Home General ଜନସଂଖ୍ୟା ୫କୋଟି ଟପିଯିବ

ଜନସଂଖ୍ୟା ୫କୋଟି ଟପିଯିବ

ଭୁବନେଶ୍ୱର : ଓଡିଶାରେ ଜନସଂଖ୍ୟା ଯେଭଳି ବଢି ଚାଲିଛି ସେହି ହାର ଅବ୍ୟାହତ ରହିଲେ ୨୦୨୭ ବେଳକୁ ଏହା ୫କୋଟିକୁ ଟପିଯାଇପାରେ । ୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ୧୯୪୯ ଓ ୧୯୫୦ମସିହାରେ ଗଡଜାତ ମିଶ୍ରଣ ହୋଇଥିଲା । ଏହାପରେ ୧୯୫୧ରେ ହୋଇଥିବା ଜନଗଣନା ବେଳକୁ ରାଜ୍ୟର ଜନସଂଖ୍ୟା ଏକ କୋଟି ୪୬ଲକ୍ଷ ଥିଲା । ସେତେବେଳେ ୧୦ବର୍ଷରେ ରାଜ୍ୟର ଜନସଂଖ୍ୟା ଅଭିବୃଦ୍ଧି ହାର ୬.୩୮ ପ୍ରତିଶତ ରହିଥିଲା ।

ତେବେ ୧୯୬୧ରେ ହୋଇଥିବା ଜନଗଣନା ବେଳକୁ ୧୦ବର୍ଷରେ ଅଭିବୃଦ୍ଧି ହାର ୧୯.୮୨ ପ୍ରତିଶତ ରେକର୍ଡ କରାଯାଇ ରାଜ୍ୟର ଜନସଂଖ୍ୟା ଏକ କୋଟି ୭୫ଲକ୍ଷ ବୋଲି ସୁମାରି କରାଯାଇଥିଲା । ୧୯୭୧ର ଜନଗଣନା ବେଳକୁ ରାଜ୍ୟର ଜନସଂଖ୍ୟା ୨କୋଟି ୧୯ଲକ୍ଷକୁ ଟପିଥିବାବେଳେ ୧୦ବର୍ଷର ଅଭିବୃଦ୍ଧି ହାର ସର୍ବାଧିକ ୨୫.୦୫ ପ୍ରତିଶତ ରେକର୍ଡ କରାଯାଇଥିଲା । ସେତେବେଳେ ଦେଶର ଜନସଂଖ୍ୟା ୫୪କୋଟି ୮୨ଲକ୍ଷ ଥିଲା ଏବଂ ଜାତୀୟ ସ୍ତରରେ ଜନସଂଖ୍ୟା ଅଭିବୃଦ୍ଧି ହାର ୨୪.୮୦ ପ୍ରତିଶତ ରହିଥିଲା ।

୧୯୮୧ର ଜନଗଣନ ବେଳକୁ ଓଡିଶାର ଲୋକସଂଖ୍ୟା ୨କୋଟି ୬୪ଲକ୍ଷ ଓ ୧୯୯୧ ବେଳକୁ ୩କୋଟି ୭୦ଲକ୍ଷରେ ପହଞ୍ଚିଥିଲା । ଏହି ଦୁଇଟି ଜନଗଣନାରେ ଓଡିଶାର ୧୦ବର୍ଷରେ ଜନସଂଖ୍ୟା ଅଭିବୃଦ୍ଧି ହାର ୨୦ ପ୍ରତିଶତରୁ ଅଧିକ ରହିଥିଲା । ୨୦୦୧ ବର୍ଷ ବେଳକୁ ଭାରତର ଜନସଂଖ୍ୟା ୧୦୦ କୋଟିକୁ ଟପି ୧୦୩ କୋଟି ପାଖାପାଖି ପହଞ୍ଚି ଥିବାବେଳେ ଓଡିଶାର ଜନସଂଖ୍ୟା ୩କୋଟି ୬୭ଲକ୍ଷରେ ସୀମିତ ରହିଥିଲା ।

୨୦୧୧ ଜନଗଣନା ବେଳକୁ ଓଡିଶାରେ ୪କୋଟି ୧୯ଲକ୍ଷ ଲୋକ ଥିବାବେଳେ ଭାରତର ଜନସଂଖ୍ୟା ୧୨୧କୋଟି ୮ଲକ୍ଷ ରହିଥିଲା । ଏହି ଜନଗଣନାର ହିସାବ ମୁତାବକ ୧୦ବର୍ଷରେ ଓଡିଶାରେ ଜନସଂଖ୍ୟାର ଅଭିବୃଦ୍ଧି ହାର ୧୪.୦୫ ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ଏହା ୧୭.୭୨ ପ୍ରତିଶତ ରହିଥିଲା । ମୋଟାମୋଟି ଭାବେ ୧୯୮୧ ମସିହାରୁ ଏଯାବତ୍‍ ଦେଶର ଜନସଂଖ୍ୟା ଅଭିବୃଦ୍ଧି ହାର ଓଡିଶା ଠାରୁ ଢେର ଅଧିକ ରହିଆସୁଛି ।

୨୦୨୧ରୁ ଆରମ୍ଭ ହୋଇଥିବା ଜନଗଣନା ପ୍ରକ୍ରିୟା କୋଭିଡ କଟକଣା ଯୋଗୁଁ ଗୁରୁତର ଭାବେ ବ୍ୟାହତ ହୋଇଥିଲେ ବି ଏବେ ପୁଣି ଏ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଛି । ସରକାରୀ ଅନୁମାନ ମୁତାବକ ୨୦୨୦ ସୁଦ୍ଧା ଦେଶର ଜନସଂଖ୍ୟା ୧୩୮କୋଟି ୪୫ଲକ୍ଷ ଟପିବାକୁ ଯାଉଥିବାବେଳେ ଓଡିଶାର ଜନସଂଖ୍ୟା ୪କୋଟି ୬୬ଲକ୍ଷ ହୋଇଥାଇପାରେ । ତେବେ ଏ ପ୍ରସଙ୍ଗରେ ସଠିକ୍‍ ତଥ୍ୟ ଘର ଘର ବୁଲି ଜନଗଣନା କରାଯିବାପରେ ଜଣାପଡିବ ।

ବିଭିନ୍ନ ଜନଗଣନାର ତଥ୍ୟ ମୁତାବକ ଜାତୀୟ ସ୍ତରରେ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟା ୨୩ ପ୍ରତିଶତରୁ କମ୍‍ ଥିବାବେଳେ ଓଡିଶାରେ ଏହା ୩୯ ପ୍ରତିଶତରୁ ଅଧିକ ରହିଛି । ଏହି ଦୁଇଟି ବର୍ଗ ଆର୍ଥିକ ଦୃଷ୍ଟିରୁ ବହୁ ପଛୁଆ ଥିବା ଓଡିଶା ଅନଗ୍ରସରତାର ଅନ୍ୟତମ କାରଣ ବୋଲି ଅର୍ଥନୀତି ବିଶାରଦମାନେ କହୁଛନ୍ତି । ତେବେ ଲଗାତାର ଭାବେ ଏସିସି ଓ ଏସ୍‍ଟି ବର୍ଗଙ୍କ ଉତ୍‍ଥାନ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାରୁ ଏହାର ଦୀର୍ଘମିଆଦୀ ଫଳ କିଛିବର୍ଷ ପରେ ଦେଖିବାକୁ ମିଳିପାରେ ।

ତେବେ ଓଡିଶାର ଜନସଂଖ୍ୟା ୫କୋଟି ଆଡକୁ ମୁହାଁଉଥିବାବେଳେ ଲୁଣ ଠାରୁ ଆରମ୍ଭ କରି ଚିନି, କପଡା, ଔଷଧ ଓ ଅନ୍ୟାନ୍ୟ ବହୁ ସାମଗ୍ରୀ ପାଇଁ ଓଡିଶା ଅନ୍ୟ ରାଜ୍ୟମାନଙ୍କ ଉପରେ ନିର୍ଭର କରୁଥିବାରୁ ରାଜ୍ୟରୁ ବିପୁଳ ପରିମାଣର ଅର୍ଥ ଓ ମାନବସମ୍ବଳ ବରବାଦ ହେଉଛି ବୋଲି ଯୋଜନା ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । (ତଥ୍ୟ)