Home Banking ପିଏମ୍‍ଇଜିପିକୁ ଋଣ ଦେବାକୁ ଘରୋଇ ବ୍ୟାଙ୍କ୍‍ ଅମଙ୍ଗ

ପିଏମ୍‍ଇଜିପିକୁ ଋଣ ଦେବାକୁ ଘରୋଇ ବ୍ୟାଙ୍କ୍‍ ଅମଙ୍ଗ

ଭୁବନେଶ୍ୱର : ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ପିଏମ୍‍ଇଜିପି) ଏକ ଅଗ୍ରଗାମୀ ଯୋଜନା ହୋଇଥିବାବେଳେ ରାଜ୍ୟରେ ବ୍ୟବସାୟ କରୁଥିବା ଅଧିକାଂଶ ଘରୋଇ ବ୍ୟାଙ୍କ୍‍ ଏଥିରେ ଋଣ ଯୋଗାଇବାକୁ ବିମୁଖ । ଏହି ଯୋଜନାରେ ଋଣ ପ୍ରଦାନ ପାଇଁ ସେମାନଙ୍କ ଲାଗି ଯେଉଁ ଲକ୍ଷ୍ୟଧାର୍ଯ୍ୟ ହେଉଛି ସେଥିରୁ ଗୋଟିଏ ହେଲେ ବି ପୂରଣ କରୁ ନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ୨୦୨୧-୨୨ ବର୍ଷରେ ରାଜ୍ୟରେ ପିଏମ୍‍ଇଜିପି ଯୋଜନାରେ ଋଣ ଯୋଗାଣ ମାଧ୍ୟମରେ ୬୦୦୦ ଉଦ୍ୟୋଗ ପ୍ରତିଷ୍ଠାପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ପ୍ରତିଷ୍ଠା ହୋଇଛି ୫୧୧୩ଟି ଉଦ୍ୟୋଗ । ତେବେ ଏଥିରେ ବଡ ବଡ ରାଷ୍ଟ୍ରାୟତ ବ୍ୟାଙ୍କ୍‍ର ଯୋଗଦାନ ଅଧିକ ରହିଛି । ଭାରତୀୟ ଷ୍ଟେଟବ୍ୟାଙ୍କ୍‍, ପଞ୍ଜାବ ନେସନାଲ ବ୍ୟାଙ୍କ୍‍, କାନାରା ବ୍ୟାଙ୍କ୍‍ ଭଳି ରାଷ୍ଟ୍ରାୟତ ବ୍ୟାଙ୍କ୍‍ ଗୁଡିକ ଧାର୍ଯ୍ୟ ଲକ୍ଷ୍ୟର ଶତ ପ୍ରତିଶତରୁ ଅଧିକ ୟୁନିଟ୍‍କୁ ଅର୍ଥ ଯୋଗାଇଛନ୍ତି । ଏହି ତାଲିକାରେ ଘରୋଇ ବ୍ୟାଙ୍କ୍‍ ଭାବେ ଆଇଡିବିଆଇ ଓ ଆକ୍ସିସ ବ୍ୟାଙ୍କ୍‍ ବି ରହିଛନ୍ତି ।

ତେବେ କେତେକ ଘରୋଇ ବ୍ୟାଙ୍କ୍‍କୁ ଯେଉଁ ଲକ୍ଷ୍ୟ ଦିଆଯାଇଥିଲା ସେମାନେ ଏଥିରୁ ଗୋଟିଏ ହେଲେ ପୂରଣ କରିପାରି ନାହାନ୍ତି । ଏହି ବ୍ୟାଙ୍କ୍‍ ତାଲିକାରେ ରହିଛନ୍ତି ୟେସ ବ୍ୟାଙ୍କ୍‍, କୋଟାକ ମହିନ୍ଦ୍ରା ବ୍ୟାଙ୍କ୍‍, ଇଣ୍ଡସ୍‍ ଇଣ୍ଡ୍‍ ବ୍ୟାଙ୍କ୍‍, ଆଇଡିଏଫ୍‍ସି ଫାଷ୍ଟ ବ୍ୟାଙ୍କ୍‍, ଡିସିବି ବ୍ୟାଙ୍କ୍‍ ଓ ବନ୍ଧନ ବ୍ୟାଙ୍କ୍‍ । ଏମାନଙ୍କ ପାଇଁ ୩ରୁ ୨୪ ଟି ୟୁନିଟ୍‍କୁ ଅର୍ଥ ଯୋଗାଣ ପାଇଁ ସହାୟତା ଯୋଗାଇବାର ଲକ୍ଷ୍ୟ ଦିଆଯାଇଥିଲା । ହେଲେ ଏମାନଙ୍କ ବ୍ୟାଙ୍କ୍‍ରେ ଯେତୋଟି ଆବେଦନ ପଡିଛି ସେଥିରୁ ଗୋଟିଏ ହେଲେ ଆବେଦନର ଫଏସଲା କରି ନାହାନ୍ତି ।

ଏହି ସବୁ ଘରୋଇ ବ୍ୟାଙ୍କ୍‍ଗୁଡିକ ରାଜ୍ୟରେ ଏକାଧିକ ଶାଖା ଖୋଲି ବ୍ୟାପକ ପୁଞ୍ଜି ସଂଗ୍ରହ କରୁଛନ୍ତି । ପିଏମ୍‍ଇଜିପି ଯୋଜନାରେ ଆଦୌ ଋଣ ପ୍ରଦାନ କରିନଥିବା ୟେସ ବ୍ୟାଙ୍କ୍‍ ଓଡିଶାରୁ ୧୯୪୫.୬୮ କୋଟି ଟଙ୍କାର ଜମା ସଂଗ୍ରହ କରିଥିବାବେଳେ ଇଣ୍ଡସଇଣ୍ଡ୍‍ ବ୍ୟାଙ୍କ୍‍ ୩୮୨୬.୮୭ କୋଟି, ଆଇଡିଏଫସିଫାଷ୍ଟ ୫୯୪.୮୬ କୋଟି, ଡିସିବି ବ୍ୟାଙ୍କ୍‍ ଲିମିଟେଡ ୧୦୧୪.୯୪ କୋଟି, ବନ୍ଧନ ବ୍ୟାଙ୍କ୍‍ ୨୫୭୬.୪୧ କୋଟି ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ୍‍ ୧୫୬୫.୯୪ କୋଟି ଟଙ୍କାର ଜମା ସଂଗ୍ରହ କରିଛି ।

ପିଏମ୍‍ଇଜିପି ଭଳି ଯୋଜନାକୁ ଋଣ ଯୋଗାଇବା ପାଇଁ ରାଜ୍ୟ ସରକାର ବାରମ୍ବାର ତାଗିଦା କରୁଥିଲେ ଏହିଭଳି କେତେକ ଘରୋଇ ବ୍ୟାଙ୍କ୍‍ ଏଥିପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି । ଋଣ ତ ଦେଉ ନାହାନ୍ତି ଓଲଟା ଯୁବକ ଯୁବତୀଙ୍କ ଆବେଦନକୁ ପକାଇ ରଖିବା ସହିତ ବିଭିନ୍ନ ଆଳ ଦେଖାଇ ଖାରଜ କରିଦେଉଛନ୍ତି । ଫଳରେ କେତେକ ଘରୋଇ ବ୍ୟାଙ୍କ୍‍ରେ ଆଗ୍ରହୀ ଯୁବଦ୍ୟୋଗୀମାନେ ଆବେଦନ ବି କରୁନାହାନ୍ତି ।

ଏଭଳି କିଛି ଘରୋଇ ବ୍ୟାଙ୍କ୍‍ ସାଧାରଣ ଲୋକଙ୍କ ଠାରୁ ଜମା ସଂଗ୍ରହ ସହିତ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଲଗାଇ ବିଭିନ୍ନ ସରକାରୀ ସଂସ୍ଥାର ପୁଞ୍ଜିକୁ ବି ନିଜ ନିଜ ବ୍ୟାଙ୍କ୍‍ରେ ରଖି ବ୍ୟାପକ ମୁନାଫା ଉଠାଉଛନ୍ତି । ହେଲେ ଯେତେବେଳେ ଖୋଦ ସରକାର ଏମାନଙ୍କୁ ଋଣ ଦେବାପାଇଁ କହୁଛନ୍ତି ସେମାନେ ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ପିଏମ୍‍ଇଜିପି ଭଳି ରୋଜଗାର ଭିତ୍ତିକ ଯୋଜନାକୁ ଋଣ ଯୋଗାଇବା ପରିବର୍ତ୍ତେ ଏହି ଘରୋଇ ବ୍ୟାଙ୍କମାନେ ଘର, ଗାଡି ଓ ଅନ୍ୟାନ୍ୟ ଆସବାବପତ୍ର କିଣିବାପାଇଁ ଅଗ୍ରାଧିକାର ଭିତ୍ତିରେ ଋଣ ଯୋଗାଣ କରୁଛନ୍ତି । ତେଣୁ ରାଜ୍ୟରେ ବ୍ୟବସାୟ ଚଳାଇଥିବା ଏଭଳି ଘରୋଇ ବ୍ୟାଙ୍କ୍‍ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)