Home Education ଛାତ୍ରଛାତ୍ରୀଙ୍କ ସୁବିସ୍ତୃତ ସର୍ଭେ

ଛାତ୍ରଛାତ୍ରୀଙ୍କ ସୁବିସ୍ତୃତ ସର୍ଭେ

ଭୁବନେଶ୍ୱର : କରୋନା ଯୋଗୁଁ ଦୀର୍ଘଦିନ ଧରି ବିଦ୍ୟାଳୟଗୁଡିକ ବନ୍ଦ ରହିଥିବାବେଳେ କାଳେ ପିଲାମାନେ ଅଧାରୁ ପାଠପଢା ଛାଡିଥିବେ ସେଥିପାଇଁ ସର୍ଭେ କରିବାକୁ ସ୍ଥିର ହୋଇଛି । ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଏକାଧିକ ପ୍ରଶ୍ନ ସମ୍ବଳିତ ଏକ ଫର୍ମାଟ ପ୍ରସ୍ତୁତ ହୋଇଥିବାବେଳେ ଶିକ୍ଷକମାନେ ଘରକୁ ଘର ବୁଲି ତାହା ପୂରଣ କରିବେ ।

ବିଶେଷକରି ଯେଉଁ ପିଲାମାନେ ଆଦୌ ବିଦ୍ୟାଳୟ ଆସିନାହାନ୍ତି ସେମାନଙ୍କ ତାଲିକା ସଂଗ୍ରହ ସହିତ ପାଠଛାଡୁଥିବା ପିଲାଙ୍କ ତଥ୍ୟ ବି ସଂଗ୍ରହ ହେବ । ଏହି ଫର୍ମାଟରେ ପିଲାଙ୍କ ସହିତ ସେମାନଙ୍କ ପିତା ମାତାଙ୍କ ନାମ, ଠିକଣା ଆଦି ରହିବ । ଏଥି ସହିତ ପିଲାଟି କାହିଁକି ବିଦ୍ୟାଳୟକୁ ଆସୁନାହିଁ ଓ ଏହାର କାରଣ କ’ଣ ଫର୍ମାଟରେ ଥିବା ପ୍ରଶ୍ନ ଅନୁଯାୟୀ ଶିକ୍ଷକମାନେ ତାହାକୁ ପୂରଣ କରିବେ ।

ଏହାବାଦ୍‍ ଯଦି କୌଣସି ପିଲା ଶାରୀରିକ ଅକ୍ଷମତା ଯୋଗୁଁ ବିଦ୍ୟାଳୟ ଆସିବାକୁ ମଙ୍ଗୁ ନଥିବେ ସେ ସଂକ୍ରାନ୍ତରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ । ପିଲାଟି କେଉଁ ପ୍ରକାରର ଦିବ୍ୟାଙ୍ଗ ସେ ସଂକ୍ରାନ୍ତରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଟିକିନିଖି ଭାବେ ବୁଝି ଫର୍ମାଟ ପୂରଣ କରିବେ । ପିଲାମାନେ ଯଦି କୌଣସି ରୋଗର ଶିକାର ହୋଇଥିଲେ ତାହା ଦର୍ଶାଇବାକୁ କୁହାଯାଇଛି ।

ଏହି ସର୍ଭେରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ବିବରଣୀ ସଂଗ୍ରହ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପିଲାଟି କେଉଁ ଶ୍ରେଣୀରୁ ପାଠ ଛାଡିଛି ଓ ଏହାର କାରଣ କ’ଣ ? ପିଲାଟି ଦାରିଦ୍ର‌୍ୟତା କିମ୍ବା ଅନ୍ୟ କୌଣସି କାରଣରୁ ପାଠପଢା ଛାଡିଛି ସେ ସଂକ୍ରାନ୍ତରେ ବିଶେଷ ସୂଚନା ସଂଗ୍ରହ କରାଯିବ । ଯଦି ପିଲାଟି ଅଧାରୁ ପାଠପଢା ଛାଡିଛି ତେବେ ସେ ବର୍ତ୍ତମାନ କେଉଁ ସ୍ଥିତିରେ ଅଛି ଓ କ’ଣ କରୁଛି ଶିକ୍ଷକମାନେ ସେ ସଂକ୍ରାନ୍ତୀୟ ସୂଚନା ସଂଗ୍ରହ କରିବେ ।

ଏହି ସର୍ଭେରୁ ଅଧାରୁ ପାଠ ଛାଡୁଥିବା ପିଲା ଓ ପାଠଛାଡି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ଶିଶୁଶ୍ରମିକ ପାଲଟିଥିବା ପିଲାଙ୍କ ସଂକ୍ରାନ୍ତରେ ସୁବିସ୍ତୃତ ସୂଚନା ସଂଗ୍ରହ କରାଯାଇ ପାରିବ । ଉଲ୍ଲେଖନୀୟ ଯେ କୋଭିଡ ସଂକ୍ରମଣ ଯୋଗୁଁ ୨୦୨୦ ମାର୍ଚ୍ଚ ମାସରୁ ବିଦ୍ୟାଳୟଗୁଡିକ ବନ୍ଦ ଥିବାବେଳେ ପିଲାମାନେ ଶ୍ରେଣୀକକ୍ଷ ମାଡି ନାହାନ୍ତି । ଉପର ଶ୍ରେଣୀର ପିଲାଏ କୌଣସି ପ୍ରକାରେ ଅନ୍‍ଲାଇନ୍‍ ପାଠପଢୁଥିବାବେଳେ ପ୍ରାଥମିକ ଶ୍ରେଣୀରେ ପାଠପଢା ଏକ ପ୍ରକାର ଠପ୍‍ । ତେଣୁ ଏଭଳି ସ୍ଥିତିରେ ସମଗ୍ର ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ନେଇ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି ।

ଆମ ରାଜ୍ୟରେ ଯଦିଓ ଏହି ସ୍ଥିତି ଉଦ୍‍ବେଗଜନକ ହୋଇନାହିଁ ତଥାପି ଏଭଳି ସର୍ଭେରୁ ଶିକ୍ଷାଦାନର ସ୍ଥିତି ସମେତ ଅଧାରୁ ପାଠ ଛାଡୁଥିବା ପିଲା, ସେମାନଙ୍କ ପରିବାର, ପିଲାଙ୍କ ସ୍ୱାସ୍ଥ୍ୟ ଓ ଶିଶୁ ଶ୍ରମିକଙ୍କ ସ୍ଥିତିର ଚିତ୍ର ମିଳିପାରିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି । ତେବେ ଗାଁ ଗହଳରେ କରୋନା ପ୍ରବେଶ କରିଥିବାରୁ ଶିକ୍ଷକମାନେ କିଭଳି ଏହି ସର୍ଭେ କରିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି । (ତଥ୍ୟ)