Home General ଚୋରା ମଦ ବେପାରୀଙ୍କୁ ଏବେ ମଉକା

ଚୋରା ମଦ ବେପାରୀଙ୍କୁ ଏବେ ମଉକା

ଭୁବନେଶ୍ୱର : ରାଜ୍ୟ ପୁଲିସ୍‍ ଓ ଅବକାରୀ ବିଭାଗ ଏବେ ଗଞ୍ଜେଇ ଓ ବ୍ରାଉନସୁଗାର ବିରୁଦ୍ଧରେ ଅଭିଯାନ ଚଳାଇଥିବାବେଳେ ଏହି ମଉକାରେ ଚୋରା ମଦ କାରବାର ବଢିବାରେ ଲାଗିଛି । ଗାଁ ଠୁ ସହର ପର୍ଯ୍ୟନ୍ତ ଦେଶୀ ଓ ବିଦେଶୀ ମଦର ଚୋରା ବେପାରୀମାନେ ଏବେ ସେମାନଙ୍କ କାରବାର ବଢାଇ ଚାଲଛନ୍ତି ।

ରାଜ୍ୟରେ ବ୍ରାଉନସୁଗାର ବିରୁଦ୍ଧରେ ଚାଲିଛି ଜୋରଦାର ଧରପଗଡ । ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ଲମ୍ବିଥିବା ଚେରକୁ ପୁଲିସ୍‍ ଓପାଡିବାରେ ଲାଗିଛି । ପ୍ରତିଦିନ ଏହି ରୁଟ୍‍ରେ କୌଣସି ସ୍ଥାନରୁ ଏହି ମାରାତ୍ମକ ନିଶା ସାମଗ୍ରୀ ଜବତ ହେଉଛି । ସେହିଭଳି ଦକ୍ଷିଣରୁ ଉପକୂଳ ପର୍ଯ୍ୟନ୍ତ ଚାଲିଥିବା ଗଞ୍ଜେଇ କାରବାର ଉପର ଲଗାମ ଲଗାଉଛି ଅବକାରୀ ଓ ପୁଲିସ୍‍ ବିଭାଗ । ପ୍ରାୟ ପ୍ରତଦିନ ବିପୁଳ ପରିମାଣର ଗଞ୍ଜେଇ ବି ଜବତ ହେଉଛି ।

ହେଲେ ଏହି ମଉକାରେ ଚୋରା ମଦବେପାରୀମାନେ ସେମାନଙ୍କ ସାମ୍ରାଜ୍ୟ ବଢାଇବାରେ ଲାଗିଛି । ରାଜ୍ୟରେ ଚୋରା ମଦ କିଭଳି କାରବାର ହେଉଛି ତାହା କେବଳ କଟକ ଜିଲ୍ଲାର ଚୋରାମଦ ଜବତ ଓ ଗିରଫ ସୂଚନାକୁ ଅନୁଧ୍ୟାନ କଲେ ଜଣାପଡୁଛି । କଟକ ଜିଲ୍ଲାରେ ୨୦୧୭-୧୮ ରୁ ୨୦୨୦-୨୧ ବର୍ଷ ମଧ୍ୟରେ ଚୋରା ମଦ ଜବତ ମାମଲାରେ ୪ହଜାରରୁ ଅଧିକ ବ୍ୟକ୍ତି ଗିରଫ ହେଲେଣି ।

ଏମାନଙ୍କ ଠାରୁ ଦେଶୀମଦ, ବିୟର, ବିଦେଶୀମଦ ସବୁକିଛି ଜବତ ହେବାରେ ଲାଗିଛି । ଏହି ଜିଲ୍ଲାରେ ୨୦୧୭-୧୮ ବର୍ଷରେ ୧୦୨୮ କେସ ମଦ ଜବତ ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ତାହା ୧୨୭୭ କେସ୍‍ରେ ପହଞ୍ଚିଥିଲା । ଦେଶୀ ମଦ ତୁଳନାରେ ଭାରତ ତିଆରି ଏବଂ ଅନ୍ୟାନ୍ୟ ବିଦେଶୀ ମଦ ବିପୁଳ ପରିମାଣରେ ଧରାପଡିଥିବା ଜଣାଯାଇଛି ।

କଟକ ଜିଲ୍ଲା ଭଳି ସମଗ୍ର ଉପକୂଳ ଜିଲ୍ଲାରେ ଏବେ ଚୋରା ମଦ କାରବାର ଜୋର ଧରିଛି । ବିଶେଷକରି ଗ୍ରାମାଞ୍ଚଳରେ ଲୋକଙ୍କ ହାତ ପାଆନ୍ତାରେ ଚୋରା ବିଦେଶୀ ମଦ ଉପଲବ୍ଧ ହେଉଛି । ଆଉ ଏହି ଚୋରା ମଦ କାରବାରର କାର୍ପଟଦାର ସାଜିଛନ୍ତି ଅଧିକାଂଶ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ । ମଦ ଦୋକାନ ଠାରୁ ଦୂର ଦୂରାନ୍ତ ଅଞ୍ଚଳରେ ଏମାନେ ଏକ ପ୍ରକାର ସମ୍ପ୍ରସାରିତ କାଉଣ୍ଟର ଖୋଲିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ସେଠାରେ ନିଜ ନିଜ ମଦକୁ ଚଢା ଦରରେ ବିକ୍ରି କରୁଛନ୍ତି । ଏଥି ସହିତ ଚୋରା ମଦ ବି ବିକ୍ରି ହେଉଛି । ନିଜ ନିଜର କୋଟା ପୂରଣ ସହିତ ଆୟ ବୃଦ୍ଧି ପାଇଁ ବ୍ୟବସାୟୀମାନେ ଏଭଳି ପନ୍ଥା ଆପଣଉଛନ୍ତି ।

ତେବେ ଗାଁ ଗଣ୍ଡାରେ ଛୁଟୁଥିବା ଚୋରାମଦ ସଂକ୍ରାନ୍ତରେ ସ୍ଥାନୀୟ ଅବକାରୀ ଓ ପୁଲିସ୍‍ ପ୍ରଶାସନ ଯେ ଅବଗତ ନାହାନ୍ତି ତାହା ନୁହେଁ, ମଝିରେ ମଝିରେ ଚଢାଉ ସହିତ କିଛି ସାମଗ୍ରୀ ଜବତ ସହିତ ମାମଲା ବି ହେଉଛି । ହେଲେ ଏଭଳି ମାମଲା ରୁଜୁ ହେଉଛି ଯେ ଅଳ୍ପଦିନ ପରେ ଜେଲ୍‍ ଯାଉଥିବା ମଦବେପାରୀଙ୍କ ମଧ୍ୟରୁ ଅଧିକାଂଶ ଜାମିନ୍‍ରେ ଆସି ନିଜ ନିଜ କାରବାର ସମ୍ଭାଳିବାରେ ଲାଗିଛି ।

ଗୋଟିଏ ପଟେ ଅବକାରୀ ବିଭାଗରେ ତଳୁ ଉପର ପର୍ଯ୍ୟନ୍ତ ଶହ ଶହ ପଦବୀ ଖାଲି ଓ ଅନ୍ୟ ପଟେ ମଦ ବେପାରୀଙ୍କ ସକ୍ରିୟତା ଏବେ ସାରା ରାଜ୍ୟରେ ଚୋରା ମଦକାରବାର ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ତେଣୁ ସହରାଞ୍ଚଳରେ ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ନିଶା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରି ପୁଲିସ୍‍ ଯେଭଳି ପ୍ରଶଂସା ସାଉଣ୍ଟୁଛନ୍ତି ଅନୁରୂପ କାର୍ଯ୍ୟାନୁଷ୍ଠାନ ଗାଁ ଗହଳରେ ଚୋରାମଦ ବିରୁଦ୍ଧରେ ଚଳାଇବାକୁ ମତପ୍ରକାଶ ପାଉଛି । (ତଥ୍ୟ)