Home Cooperation ଜନ ଔଷଧି କେନ୍ଦ୍ର ଖୋଲିବାକୁ ପାକ୍‍ସକୁ ଅନୁମତି

ଜନ ଔଷଧି କେନ୍ଦ୍ର ଖୋଲିବାକୁ ପାକ୍‍ସକୁ ଅନୁମତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ୨୦୦୦ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପାକ୍‍ସ) କୁ ସାରା ଦେଶରେ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ଲାଗି ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ସହିତ ରସାୟନିକ ଓ ସାର ମନ୍ତ୍ରୀ ଶ୍ରୀ ମନସୁଖ ଏସ ମାଣ୍ଡଭୀୟଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ସାରା ଦେଶରେ ୨୦୦୦ ପାକ୍‍ସ ଚିହ୍ନଟ ହେବ । ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୧୦୦୦ଟି ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଏବଂ ଆଉ ୧୦୦୦ଟି ଡିସେମ୍ବର ସୁଦ୍ଧା ଖୋଲିବ ।

ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କେବଳ ପାକ୍‍ସ ର ଆୟ ବୃଦ୍ଧି କିମ୍ବା ରୋଜଗାରର ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଲୋକଙ୍କୁ ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ସୁଲଭ ଦରରେ ଔଷଧ ଉପଲବ୍ଧ କରାଇବ । ସମବାୟ ମନ୍ତ୍ରଣାଳୟର ସଚିବ, ରସାୟନିକ ଏବଂ ସାର ବିଭାଗର ସଚିବ ଏବଂ ସମବାୟ ମନ୍ତ୍ରଣାଳୟ ତଥା ରସାୟନିକ ଏବଂ ସାର ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୯୪୦୦ ରୁ ଅଧିକ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲାଯାଇଛି । ଏହି ଜନ ଔଷଧି କେନ୍ଦ୍ରରେ ୧୮୦୦ ପ୍ରକାରର ଔଷଧ ଏବଂ ୨୮୫ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଉପଲବ୍ଧ ହେଉଛି । ବ୍ରାଣ୍ଡେଡ୍ ଔଷଧ ତୁଳନାରେ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରରେ ୫୦% ରୁ ୯୦% କମ୍ ହାରରେ ଔଷଧ ଉପଲବ୍ଧ । ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବାକୁ ବ୍ୟକ୍ତିଗତ ଆବେଦନକାରୀଙ୍କ ଯୋଗ୍ୟତା ମାନଦଣ୍ଡ ହେଉଛି ଡି ଫାର୍ମା / ବି ଫାର୍ମା । ଯେକୌଣସି ସଂସ୍ଥା, ଏନଜିଓ, ସେବା ସଂଗଠନ ଏବଂ ଡାକ୍ତରଖାନା ବି ଫାର୍ମା / ଡି ଫାର୍ମା ଡିଗ୍ରୀଧାରୀଙ୍କୁ ନିଯୁକ୍ତ କରି ଏଥିପାଇଁ ଆବେଦନ କରିପାରିବେ ।

ପ୍ରଧାନ ମନ୍ତ୍ରୀ ଭାରତୀ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ଅତି କମରେ ୧୨୦ ବର୍ଗଫୁଟ ଜାଗା ଘରୋଇ ମାଲିକାନା କିମ୍ବା ଭଡାରେ ଉପଲବ୍ଧ ହେବା ଆବଶ୍ୟକ । ଜନ ଔଷଧି କେନ୍ଦ୍ର ପାଇଁ ଆବେଦନ ଶୁଳ୍କ ହେଉଛି ୫୦୦୦ ଟଙ୍କା । ମହିଳା ଉଦ୍ୟୋଗୀ, ଦିବ୍ୟାଙ୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପୂର୍ବତନ ସେନା କର୍ମଚାରୀମାନେ ସ୍ୱତନ୍ତ୍ର ବର୍ଗ ଅଧୀନରେ ଆସୁଛନ୍ତି । ଆକାଂକ୍ଷା ଜିଲ୍ଲା, ହିମାଳୟ ପର୍ବତ୍ୟାଞ୍ଚଳ, ଉତ୍ତର-ପୂର୍ବ ରାଜ୍ୟ ଏବଂ ଦ୍ୱୀପପୁଞ୍ଜ ଆଦି ସ୍ୱତନ୍ତ୍ର ଅଞ୍ଚଳ ବର୍ଗରେ ଆସୁଛି । ସ୍ୱତନ୍ତ୍ର ବର୍ଗ ଏବଂ ସ୍ୱତନ୍ତ୍ର ଅଞ୍ଚଳର ଆବେଦନକାରୀଙ୍କ ପାଇଁ ଆବେଦନ ଶୁଳ୍କରେ ଛାଡ ବ୍ୟବସ୍ଥା ରହିଛି ।

ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ପାଇଁ ପ୍ରୋତ୍ସାହନ ରାଶି ହେଉଛି ୫ ଲକ୍ଷ ଟଙ୍କା (ମାସିକ କ୍ରୟର ୧୫% କିମ୍ବା ମାସିକ ସର୍ବାଧିକ ୧୫,୦୦୦ ଟଙ୍କା) । ସ୍ୱତନ୍ତ୍ର ବର୍ଗ ଏବଂ ସ୍ୱତନ୍ତ୍ର ଅଞ୍ଚଳ କ୍ଷେତ୍ରରେ ଆଇଟି ଏବଂ ଭିତ୍ତିଭୂମି ପାଇଁ ଫେରସ୍ତ ପରିଶୋଧ ବାବଦରେ ୨ଲକ୍ଷ ଟଙ୍କାର ଏକ କାଳୀନ ଅତିରିକ୍ତ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ ।