Home Infrastructure ଚିନ୍ତା ବଢାଉଛି ଧିମା ଇଣ୍ଟରନେଟ୍‍

ଚିନ୍ତା ବଢାଉଛି ଧିମା ଇଣ୍ଟରନେଟ୍‍

108
0

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଇଣ୍ଟରନେଟ୍‍ର ସର୍ବାଧିକ ଆବଶ୍ୟକତା ଥିବାବେଳେ ରାଜ୍ୟରେ ବିଭିନ୍ନ ଟେଲିକମ୍‍ କମ୍ପାନୀର ଦୁର୍ବଳ ଇଣ୍ଟରନେଟ୍‍ ସେବା ଏବେ ଲୋକଙ୍କୁ ଚିନ୍ତାରେ ପକାଇଲାଣି । ଅନ୍‍ଲାଇନ୍‍ ପାଠପଢିବା ତ ଦୂରରକଥା ସାମାନ୍ୟ ମେସେଜଟିଏ ଦେଖିବା ବି ବେଳେ ବେଳେ କଷ୍ଟକର ହୋଇପଡୁଛି ।

ରାଜ୍ୟରେ ଏବେ ବିଏସ୍‍ଏନ୍‍ଏଲ୍‍କୁ ମିଶାଇ ଆଉ ୩/୪ଟି ଟେଲିକମ୍‍ ସଂସ୍ଥା ସେବା ଯୋଗାଉଛନ୍ତି । ସମସ୍ତଙ୍କ ନଜର ଏବେ ଇଣ୍ଟରନେଟ୍‍ ବ୍ୟବହାରକାରୀଙ୍କ ଉପରେ । କାରଣ କରୋନା ସମୟରେ ଲୋକେ ମୋବାଇଲ୍‍ରେ କଥାବାର୍ତ୍ତା ଅପେକ୍ଷା ଇଣ୍ଟରନେଟ୍‍ର ଅଧିକ ବ୍ୟବହାର କରୁଛନ୍ତି । ଅନ୍‍ଲାଇନ୍‍ ପାଠପଢା ଠାରୁ ଆରମ୍ଭକରି ବିଭିନ୍ନ ଖବର ଜାଣିବା, ବ୍ୟାଙ୍କିଂ କାରବାର କରିବା, ଘରେ ବସି ଦପ୍ତର କାର୍ଯ୍ୟ କରିବା ଆଦି ସବୁକିଛି ପାଇଁ ଇଣ୍ଟରନେଟ୍‍ର ଆବଶ୍ୟକ ପଡୁଛି ।

ତେବେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଘରୋଇ କମ୍ପାନୀମାନେ ୪-ଜି ସେବା ଆରମ୍ଭ କରିଥିବାବେଳେ ପରସ୍ପର ଇଣ୍ଟରନେଟ୍‍ର ବେଗ ଅନ୍ୟଠାରୁ ଦ୍ରୁତଗାମୀ ବୋଲି ପ୍ରଚାରକରି ଗ୍ରାହକମାନଙ୍କୁ ନିଜ ନିଜ ପଟକୁ ଆକର୍ଷିତ କରୁଛନ୍ତି । ତେବେ ଯେଉଁ ହାରରେ ଏମାନେ ନିଜ ନିଜ ଇଣ୍ଟରନେଟ୍‍ର ବେଗ ଥିବା ଦର୍ଶାଉଛନ୍ତି ଅଧିକାଂଶ ସ୍ଥାନରେ ତାହା ଉପଲବ୍ଧ ହେଉନାହିଁ । ବିଶେଷଜ୍ଞମାନଙ୍କ ମତରେ ୪-ଜି ସେବାରେ ଅତି କମ୍‍ରେ ଇଣ୍ଟରନେଟ୍‍ରେ ବେଗ ୨ଏମ୍‍ବିପିଏସ୍‍ ହେବାକଥା । ହେଲେ ଅଧିକାଂଶ କମ୍ପାନୀ ଏହାଠାରୁ ଢେର କମ୍‍ ବେଗର ଇଣ୍ଟରନେଟ୍‍ ଯୋଗାଣ କରୁଛନ୍ତି ।

ଏହାର କାରଣ ହେଉଛି କମ୍ପାନୀଗୁଡିକ ବ୍ୟାଣ୍ଡୱିଦ୍‍ ବାବଦରେ ପୁଞ୍ଜି ଖଟାଉ ନାହାନ୍ତି । ପୁରୁଣା ଯନ୍ତ୍ରପାତିରେ ପରିବର୍ତ୍ତନ କରୁନାହାନ୍ତି । ଗୋଟିଏ ପଟେ ଆକର୍ଷଣୀୟ ଅଫର ଦେଇ ଗ୍ରାହକ ସଂଖ୍ୟା ବଢାଇ ଚାଲିଥିବାବେଳେ ଅନ୍ୟ ପଟେ କିନ୍ତୁ ଭିତ୍ତିଭୂମିରେ ବିକାଶ କରୁନାହାନ୍ତି । ଫଳରେ ହିତାଧିକାରୀଙ୍କ ଚାପରେ ଇଣ୍ଟରନେଟ୍‍ ଧିମା ଗତିରେ ଚାଲୁଛି । ସେହିଭଳି ୩-ଜି ସେବା ଯୋଗାଉଥିବା ବିଏସ୍‍ଏନ୍‍ଏଲ୍‍ର ଇଣ୍ଟରନେଟ୍‍ ବେଗ ଗ୍ରାମାଞ୍ଚଳରେ ଅତି ଦୟନୀୟ ଅବସ୍ଥାରେ ରହିଛି । ଫଳରେ ଲୋକେ ବାଧ୍ୟହୋଇ ଘରୋଇ କମ୍ପାନୀ ମୁହାଁ ହେଉଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ସମସ୍ତ ସରକାରୀ ଯୋଜନାର ପରିଚାଳନା, ଦେୟ ପ୍ରଦାନ ଆଦି ପାଇଁ ଇଣ୍ଟରନେଟ୍‍ ଉପରେ ନିର୍ଭରଶୀଳ । ଏପରିକି ଟଙ୍କିକିଆ ଚାଉଳ ପାଇଁ ବ୍ୟବହାର ହେଉଥିବା ଫିଙ୍ଗରପ୍ରିଣ୍ଟ ଡିଭାଇସ୍‍ ପାଇଁ ବି ଇଣ୍ଟରନେଟ୍‍ ଜରୁରୀ । ତେଣୁ ଏଭଳି ସ୍ଥିତିରେ ଉଭୟ ସରକାରୀ ଓ ଘରୋଇ ଟେଲିକମ୍‍ କମ୍ପାନୀମାନେ ରାଜ୍ୟର ଅଧିକାଂଶ ସ୍ଥାନରେ ଯେଭଳି ଧିମା ଇଣ୍ଟରନେଟ୍‍ ସେବା ଯୋଗାଉଛନ୍ତି ତାହା ଚିନ୍ତାର କାରଣ ହେଉଛି । ଗୋଟିଏ ପଟେ ଦରବୃଦ୍ଧି ସହିତ ଗ୍ରାହକମାନଙ୍କୁ ଆକର୍ଷିତ କରୁଥିବାବେଳେ ଅନ୍ୟପଟେ ନିଜ ଭିତ୍ତିଭୂମି ବିକାଶରେ ଅର୍ଥ ଖର୍ଚ୍ଚ କରୁନଥିବାରୁ ଏଭଳି ଅବସ୍ଥା ଉପୁଜିଛି । ତେଣୁ ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ ପାଇଁ ଉପଭୋକ୍ତାମାନେ ଦାବି କରୁଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here