Home General ଜନଜାତି ପରିବାର ନିମନ୍ତେ ଜୀବିକା ଇକୋସିଷ୍ଟମ

ଜନଜାତି ପରିବାର ନିମନ୍ତେ ଜୀବିକା ଇକୋସିଷ୍ଟମ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଅନୁସୂଚିତ ଜନଜାତି ପରିବାର ନିମନ୍ତେ ଏକ ନୂତନ ଜୀବିକା ଇକୋସିଷ୍ଟମ ଆରମ୍ଭ ହୋଇଛି ।

କରୋନା ମହାମାରୀ ସମୟରେ ଏହି ‘ମିଶନ ଜୀବିକା ପ୍ରକଳ୍ପ’ ଅନୁସୂଚିତ ଜନଜାତି ପରିବାରଗୁଡ଼ିକ ନିମନ୍ତେ ପୋଷଣୀୟ ଜୀବିକାକୁ ନିଶ୍ଚିତ କରିପାରିଛି । ଏହି ଜୀବିକା କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କର ଆୟବୃଦ୍ଧି ସହିତ ଜୀବନଧାରଣର ମାନରେ ଉନ୍ନତି ହୋଇପାରିଛି ।

‘ମିଶନ ଜୀବିକା’ କାର୍ଯ୍ୟକ୍ରମ ୭ଟି ଜିଲ୍ଲାର ୨୭ଟି ଆଦିବାସୀ ଅଧ୍ୟୁଷିତ ବ୍ଲକ୍‌ର ଜନଜାତି ବର୍ଗର କ୍ଷୁଦ୍ର ଓ ନାମମାତ୍ର କୃଷକ ପରିବାରର ଆୟ ବୃଦ୍ଧିରେ ସହାୟକ ହୋଇଛି । ଏହା ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କୃଷି ଉତ୍ପାଦନ ପୁଂଜର ସହଭାଗିତାରେ କାର୍ଯ୍ୟ କରୁଛି । ବଜାର ସହିତ ଉତ୍ପାଦନ କ୍ଳଷ୍ଟରକୁ ସଂଯୁକ୍ତ କରାଯାଇଛି । ୯୬୯ଟି କୃଷି ଓ ଅଣକୃଷିଭିତ୍ତିକ କ୍ଲଷ୍ଟର ମାଧ୍ୟମରେ ୧ ଲକ୍ଷ ୫୦ ହଜାରରୁ ଊଦ୍ଧ୍ୱର୍ ପରିବାର ଉପକୃତ ହେଉଛନ୍ତି ।

ଉପଯୁକ୍ତ ସମୟରେ ସେମାନଙ୍କୁ ଗୁଣାତ୍ମକ ତଥ୍ୟ ପ୍ରଦାନ, ପ୍ରଶିକ୍ଷଣ, ଦକ୍ଷତା ବିକାଶ ସହାୟତା ଓ ସମନ୍ୱୟରେ ବଜାର ସହାୟତା ଯୋଗାଇ ଦିଆଯାଉଛି । ମିଶନ ଜୀବିକା ଓ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରୋଜେକଫର ସମନ୍ୱୟରେ ନାମମାତ୍ର ଜନଜାତି ଚାଷୀଙ୍କ ପାଇଁ ଏକ କ୍ରିୟାଶୀଳ ଫାର୍ମ କ୍ଲଷ୍ଟର ସୃଷ୍ଟି ହେବା ସହିତ ସେମାନେ ଲାଭବାନ୍‌ ହୋଇଛନ୍ତି ।

ଏହି ପୁଂଜରେ ଆରମ୍ଭ ହୋଇଥିବା ନୂତନ ବୈଷୟିକ ଜ୍ଞାନର ପ୍ରୟୋଗ ଫଳରେ ଉତ୍ପାଦିକା ଶକ୍ତି ବହୁଗୁଣିତ ହୋଇଛି ଓ ଫସଲ ଅମଳ ସହଜ ହୋଇପାରିଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ
ରଞ୍ଜନା ଚୋପ୍ରା ପ୍ରକାଶ କରିଛନ୍ତି ।

କୋଭିଡ୍‌ ମହାମାରୀ ସମୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମରେ ବୈଷୟିକ ତଥ୍ୟ ପ୍ରଦାନ, ବିହନ ଓ ସାର ଯୋଗାଣ ଭଳି ବିଭିନ୍ନ ପଦକ୍ଷେପ ନିଆଯାଇ ନିଯୁକ୍ତି ସୃଷ୍ଟି ସହିତ ଜନଜାତିଙ୍କ ପୋଷଣୀୟ ଜୀବିକା ସମୃଦ୍ଧ ହୋଇପାରିଛି ବୋଲି ବିଭାଗୀୟ ନିର୍ଦ୍ଦେଶିକା(ଏସ୍‌ଟି) ତଥା ସିଇଓ, ଓଟିଡିଏସ୍‌ ଗୁହା ପୁନମ ତାପସ କୁମାର କହିଛନ୍ତି ।

ଏହି କାର୍ଯ୍ୟକ୍ରମର ସଫଳତାର କାହାଣୀ ଅନେକ ରହିଛି । ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂପୁର ବ୍ଲକ୍‌ର ସୁନାଖଣ୍ଡି ଓ କୃଷ୍ଣପାତ୍ରଗୁଡ଼ା ଗ୍ରାମରେ ‘ମିଶନ ଜୀବିକା’ର ହିତାଧିକାରୀମାନଙ୍କୁ ଉପଯୁକ୍ତ ସମୟରେ ତଥ୍ୟ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଇଛି । ହିତାଧିକାରୀମାନଙ୍କର ଇଚ୍ଛାଶକ୍ତି ଓ ପ୍ରଚେଷ୍ଟା ଯୋଗୁଁ ଏହି କାର୍ଯ୍ୟକ୍ରମ ଜନଜାତିମାନଙ୍କର ପୋଷଣୀୟ ଜୀବିକା ହୋଇପାରିଛି । ୩୫ ଏକର ଜମିରେ ସଫଳତାର ସହିତ କଲରା ଚାଷ କରାଯାଇପାରିଛି ।

ଏହା ଦ୍ୱାରା ୫୯ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି । ଖୁସିର ବିଷୟ ସଂପ୍ରତି ହିତାଧିକାରୀମାନେ ରାୟଗଡ଼ା ଜିଲ୍ଲାରେ ୩ ଟନ କଲରା ଉତ୍ପାଦନ ଓ ବିକ୍ରୟ କରିଛନ୍ତି ଏବଂ ପ୍ରତ୍ୟେକ ହିତାଧିକାରୀ ୨୫ ହଜାରରୁ ୩୫ ହଜାର ଟଙ୍କା ଲାଭ ପାଇଛନ୍ତି । ୨୦୨୧ ଜୁନ ମାସ ଶେଷ ସୁଦ୍ଧା କ୍ଲଷ୍ଟରର ମହିଳା ସଦସ୍ୟାମାନେ ଏକର ପିଛା ହାରାହାରି ୮୦ ହଜାର ଟଙ୍କା ପାଇବେ ବୋଲି ଆଶା ରଖିଛନ୍ତି ।

ଏହି ଯୋଜନାରେ ଉପକୃତ ହୋଇଥିବା କୃଷ୍ଣପାତ୍ରଗୁଡ଼ା କ୍ଲଷ୍ଟରର ୩୫ ବର୍ଷୀୟ କୁରୁଂଜି ନାସିକା ତାଙ୍କର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ସେ ଏହି କାର୍ଯ୍ୟକ୍ରମ ଦ୍ୱାରା ବିହନ, ସାର ଓ ବୈଷୟିକ ସୁବିଧା ପାଉଛନ୍ତି । ସେ ଏହା ଦ୍ୱାରା ସ୍ୱାବଲମ୍ବୀ ହେବା ସହିତ ପରିବା ଚାଷ ଉପରେ ତାଙ୍କର ଆତ୍ମବିଶ୍ୱାସ ବୃଦ୍ଧିପାଇଛି ଏବଂ ସେ ଏବେ ଏକର ଜମିର ମାଲିକ । ସେ କେବଳ ନିଜ ଗ୍ରାମରେ ରୋଲ ମଡେଲ୍‌ ନୁହେଁ ବରଂ ଆଖପାଖ ଗ୍ରାମ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।