Home Health ଛାନିଆରେ ମନଇଚ୍ଛା ଔଷଧ ସେବନ

ଛାନିଆରେ ମନଇଚ୍ଛା ଔଷଧ ସେବନ

ଭୁବନେଶ୍ୱର : କରୋନା ଛାନିଆରେ ଡାକ୍ତରଙ୍କ ବିନା ପରାମର୍ଶରେ ଆଖିବୁଜା ଷ୍ଟିରଏଡ୍‍, ଆଣ୍ଟିବାୟୋଟିକ ଓ ଅନ୍ୟାନ୍ୟ ଔଷଧ ଖାଇବା ଫଳରେ ଅନେକ ଲୋକଙ୍କ ସାଂଘାତିକ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଉଛି । ଏହି ସମସ୍ୟାକୁ ଆଖିଆଗରେ ରଖି ଲୋକେ ମନଇଚ୍ଛା ଔଷଧ ସେବନ ନକରିବାକୁ ସରକାରଙ୍କ ଠାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ବାରମ୍ବାର ଚେତାବନୀ ଦେଉଥିଲେ ମଧ୍ୟ କରୋନାର କୋଳାହଳ ଭିତରେ ଏହା ହଜିଯିବା ପରି ମନେ ହେଉଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କରୋନା ଚିକିତ୍ସାଳୟମାନ ଖୋଲା ଚାଲିଛି । ସରକାରୀ ଡାକ୍ତରଖାନାଗୁଡିକରେ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ଥିବାରୁ ରୋଗୀ ଚିକିତ୍ସା କାର୍ଯ୍ୟ ବ୍ୟାହତ ହେଉଛି । ତେବେ ନିକଟରେ ରାଜ୍ୟ ଲୋକସେବା ଆୟୋଗ ସରକାରଙ୍କ ବରାଦ ମୁତାବକ ଡାକ୍ତର ପଦବୀ ପୂରଣପାଇଁ ପ୍ରାର୍ଥୀ ଚୟନ କରିସାରିଥିବାରୁ ଏହି ନୂଆ ଡାକ୍ତରମାନେ ସେମାନଙ୍କ ପଦବୀରେ ଯୋଗଦେବା ପରେ ସମସ୍ୟା କିଛି ହାଲୁକା ହେବବୋଲି କୁହାଯାଉଛି ।

ଏଣେ ମେଡିକାଲ କଲେଜ, ହୋମିଓପାଥିକ ଓ ଆର‌୍ୟୁବେଦିକ କଲେଜ ଏବଂ ହୋମିଓପାଥିକ ଓ ଆର‌୍ୟୁବେଦିକ ଡାକ୍ତରଖାନାଗୁଡିକରେ ମାଳ ମାଳ ଡାକ୍ତର ପଦବୀ ଖାଲିପଡିଛି । ଏଗୁଡିକରେ ଯେତିକି ଡାକ୍ତର ଅଛନ୍ତି ସେଥିରୁ ଅନେକଙ୍କୁ କୋଭିଡ ଚିକିତ୍ସା କାମରେ ଲଗାଯାଇ ଥିବାରୁ ଓପିଡିରେ ରୋଗୀସେବା କାର୍ଯ୍ୟରେ ବାଧା ଉପୁଜୁଛି ।

ଅନ୍ୟ ପକ୍ଷରେ ଛୋଟ ଛୋଟ କ୍ଲିନିକ ମାଧ୍ୟମରେ ରୋଗୀ ଦେଖୁଥିବା ବହୁ ଡାକ୍ତର କରୋନା ଡରରେ କ୍ଲିନିକ ବନ୍ଦ କରିଦେଉଛନ୍ତି । ଯେତେସବୁ ଅବସରପ୍ରାପ୍ତ ଡାକ୍ତର ଅନ୍ୟ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍‍ଗୁଡିକରେ ରୋଗୀ ଦେଖୁଥିଲେ ସେମାନଙ୍କ ଭିତରୁ ଅନେକ ଏବେ ଘରୁ ବାହାରୁ ନାହାନ୍ତି । ଏହାଛଡା କିଛି ଡାକ୍ତର ମଧ୍ୟ କରୋନାରେ ସଂକ୍ରମିତ ହୋଇ ପଡୁଛନ୍ତି । ଏ ପରିପ୍ରେକ୍ଷୀରେ ଔଷଧ ଦୋକାନୀ ଓ କ୍ୱାକ୍‍ମାନଙ୍କୁ ପଚାରି ବିନା ଡାକ୍ତରୀ ପ୍ରେସକ୍ରିପସନ ଓ ପରୀକ୍ଷା ରିପୋର୍ଟରେ ଅନେକ ଲୋକ ମନଇଚ୍ଛା ଔଷଧ କିଣି ଖାଉଛନ୍ତି ।

ଏହା ଫଳରେ କରୋନା ସଂକ୍ରମିତ ନଥାଇ ବି ଅନେକ ସାଧାରଣ ଜ୍ୱର ରୋଗୀ ଅଯଥାରେ ଶକ୍ତିଶାଳୀ ଷ୍ଟିରଏଡ୍‍ ଓ ଆଣ୍ଟିବାୟୋଟିକମାନ ବ୍ୟବହାର କରୁଥିବାରୁ ପରବର୍ତ୍ତୀ ସମୟରେ ସେମାନଙ୍କର ବହୁ ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି ହେଉଥିବା କଥା ବରିଷ୍ଠ ଡାକ୍ତରମାନେ ସ୍ୱୀକାର କରୁଛନ୍ତି । ଏହାଛଡା ଆଣ୍ଟିଜେନ୍‍ ଓ ଆରଟିପିସିଆର ପରୀକ୍ଷା ରିପୋର୍ଟ ଭିତରେ ତାଳମେଳ ରହୁନଥିବା ଯୋଗୁଁ ସନ୍ଦିଗ୍ଧ ରୋଗୀଙ୍କୁ ଅଯଥାରେ ପାଶ୍ୱର୍ପ୍ରତିକ୍ରିୟାଯୁକ୍ତ ଔଷଧ ସେବନ କରିବାକୁ ପଡୁଛି । ବହୁ ସ୍ଥଳରେ ଆରଟିପିସିଆର ରିପୋର୍ଟ ମିଳିବାପାଇଁ ୩/୪ଦିନ ସମୟ ଲାଗି ଯାଉଥିବାରୁ ଅନୁମାନରେ ଲୋକେ ଖାଉଥିବା ଔଷଧ ସେମାନଙ୍କ ପାଇଁ ବୁମେରାଂ ହେଉଛି ।

ବିନା ଡାକ୍ତରୀ ପ୍ରେସକ୍ରିପସନରେ ଔଷଧ ଦୋକାନୀମାନେ ଯେପରି ଔଷଧ ବିକ୍ରି ନକରନ୍ତି ସେ ଦିଗରେ କଡା ପଦକ୍ଷେପ ଗ୍ରହଣ କରିବାକୁ ଦାବି ଉଠୁଛି । ଏହାଛଡା ଏବେ ବିଭିନ୍ନ ଚିନ୍ତା ଯୋଗୁଁ ଭଲରେ ଶୋଇପାରୁନଥିବା କିଛି ଲୋକ ଆଖିବୁଜା ନିଶା ଔଷଧ ସେବନ କରୁଥିବା ମଧ୍ୟ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ବହ ସମସ୍ୟା ସୃଷ୍ଟି କରିବ ବୋଲି ଚିକିତ୍ସା ବିଜ୍ଞାନୀମାନେ କହୁଛନ୍ତି । (ତଥ୍ୟ)