Home Agriculture ଛତୁଚାଷୀ ସାଂଘାତିକ କ୍ଷତିଗ୍ରସ୍ତ

ଛତୁଚାଷୀ ସାଂଘାତିକ କ୍ଷତିଗ୍ରସ୍ତ

ଭୁବନେଶ୍ୱର : କରୋନା ମାଡରେ ଓଡିଶାର ୫୦ହଜାରରୁ ଉର୍ଦ୍ଧ୍ୱ ଛତୁଚାଷୀ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ପାଇଁ ନିର୍ଭର କରୁଥିବା ୨ଲକ୍ଷରୁ ଅଧିକ ପରିବାର ଦାରୁଣ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଗତି କରୁଛନ୍ତି ।

ଏବେ ବିବାହ ଋତୁରେ ଛତୁ କିଲୋ ୨୦୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଥାନ୍ତା । କିନ୍ତୁ କରୋନାରେ କଲବଲ ହେଉଥିବା ଚାଷୀମାନେ ଯାଚି ଗୁଞ୍ଜି ଛତୁ କିଲୋ ୫୦ରୁ ୧୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଥିବାବେଳେ ଆଉ ଅନେକ ଚାଷୀଙ୍କ ଛତୁ ବିକ୍ରିହୋଇ ପାରୁନଥିବାରୁ ସେମାନେ ମାଗଣାରେ ବାଣ୍ଟୁଛନ୍ତି କିମ୍ବା ନଷ୍ଟକରିଦେବାକୁ ବାଧ୍ୟ ହେଉଛନ୍ତି ।

କରୋନା ପାଇଁ ଜାରି ରହିଥିବା ଲକଡାଉନ୍‍ ଓ ସଟଡାଉନ୍‍ ଏବଂ ସାମୁଦ୍ରିକ ବାତ୍ୟା ୟସର ଆତଙ୍କ ଭିତରେ ଛତୁ ବ୍ୟବସାୟ ପୂରା ଧିମେଇ ଯାଇଛି । ଦିନକୁ ଓଡିଶାରେ ହାରାହାରି ୧୦୦ ମେଟ୍ରିକ ଟନ୍‍ ଛତୁ ଉତ୍ପାଦିତ ହେଉଥିବାବେଳେ ୧୦ ମେଟ୍ରିକ ଟନ୍‍ ବିକ୍ରି କରିବା ଅସମ୍ଭବ ହୋଇପଡୁଛି । ବସ୍‍ ଓ ରେଳ ଚଳାଚଳ ବନ୍ଦ ରହିଥିବାରୁ ଓଡିଶାରୁ, ପଶ୍ଚିମବଙ୍ଗ, ଛତିଶଗଡ ଓ ଆନ୍ଧ୍ରପ୍ରଦେଶକୁ ଛତୁ ଚାଲାଣ ହୋଇପାରୁନାହିଁ ।

ସେହିପରି ରାଜ୍ୟ ଭିତରେ ମଧ୍ୟ ବିଭିନ୍ନ ଜିଲ୍ଲାକୁ ଛତୁ ପଠାଯାଇ ପାରୁନାହିଁ । ଲକଡାଉନ୍‍ରେ ସୀମିତ ସମୟ ପାଇଁ ଛତୁବେପାର କରାଯାଇ ପାରୁଥିବାବେଳେ ବସ୍ତୁତଃ ଚାଷୀଙ୍କ ଠାରୁ ସକାଳ ତୋଳା ଛତୁ ଆସି ଭୁବନେଶ୍ୱରରେ ଦୋକାନୀଙ୍କ ନିକଟରେ ପହଞ୍ଚିବାବେଳକୁ ଲକଡାଉନ ଯୋଗୁଁ ରାସ୍ତାକଡ ଦୋକାନ ହୋଇଯାଉଛି ।

ସାରା ରାଜ୍ୟରେ ଯେତେ ଛତୁ ଉତ୍ପାଦିତ ହୁଏ ତାହାର ପ୍ରାୟ ଏକ ତୃତୀୟାଂଶ ପୁରୀ ଜିଲ୍ଲାରୁ ଆସିଥାଏ । ଏବେ ଛତୁ ବଜାର ସମସ୍ୟା ସହିତ ଅନେକ ଛତୁ ଚାଷୀ ଓ ବେପାରୀଙ୍କ ପରିବାରରେ କରୋନା ପ୍ରକୋପ ଦେଖାଦେବା ଏକ ଭୟଙ୍କର ଆର୍ଥିକ ସମସ୍ୟା ସୃଷ୍ଟି କରିଛି । ଏ ପରିପ୍ରେକ୍ଷୀରେ ଛତୁକୁ ଏକ ଅର୍ଥକରୀ ଫସଲ ଭାବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରସାରିତ କରିଥିବା ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଅଦୈତ ଚରଣ ପାତ୍ର ଗଭୀର ଉଦ୍‍ବେଗ ପ୍ରକାଶ କରିବା ସଂଗେ ସଂଗେ ଦୁଇ ରୁ ତିନି ହଜାର ମଦ ବେପାରୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଘରେ ଘରେ ମଦ ପହଞ୍ଚାଇବା ବ୍ୟବସ୍ଥା ହୋଇପାରୁଥିବାବେଳେ କରୋନା ସମୟରେ ପ୍ରୋଟିନ୍‍ ଯୁକ୍ତ ଛତୁର ଅଧିକ ଆବଶ୍ୟକତା ଥିବା ପରିପ୍ରେକ୍ଷୀରେ ସରକାର ଅନ୍‍ଲାଇନ୍‍ରେ ଘରେ ଘରେ ଛତୁ ପହଞ୍ଚାଇବାପାଇଁ ବ୍ୟବସ୍ଥା ଲାଗି ଦାବି କରିଛନ୍ତି ।

ମଦ ବଦଳରେ ପ୍ରତି ଘରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଏବଂ ତଟକା ପନିପରିବା ପହଞ୍ଚାଇବାର ବ୍ୟବସ୍ଥା କରାଗଲେ ୩୦ଲକ୍ଷରୁ ଅଧିକ ଚାଷୀ ଉପକୃତ ହୁଅନ୍ତେ ଏବଂ ୪କୋଟିରୁ ଅଧିକ ଖାଉଟିଙ୍କ ସ୍ୱାର୍ଥରକ୍ଷା ହୋଇପାରନ୍ତା ବୋଲି ପ୍ରଫେସର ପାତ୍ର କହିଛନ୍ତି । ପଞ୍ଜାବ ହରିଆନା ଆଦି ରାଜ୍ୟରେ ଛତୁ ଚାଷକୁ ଶିଳ୍ପର ମାନ୍ୟତା ଦିଆଯାଇଥିବାବେଳେ ଓଡିଶାରେ ଏଯାବତ ଏହାକୁ କୃଷିର ମାନ୍ୟତା ବି ମିଳିନାହିଁ । ଓଡିଶାରେ ଛତୁଚାଷୀଙ୍କୁ ମାଗଣାରେ ବିଦ୍ୟୁତ୍‍ ଓ ୨ ପ୍ରତିଶତ ସୁଧରେ ଋଣ ସହିତ ପ୍ରତି ହାଟବଜାରରେ ସରକାର ଓମଫେଡ, ଓପଲଫେଡ ଭଳି ଛତୁ ପାର୍ଲରମାନ ଖୋଲିବା ଏବଂ କରୋନାମାଡରେ ଧ୍ୱସ୍ତ ବିଧ୍ୱସ୍ତ ଛତୁଚାଷୀମାନଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରଫେସର ପାତ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । (ତଥ୍ୟ)