Home Judiciary ନିର୍ବାଚନ ଆଇନରେ ସଂଶୋଧନ ପାଇଁ କସରତ

ନିର୍ବାଚନ ଆଇନରେ ସଂଶୋଧନ ପାଇଁ କସରତ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ୨୦୨୨ର ପ୍ରଥମାର୍ଦ୍ଧରେ ନିର୍ଦ୍ଧାରିତ ସମୟ ମଧ୍ୟରେ ହେବ ବୋଲି ସୂଚନା ମିଳୁଥିବାବେଳେ ଏଥିଲାଗି ଆଗାମୀ ବିଧାନସଭା ଅଧିବେଶନରେ ଆଇନରେ କେତକ ସଂଶୋଧନ ଅଣାଯାଇ ପାରେ । ଏ ପ୍ରସଙ୍ଗରେ ବିଭାଗୀୟ ସ୍ତରରେ କସରତ ଚାଲିଥିବା ସୂଚନା ମିଳୁଛି ।

ଏଠାରେ ଉଲ୍ଲେଖନୀୟ ଯେ ପୌର ଓ ପଞ୍ଚାୟତ ନିର୍ବାଚନରେ ପ୍ରଚଳିତ ଆଇନ୍‍ ବ୍ୟବସ୍ଥା ଅନୁଯାୟୀ ପଛୁଆବର୍ଗଙ୍କ ଲାଗି ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି । ଏହାଛଡା ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଜନସଂଖ୍ୟା ଅନୁପାତରେ ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ୩୮.୭୫ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ଅଛି । ମୋଟାମୋଟି ଭାବେ ଏହି ତିନିବର୍ଗଙ୍କ ଲାଗି ସଂରକ୍ଷଣ ୬୫.୭୫ ପ୍ରତିଶତ ଥିବାବେଳେ ବିଭିନ୍ନ ବର୍ଗ ମଧ୍ୟରେ ମହିଳାମାନଙ୍କ ପାଇଁ ମଧ୍ୟ ଏକ ତୃତୀୟାଂଶ ଆସନ ସଂରକ୍ଷଣ ରହିଛି ।

ଆଇନ୍‍ ଅଦାଲତ ପୂର୍ବରୁ ଚାକିରି କ୍ଷେତ୍ରରେ ସଂରକ୍ଷଣସୀମା ୫୦ ପ୍ରତିଶତରୁ ଟପିବନାହିଁ ବୋଲି ରାୟ ଦେବାପରେ ପଛୁଆବର୍ଗଙ୍କ ପାଇଁ ଚାକିରିରେ ୨୭ପ୍ରତିଶତ ସଂରକ୍ଷଣ ଅକାମୀ ହୋଇ ଏହାକୁ ୧୧.୭୫ ପ୍ରତିଶତକୁ ଖସାଇବା ଲାଗି ସରକାର ବାଧ୍ୟ ହୋଇଛନ୍ତି । ସେହିଭଳି ନୂଆପଡା ଏନ୍‍ଏସି ନିର୍ବାଚନ ପ୍ରସଙ୍ଗରେ ହାଇକୋର୍ଟ ଓ ସୁପ୍ରିମ୍‍କୋର୍ଟ ମଧ୍ୟ ସଂରକ୍ଷଣ ସୀମା ୫୦ପ୍ରତିଶତରେ ସୀମିତ ରଖିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ସୁପ୍ରିମ୍‍କୋର୍ଟଙ୍କ ଏହି ରାୟ ୨୦୧୮ ସେପ୍ଟେମ୍ବର ମାସରୁ ହୋଇଛି ।

ସୁପ୍ରିମ୍‍କୋର୍ଟଙ୍କ ଏହି ରାୟ ଯୋଗୁଁ ପଛୁଆବର୍ଗଙ୍କ ଲାଗି ଆଉ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ସମ୍ଭବ ହେଉନଥିବାରୁ ୨୦୧୮ରୁ ଏଯାବତ୍‍ ପୌର ନିର୍ବାଚନକୁ ସରକାର ବଢାଇବାପାଇଁ ବାଧ୍ୟ ହୋଇଛନ୍ତି । ଫଳରେ ରାଜ୍ୟରେ ଏବେ ପ୍ରାୟ ସମସ୍ତ ପୌରସଂସ୍ଥା ଅମଲାତନ୍ତ୍ରର ନିୟନ୍ତ୍ରଣରେ ରହିଛି ।

ତ୍ରିସ୍ତରୀୟ ପଞ୍ଚାୟତିରାଜ ସଂସ୍ଥାଗୁଡିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚରେ ଶେଷ ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ କରାନଗଲେ ଏହି ସଂସ୍ଥାଗୁଡିକ ବି ସରକାରୀ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବ ଏବଂ ଏଗୁଡିକରେ ନିର୍ବାଚନ ଲୋକ ପ୍ରତିନିଧି ରହିବେ ନାହିଁ । ନିର୍ବାଚନ ଘୋଷଣା ପୂର୍ବରୁ କେଉଁ ୱାର୍ଡ ଓ କେଉଁ ପଦବୀ କେଉଁ ବର୍ଗଙ୍କ ପାଇଁ ସଂରକ୍ଷିତ ଓ ଅସଂରକ୍ଷିତ ତାହା ରାଜ୍ୟ ସରକାର ସ୍ଥିର କରିବାକଥା ।

ଏଥିପାଇଁ ନିର୍ବାଚନମଣ୍ଡଳୀ ସ୍ତରରେ ବ୍ୟାପକ ସଂଶୋଧନର ଆବଶ୍ୟକତା ରହିଛି । ପ୍ରଚଳିତ ଆଇନ୍‍ ସୁପ୍ରିମ୍‍କୋର୍ଟଙ୍କ ରାୟର ଖିଲାପ କରୁଥିବାରୁ ସେହି ଆଧାରରେ ନିର୍ବାଚନମଣ୍ଡଳୀ ପୁର୍ନଗଠନ କରି ପୌର ଓ ପଞ୍ଚାୟତ ନିର୍ବାଚନ କରିବା ସମ୍ଭବପର ନୁହେଁ । ତେଣୁ ନିର୍ବାଚନମଣ୍ଡଳୀ ପୁର୍ନଗଠନ ଓ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ସରକାରଙ୍କୁ ପ୍ରଚଳିତ ଆଇନ୍‍ରେ ସଂଶୋଧନ ଆଣିବାକୁ ପଡିବ କିମ୍ବା ଏହାକୁ ଉଚ୍ଛେଦ କରି ନୂଆ ଆଇନ୍‍ ପ୍ରଣୟନ କରିବାର ଆବଶ୍ୟକତା ରହିଛି ।

ମନ୍ତ୍ରୀ ପ୍ରତାପ ଜେନା ଆଇନ୍‍ ବିଭାଗ ସହ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱରେ ରହିଛନ୍ତି । ତେଣୁ ତାଙ୍କ ନିୟନ୍ତ୍ରଣରେ ଥିବା ତିନିଟି ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ଆଇନ୍‍ଗତ ପ୍ରକ୍ରିୟା ଅକ୍ଟୋବର ଶେଷସୁଦ୍ଧା ଶେଷ ହେବବୋଲି ଆଶା କରାଯାଉଛି । ଏଥିପାଇଁ ବିଧାନସଭାର ଆଗାମୀ ଅଧିବେଶନରେ ଏ ସଂକ୍ରାନ୍ତୀୟ ବିଲ୍‍ ଆସିପାରେ ବୋଲି ଉଭୟ ସରକାରୀ ଓ ବିରୋଧିଦଳ ଆଶା କରୁଛନ୍ତି ।

ଏବେ ବିଜେଡି ଯେଭଳି ପ୍ରତ୍ୟେକ ବ୍ଲକରେ ତାହାର ସାଂଗଠନିକ ସ୍ଥିତିକୁ ସୁଦୃଢ କରୁଛି ସେଥିରୁ ଶାସକଦଳ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତିକାର୍ଯ୍ୟ ଜୋରଦାର କରୁଥିବା ସ୍ପଷ୍ଟ ହୋଇଛି । ଏଥିଲାଗି ମନ୍ତ୍ରୀ ବିଧାୟକଙ୍କ ସମେତ ବିଜେଡିର ପଦାଧିକାରୀ ଓ ପର୍ଯ୍ୟବେକ୍ଷକମାନେ ପୂରା ଦମରେ ଲାଗିଥିବାବେଳେ ବିଜେପି ଓ କଂଗ୍ରେସ ମଧ୍ୟ ଘର ସଜାଡିବାରେ ବ୍ୟସ୍ତ । (ତଥ୍ୟ)