Home Agriculture ଛାତ ଉପରେ ପନିପରିବା ଓ ମହୁଚାଷ

ଛାତ ଉପରେ ପନିପରିବା ଓ ମହୁଚାଷ

ସହରାଞ୍ଚଳର ଲୋକମାନେ ଏବେ ଛାତ ଉପରେ ବିଭିନ୍ନ ପ୍ରକାର ପନିପରିବା ଚାଷ ସହିତ ମହୁମାଛି ପାଳନ କରିପାରିବେ । ଏଥିପାଇଁ ସହାୟତାର ହାତ ବଢାଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ ରେଖା ପରିଷଦ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଇଲାକାରେ ବୟୋଜେଷ୍ଠ ବ୍ୟକ୍ତିମାନଙ୍କ ସହାୟତାରେ ପ୍ରାୟ ୫୦ଟି ଘରର ଛାତ୍ର ଉପରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

ସବୁଜ ସୁନ୍ଦର ପୃଥିବୀ ପାଇଁ ବୟୋଜେଷ୍ଠ ବ୍ୟକ୍ତିଙ୍କ ଭୂମିକା ସଂକ୍ରାନ୍ତରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଜୀବନ ରେଖା ପରିଷଦର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ମିଶ୍ର କହିଛନ୍ତି ଯେ ଛାତ ଉପରେ ପନିପରିବା ଉତ୍ପାଦନ ବୃଦ୍ଧି ପାଇଁ ମହୁମାଛି ପାଳନ ବେଶ୍‍ ସହାୟକ ହେବ । କାରଣ ଆମର ଅଧିକାଂଶ ପନିପରିବା ଉତ୍ପାଦନ ପାଇଁ ମହୁମାଛି ଓ ପ୍ରଜାପତିଙ୍କ ଦ୍ୱାରା ପରାଗ ସଙ୍ଗମ ଆବଶ୍ୟକ ।

ଏଥିସହିତ କରୋନା କାଳରେ ଘର ରହୁଥିବା ବୟସ୍କ ଲୋକମାନଙ୍କ ହାତକୁ କାମ ମିଳିଯିବ । ସେମାନେ ବସି ରହିବା ବଦଳରେ ନିଜ ନିଜ ଛାତ ଉପରେ ଜୈବିକ ଉପାୟରେ ପନିପରିବା ଚାଷ କରିପାରିବେ । ଏଥିପାଇଁ ଜୀବନରେଖା ପରିଷଦ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପ୍ରକାର ପନିପରିବା ମଞ୍ଜି ସହିତ ମହୁଚାଷ ପାଇଁ ତାଲିମ ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଉଛି ।

ଡକ୍ଟର ମିଶ୍ର କହିଛନ୍ତି ଯେ ଏହି ଯୋଜନାକୁ ଲୋକେ ଅଧିକରୁ ଅଧିକ ଭାବେ ଗ୍ରହଣ କଲେ ସହରବାସୀ ଜୈବିକ ପନିପରିବା ପାଇପାରିବେ । ଏଥି ସହିତ ଶୁଦ୍ଧ ମହୁ ମଧ୍ୟ ସେମାନଙ୍କୁ ମିଳିବ । ଗୋଟିଏ ଯୋଜନାରେ ଶୁଦ୍ଧ ମହୁ ସହିତ ଅଧିକ ଜୈବିକ ପନିପରିବା ଉତ୍ପାଦନ ହେଉଛି ଏହାର ମୂଳ ଲକ୍ଷ୍ୟ ।

ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ସହରର ୫୦ଟି ଘରର ଛାତ ଉପରେ ଏହି ଯୋଜନା ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ସମ୍ପ୍ରସାରିତ କରାଯିବ ବୋଲି ଡକ୍ଟର ମିଶ୍ର କହିଛନ୍ତି ।