Home Covid ୧୯୨୯ କୁ ୫୦ହଜାର କଲ୍‌

୧୯୨୯ କୁ ୫୦ହଜାର କଲ୍‌

ଭୁବନେଶ୍ୱର : କୋଭିଡ୍ ପରିଚାଳନାରେ ଏକ ମୁଖ୍ୟ ଦାୟିତ୍ୱ ୧୯୨୯ କଲ୍ ସେଣ୍ଟର ନିଭାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ଏଠାକୁ ଆସୁଥିବା ଏବଂ ଯାଉଥିବା କଲ୍‍ ସଂଖ୍ୟା ୫୦ ହଜାରରୁ ଅଧିକ ହୋଇଥିବା ଜଣାପଡିଛି ।

କୋଭିଡ୍ ସଂକ୍ରମିତ ଏବଂ ସମ୍ପର୍କୀୟଙ୍କଠାରୁ ୧୯୨୯କୁ ୫୧,୩୫୧ ଟି କଲ୍ ଆସିଥିବାବେଳେ କଲ୍ ସେଣ୍ଟର କାର୍ଯ୍ୟନିର୍ବାହୀମାନେ ୫୦,୪୧୪ଟି କଲ୍ କରି ଗୃହ ସଂଗରୋଧରେ ଥିବା ବ୍ୟକ୍ତିଙ୍କର ଅବସ୍ଥା ବାବଦରେ ପଚାରି ବୁଝିଛନ୍ତି । ସେହିଭଳି ତିନୋଟି ସିଫ୍ଟ୍‌ରେ ସେବା ଯୋଗାଉଥିବା ୧୯ ଜଣ ଡାକ୍ତରଙ୍କ ପରାମର୍ଶ ରୋଗୀଙ୍କୁ ଦେବା ନିମନ୍ତେ ୧୪, ୧୨୨ ଟି କଲ୍ ହୋଇଥିବା ଜଣାପଡିଛି ।

ଡାକ୍ତରଙ୍କୁ ଛାଡି ଏଠାରେ ସମୁଦାୟ ତିନୋଟି ସିଫ୍ଟ୍‌ରେ ୪୮ ଜଣ ଏକଜେକ୍ୟୁଟିଭ୍ କାର୍ଯ୍ୟ କରୁଛନ୍ତି । ଭୁବନେଶ୍ୱର ମହାନଗର ନିଗମର ଭବାନୀ ମଲ୍ ଠାରେ ଥିବା ସ୍ମାର୍ଟସିଟି କାର୍ଯ୍ୟାଳୟରେ ଅବସ୍ଥିତ ଏହି କଲ୍ ସେଣ୍ଟରର ସିଫ୍ଟ୍ ଗୁଡିକ ସକାଳ ୬ ଘଟିକାରୁ ଅପରାହ୍ନ ୨ ଘଟିକା, ଅପରାହ୍ନ ୨ ଘଟିକାରୁ ରାତ୍ର ୧୦ ଘଟିକା ଏବଂ ରାତ୍ର ୧୦ ଘଟିକାରୁ ସକାଳ ୬ ଘଟିକା ଏହିପରି ଭାବେ ପରିଚାଳିତ ହେଉଅଛି ।

ସମୁଦାୟ ୩୫ ଟି ୱାର୍କ୍ ଷ୍ଟେସନ୍ ରୁ ୧୯୨୯ ସେବା ଚାଲୁରହିଛି । ଏଥରୁ ୧୫ ଟି କଲ୍ ରିସିଭ୍ କରିବାରେ, ୫ ଟି ବାହାରକୁ କଲ୍ କରିବାରେ,୮ ଗୋଟି ଡାକ୍ତର୍ ମାନଙ୍କ ପରାମର୍ଶ ସେବା ଦେବାରେ ଏବଂ ଅବଶିଷ୍ଟ ୪ ଗୋଟି ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କର ଟିକାକରଣ ଏବଂ ଟେଷ୍ଟିଂ ସୂଚନା ଦେବାନେବାରେ ନିୟୋଜିତ ।

ବିଏମସି କମିଶନର ତଥା ସ୍ମାର୍ଟ୍ ସିଟିର ମୁଖ୍ୟ ସଂଜୟ କୁମାର ସିଂହଙ୍କ ସୂଚନା ଅନୁସାରେ , “ଆମେ ଚେଷ୍ଟା ଚଳାଇଛୁୁ ଯେପରିକି ୧୯୨୯ କଲ୍ ସେଣ୍ଟରରେ ଖୁବ୍ କମ୍‍ ସଂଖ୍ୟକ କଲ୍ ଡ୍ରପ୍ ହେବ ଏବଂ କଲ୍ କରୁଥବା ସମସ୍ତ ବ୍ୟକ୍ତି ଏହି ସେବା ଭଲଭାବେ ପାଇପାରିବେ ।

ଏହି ୨୪ଘଣ୍ଟିଆ କଲ୍ ସେଣ୍ଟର କରୋନାର ଦ୍ୱିତୀୟ ଲହରୀରେ ୨୫ ମାର୍ଚ୍ଚରେ ୨ ଟି ୱାର୍କ୍ ଷ୍ଟେସନରୁ ଆରମ୍ଭ ହୋଇଥିଲା । ଏହି ସମୟରେ କରୋନାର ପ୍ରଭାବ କମ୍ ଥିବାରୁ ଗୋଟିଏ କଲ୍ ଯିବା ପାଇଁ ଏବଂ ଅନ୍ୟଟି କଲ୍ ଆସିବାପାଇଁ ଉଦ୍ଦିଷ୍ଟ ଥିଲା । ପରିସ୍ଥିତି ଦେଖି ବର୍ତମାନ କଲ୍ ସେଣ୍ଟରକୁ ୩୫ ଟି ୱାର୍କ୍ ଷ୍ଟେସନ୍ ରେ ପରିଣତ କରାଯାଛି ।

ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ଆସୁଥିବା କଲ୍ ର ପରିଚାଳନା ଅଧିନରେ ହସ୍ପିଟାଲ୍ ସିଫ୍ଟିଙ୍ଗ ଅନୁରୋଧ, ଗୃହ ସଂଗରୋଧଙ୍କୁ ଆର୍ ଆର୍ ଟି ଭେଟିଯିବା, ହୋମ୍ ଆଇସୋଲେସନ୍ ପରେ ଡିସଚାର୍ଜ ସାର୍ଟିଫିକେଟ୍ ପାଇବା, ଟେଷ୍ଟିଙ୍ଗ୍‌, ଟିକାକରଣ, ଡେଥ୍ ସାର୍ଟିଫିକେଟ୍‌, ପେଡ୍ ହୋମ୍ ଆଇସୋଲେସନ୍‌, ଗମନା ଗମନ ସଂପର୍କିତ ନିୟମ, ବିଶୋଧିକରଣ ଏବଂ ଶବ ସତ୍କାର ଜନିତ ସୂଚନା ଦେଇଥାନ୍ତି । ସେହିପରି ଯାଉଥିବା କଲ୍ ସେବାରେ ଗୃହ ସଂଗରୋଧଙ୍କୁ ପଚାରି ବୁଝିବା, ରେଡ୍ ଫ୍ଲାଗ୍ ଙ୍କ ବିବରଣୀ ନେବା ଏବଂ ଏଥିପାଇଁ ବି ଏମ୍ ସି କୁ ସୂଚନା ଦେବା ଉତ୍ୟାଦି ଅର୍ନ୍ତଭୁକ୍ତ ।