Home News in Odia ଛତିଶଗଡ କଥାରେ ହୀରାକୁଦ ଫାଟକ ଖୋଲିବନି

ଛତିଶଗଡ କଥାରେ ହୀରାକୁଦ ଫାଟକ ଖୋଲିବନି

ଭୁବନେଶ୍ୱର : ଓଡିଶା ତାହାର ଆବଶ୍ୟକତା ଅନୁଯାୟୀ ହୀରାକୁଦର ଫାଟକ ଖୋଲିବ । ଏବେ ଆମେ ୩୪ଟି ଫାଟକ ଖୋଲିଛୁ । ଆବଶ୍ୟକ ହେଲେ ଅଧିକ ଖୋଲିବୁ । ଛତିଶଗଡ କଥାରେ ଅଧିକ ଫାଟକ ଖୋଲାଯିବ ବୋଲି ନାହିଁ ବୋଲି ରୋକଠୋକ୍‍ ଶୁଣାଇ ଦେଇଛନ୍ତି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।

ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା ପରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ମନ୍ତ୍ରୀ । ଉଲ୍ଲେଖନୀୟ ଯେ ମହାନଦୀର ଉପରମୁଣ୍ଡ ଅର୍ଥାତ୍‍ ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ସେହି ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାଣିରେ ଉବୁଟୁବୁ ହେଉଥିବା ଛତିଶଗଡ ଏବେ ଏଥିରୁ ନିସ୍ତାର ପାଇବାପାଇଁ ହୀରାକୁଦର ଅଧିକ ଫାଟକ ଖୋଲିବାକୁ ଓଡିଶା ସରକାରଙ୍କୁ ଅନୁରୋଧ କରୁଛନ୍ତି ।

ହେଲେ ଓଡିଶା ସରକାର ଏହାକୁ ଶୁଣିବାକୁ ନାରାଜ ଥିବା ଆଜି ଜଳସମ୍ପଦ ମନ୍ତ୍ରୀଙ୍କ ବକ୍ତବ୍ୟରୁ ସୃଷ୍ଟି ହୋଇଛି । ଯଦି ଓଡିଶା ସରକାର ହୀରାକୁଦର ଅଧିକ ଫାଟକ ନଖୋଲିବେ ତେବେ ଛତିଶଗଡରେ ବନ୍ୟା ସ୍ଥିତି ଅଧିକ ଗୁରୁତର ହେବାର ସମ୍ଭାବନା ରହିଛି ।

ଆଜି ଅପରାହ୍ନ ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଭିତରକୁ ୭,୩୫,୧୮୭ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଏଥିରୁ ୫,୬୩,୫୭୩ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଗତକାଲି ଅପରାହ୍ନରୁ କେବଳ ୩୪ଟି ଫାଟକ ଦ୍ୱାରା ଏହି ଜଳ ଛଡାଯାଉଛି । ୨୪ ଘଣ୍ଟା ଭିତରେ ହୀରାକୁଦର ଆଉ ଅଧିକ ଫାଟକ ଖୋଲାଯାଉନାହିଁ ।

ଆଜି ସଂଧ୍ୟାସୁଦ୍ଧା ବରକୁଳ ଠାରେ ୯.୪୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ବରମୂଳ ଠାରେ ୮.୪୦ଲକ୍ଷ କ୍ୟୁସେକ ଓ ମୁଣ୍ଡୁଳି ଠାରେ ୬,୩୭,୫୮୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେବେ ଆସନ୍ତା କାଲି ସୁଦ୍ଧା ମୁଣ୍ଡୁଳିରେ ୧୧ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି କର୍ତ୍ତୃପକ୍ଷ ଆକଳନ କରିଛନ୍ତି ।

ମହାନଦୀର ତଳିଆ ଅଞ୍ଚଳରେ ବନ୍ୟା ମୁକାବିଲା ପାଇଁ ଇତି ମଧ୍ୟରେ ଓଡ୍ରାଫ, ଏନ୍‍ଡିଆରଏଫ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ସହିତ ବିଭିନ୍ନ ସ୍ଥାନକୁ ପଠାଯାଇଥିବ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ଶେଷ ସୂଚନା ମୁତାବକ ମହାନଦୀ ସମେତ କୁଶଭଦ୍ରା, ଦେବୀ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ବଂଶଧାରା, ଋଷିକୂଲ୍ୟା, ଜଳକା ଆଦି ନଦୀ ଫୁଲିବାରେ ଲାଗିଛି ।

ଜଳକା ନଦୀ ମଥାନି ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବଂଶଧାରା ବି କାଶୀନଗର ଠାରେ ବିପଦସଙ୍କେତ ଉପରେ ରହିଛି । ନରାଜ ଠାରେ ମହାନଦୀ ଓ ଆଖୁଆପଦା ଠାରେ ବୈତରଣୀ ବି ବିପଦସଙ୍କେତ ଠାରୁ ସାମାନ୍ୟ ଉପରେ ପ୍ରବାହିତ ହେଉଛି ।

ଏଣେ ଲଘୁଚାପ ପ୍ରଭାବରେ ସମଗ୍ର ଉପକୂଳ ଓଡିଶାରେ ବର୍ଷା ଲାଗି ରହିଛି । ଆଗାମୀ ୨୪ଘଣ୍ଟା ମଧ୍ୟରେ ଅଧିକାଂଶ ଉପକୂଳ ଜିଲ୍ଲାରେ ବର୍ଷାପାଇଁ ସତର୍କ ସୂଚନା ଜାରି ହୋଇଥିବାବେଳେ ବଢୁଥିବା ନଦୀ ଏବେ ମହାନଦୀ ଅବବାହିକାବାସୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିଛି ।