃଦଘାତ ଭଳି ମାରାତ୍ମକ ରୋଗ ହୋଇଥାଏ ବୋଲି ସେ କହିଥିଲେ ।

ଏଭଳି ମାନସିକ ଚାପରୁ ଦୂରେଇ ରହିବା ନିମନ୍ତେ ସିଆର୍‌ପିଏଫ୍ ଜବାନ ମାନଙ୍କୁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପ୍ରଫେସର ମିଶ୍ର ଉପଦେଶ ଦେଇଥିଲେ । ଦୈନନ୍ଦିନ ନିଜ ପାଇଁ ଅତିକମ୍‌ରେ ୧ ଘଂଟା ସମୟ ଦେବା ଉଚିତ୍ । ସେହି ଏକ ଘଂଟା ସମୟରେ ଯୋଗ କରିବା, ଚାଲିବା, ସାଇକେଲ୍ ଚଲାଇବା, ଜିମ୍ ଯାଇ ବ୍ୟାୟାମ କରିବା, ଗୀତ ଶୁଣିବା କିମ୍ବା ଯାହା ନିଜକୁ ଭଲ ଲାଗେ ତାହା କରିବା ଉଚିତ୍ । ସେହିପରି ଠିକ୍ ସମୟରେ ଶୋଇବା ସହ ୬ ଘଂଟାରୁ କମ୍ କିମ୍ବା ୮ ଘଂଟାରୁ ଅଧିକ ଶୋଇବା ଆବଶ୍ୟକ ନୁହେଁ ବୋଲି ସେ କହିଥିଲେ ।

ଅତୀତକୁ ନେଇ ଦୁଃଖ କିମ୍ବା ଭବିଷ୍ୟତକୁ ନେଇ ଚିନ୍ତା ନ କରି ବର୍ତମାନ ବିଷୟରେ ଚିନ୍ତା କରି ପରିବାର ସହ ସମୟ ବିତାଇବା ଆବଶ୍ୟକ । ବହୁତ ବ୍ୟସ୍ତ ଥିଲେ ମଧ୍ୟ ସପ୍ତାହରେ ଥରେ ବାହାରକୁ ବୁଲିବାକୁ ଯିବା ଦରକାର । ଯେତେବେଳେ କୌଣସି ସମସ୍ୟାର ସମାଧାନ ମିଳୁନି, ଆତ୍ମହତ୍ୟା କରିବା ଏହାର ସମାଧାନ ନୁହେଁ । ନିଜର ସମସ୍ୟାକୁ ଯିଏ ଶୁଣିବ ତାଙ୍କୁ କହିବା ଦରକାର ବା ଆବଶ୍ୟକ ହେଲେ ମାନସିକ ବିଶେଷଜ୍ଞଙ୍କ ସହାୟତା ନେବା ଉଚିତ ବୋଲି ପ୍ରଫେସର ମିଶ୍ର କହିଛନ୍ତି ।

ସମ୍ମମ୍ ଓ ସିଆର୍‌ପିଏଫ୍‌, ଭୁବନେଶ୍ୱରର ମିଳିତ ସହଯୋଗିତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମକୁ ସିଆର୍‌ପିଏଫ୍ ଡିଆଇଜି ଡଃ ଏସ୍‌. ସୁଜାତା ଉଦ୍‌ଘାଟନ କରିଥିଲେ । ସିଆରପିଏଫ୍ କମ୍ପୋଜିଟ୍ ହସ୍ପିଟାଲ୍ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଆର୍‌ପିଏଫ୍ କମ୍ପୋଜିଟ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ସୁଦୀପ୍ କୁମାର ମଧ୍ୟ ଯୋଗ ଦେଇଥିଲେ । ପ୍ରାୟ ୬୦୦ରୁ ଅଧିକ ସିଆରପିଏଫ୍ ଜବାନ ଉଭୟ ଭର୍ଚୁଆଲ ଓ ସିଧାସଳଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଡାକ୍ତରଙ୍କ ଠାରୁ ସଚେତନତାର ବାର୍ତା ନେଇଥିଲେ ।