Home News in Odia ଜବରଦଖଲକାରୀଙ୍କ କବଳରେ ଶ୍ରୀମନ୍ଦିର ଭୂସମ୍ପତ୍ତି

ଜବରଦଖଲକାରୀଙ୍କ କବଳରେ ଶ୍ରୀମନ୍ଦିର ଭୂସମ୍ପତ୍ତି

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଯେତେ ପରିମାଣର ଭୂସମ୍ପତ୍ତି ରହିଛି ସେଥିରୁ ୨୦ ହଜାର ଏକରରୁ ଅଧିକ ସମ୍ପତ୍ତିର ସଂଶୋଧିତ ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ । ଯେତିକି ଜମିର ବି ସତ୍ତ୍ୱଲିପି ରହିଛି ସେଗୁଡିକର ଦାମ୍‍ କେତେ ତାହା ବି କଳନା କରାଯାଉ ନାହିଁ ଏବଂ ଏହି ଜମି ମଧ୍ୟରୁ ଅଧିକାଂଶ ଜବରଦଖଲରେ ରହିଥିବା ଯୋଗୁଁ ରାଜଭାଗ ବାବଦରେ ଶ୍ରୀମନ୍ଦିର ପ୍ରଶାସକ ବର୍ଷକୁ ଦେଢ଼ କୋଟି ଟଙ୍କା ମଧ୍ୟ ପାଉନାହିଁ ।

ଦେବସ୍ୱ, ବ୍ରହ୍ମସ୍ୱ ଓ ସର୍ବହରାଙ୍କ ସମ୍ପତ୍ତି ଲୁଟ୍‍ କରିବା ଅକ୍ଷମଣୀୟ ପାପ ବୋଲି ଧର୍ମଶାସ୍ତ୍ରରେ କୁହାଯାଉଥିବା ବେଳେ ଓଡ଼ିଆ ଜାତୀୟତାର ପରିଚିତି ଶ୍ରୀଜଗନ୍ନାଥଙ୍କ ସମେତ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ହଜାର ହଜାର ଏକର ଦେବୋତ୍ତର ସମ୍ପତ୍ତି ଏବେ ଜବରଦଖଲକାରୀଙ୍କ କବ୍‍ଜାରେ ।

ଦଳମତ ନିର୍ବିଶେଷରେ ବହୁ ରାଜନେତାଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ପୃଷ୍ଠପୋଷକତାରେ ଶ୍ରୀଜଗନ୍ନାଥ, ଶ୍ରୀ ଲିଙ୍ଗରାଜଙ୍କ ସମେତ ଅନ୍ୟ ଦେବାଦେବୀମାନଙ୍କ ସମ୍ପତ୍ତି ହଡପ ହେଉଥିବା ବେଳେ ତାହାକୁ ଉଦ୍ଧାର କରିବା ପାଇଁ ଦୃଢ଼ ରାଜନୈତିକ ଓ ପ୍ରଶାସନିକ ଇଚ୍ଛା ଶକ୍ତିର ଅଭାବ ପରିଲକ୍ଷିତ ହେଉଛି ।

ଓଡ଼ିଶାର ୨୩ଟି ଜିଲ୍ଲାରେ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୬୦,୪୧୦ ଏକର ପରିମିତ ଭୂସମ୍ପତ୍ତି ଚିହ୍ନିତ ହୋଇଥିବା ବେଳେ ଏଥିରୁ ୨୫ ହଜାର ଏକରରୁ ଅଧିକ ପରିମାଣ ଜମିର ସଂଶୋଧିତ ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇପାରୁ ନାହିଁ । ରାଜ୍ୟ ଭିତରେ ଶ୍ରୀଜଗନ୍ନାଥଙ୍କର ସର୍ବାଧିକ ପାଖାପାଖି ୩୦ ହଜାର ଏକର ଜମି ଖୋର୍ଦ୍ଧା ଜିଲ୍ଲାରେ ରହିଥିବା ବେଳେ ପୁରୀ ଜିଲ୍ଲାରେ ରହିଛି ୧୭ ହଜାରରୁ ଅଧିକ ଏକର ସମ୍ପତ୍ତି ।

କଟକ, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାରେ ହାରାହାରି ୩ ହଜାର ଏକର ଜମି ଶ୍ରୀଜଗନ୍ନାଥଙ୍କର ରହିଥିବା ବେଳେ ଅନୁଗୁଳରେ ୧୧୭, ଢ଼େଙ୍କାନାଳରେ ୨୧୪, ବାଲେଶ୍ୱରରେ ୮୬୭, କେନ୍ଦ୍ରାପଡାରେ ୧୧୭୬, ଯାଜପୁରରେ ୮୩୬, ଜଗତସିଂହପୁରରେ ୭୦୧ ଓ ନୟାଗଡ ଜିଲ୍ଲାରେ ୨୬୯ ଏକର ଜମି ରହିଛି । ସମ୍ବଲପୁର, ବଲାଙ୍ଗୀର, ଗଜପତି, ରାୟଗଡା, କୋରାପୁଟ, ସୁବର୍ଣ୍ଣପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ ଓ କଳାହାଣ୍ଡି ଜିଲ୍ଲାରେ ୧୦୦ ଏକରରୁ କମ୍‍ କରି ପରିମାଣର ଭୂସମ୍ପତ୍ତି ଶ୍ରୀମନ୍ଦିର ନାମରେ ରହିଛି ।

ଏହାଛଡା ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଓ ଛତିଶଗଡ ଭଳି ୬ଟି ରାଜ୍ୟରେ ପୁରୀ ଶ୍ରୀମନ୍ଦିରର ପ୍ରାୟ ୪୦୦ ଏକର ପାଖାପାଖି ପରିମିିତ ଜମି ଚିହ୍ନିତ ହୋଇଥିବା ବେଳେ ଏଥିରୁ ବି ଅଧିକାଂଶ ଜବରଦଖଲକାରୀଙ୍କ କବ୍‍ଜାରେ ।

ନିୟମିତ ବ୍ୟବଧାନରେ ପ୍ରଚଳିତ ବେଞ୍ଚମାର୍କ ମୂଲ୍ୟ ବୃଦ୍ଧି ପାଉଥିବାରୁ ଶ୍ରୀଜଗନ୍ନାଥଙ୍କ ମୋଟ ଭୂସମ୍ପତ୍ତିର ମୂଲ୍ୟ କେତେ ହେବ ସେ ସଂକ୍ରାନ୍ତରେ ସରକାର ମଧ୍ୟ ହିସାବ କରିପାରୁ ନାହାନ୍ତି । ତେବେ ଶ୍ରୀମନ୍ଦିର ଜମିରେ ଯେଉଁ ଭାଗଚାଷୀମାନେ ଚାଷ କାର୍ଯ୍ୟ କରୁଛନ୍ତି ସେମାନଙ୍କଠାରୁ ବାର୍ଷିକ ରାଜଭାଗ ଆକାରରେ ପ୍ରାୟ କୋଟିଏ ଟଙ୍କା ସଂଗ୍ରହ କରାଯାଉଛି ।

ଏହାଛଡା ପଥରଖଣି ଆଦି ବି ରହିଛି । ଦିଅଁଙ୍କୁ ଖାଇ ଖଟୁଲି ଖାଇବା ନୀତିରେ ଶ୍ରୀମନ୍ଦିର ସମ୍ପତ୍ତିର ଜବରଦଖଲ ବଢ଼ି ଚାଲୁଥିବା ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲାରେ ତହସିଲଦାରମାନଙ୍କ ନିକଟରେ ଜବରଦଖଲ ମାମଲା କର୍ତ୍ତୃପକ୍ଷ ରୁଜୁ କରିବାକୁ ବାଧ୍ୟ ହେଉଛନ୍ତି । ଏବେ ଏଭଳି ମାମଲା ସଂଖ୍ୟା ୩୦୦ ଅଧିକ ଥିବା କଥା କୁହାଯାଉଛି ।

୧୯୯୯ରୁ ୨୦୧୬ ମଧ୍ୟରେ ଶ୍ରୀମନ୍ଦିରର ପ୍ରାୟ ୩୦୦ ଏକର ପରିମିତ ଜମି ବିକ୍ରି କରାଯାଇ ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ମନ୍ଦିର ଆକାଉଣ୍ଟକୁ ଅଣାଯାଇଛି । ଭୂସମ୍ପତ୍ତି ବ୍ୟତୀତ ଶ୍ରୀମନ୍ଦିରର ମଧ୍ୟ ପ୍ରଚୁର ପରିମାଣର ସମ୍ପତ୍ତି ବାହାର ଓ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅଛି । ତେବେ ପ୍ରାୟ ୪୪ ବର୍ଷ ଧରି ଭିତର ରତ୍ନଭଣ୍ଡାରରେ ମହଜୁଦ ଥିବା ସାମଗ୍ରୀର ହିସାବ ନିକାସ କରାଯାଇନାହିଁ ।

୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସମ୍ପଦର ସୁମାରି କରାଯାଇଥିଲା । ଗୋଟିଏପଟେ ୪୪ ବର୍ଷ ଧରି ରତ୍ନଭଣ୍ଡାର ସମ୍ପତ୍ତିର ଯାଞ୍ଚ କରାନଯିବା ବେଳେ ଅନ୍ୟପଟେ ରତ୍ନଭଣ୍ଡାରର ଚାବି ହଜି ପୁରୀ ଜିଲ୍ଲାପାଳଙ୍କ ରେକର୍ଡ ରୁମ୍‍ରୁ ମିଳିବା ଏବଂ ସରକାର ଚାବି ହଜା ବ୍ୟାପାରରେ କମିଶନ ନିଯୁକ୍ତି କରିବା ଘଟଣା ଏବେ ବି ଲୋକଙ୍କ ମନରୁ ସନ୍ଦେହ ଦୂର କରିପାରୁ ନାହିଁ । (ତଥ୍ୟ)