Home Health ଚିନ୍ତାରେ ପକାଇଲାଣି ଘରେ କରୋନା ପରୀକ୍ଷା

ଚିନ୍ତାରେ ପକାଇଲାଣି ଘରେ କରୋନା ପରୀକ୍ଷା

ଭୁବନେଶ୍ୱର : କରୋନା ପରୀକ୍ଷଣ ପାଇଁ ଟେଷ୍ଟିଂ କିଟ୍‍ ଏବେ ଦୋକାନ ବଜାରରେ ମିଳୁଥିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ଅନେକ ଲୋକ କରୋନା ସନ୍ଦେହରେ ଔଷଧ ଦୋକାନରୁ ଟେଷ୍ଟିଂ କିଟ୍‍ମାନ କିଣି ନିଜ ଘରେ ନିଜେ ପରୀକ୍ଷା କରାଉଛନ୍ତି । ଏହା ଫଳରେ ଡାକ୍ତରଖାନାର କରୋନା ପରୀକ୍ଷଣ ବ୍ୟବସ୍ଥା ଉପରେ ଚାପ କମୁଥିଲେ ମଧ୍ୟ ଘରେ ଘରେ ଯେଉଁମାନେ ପରୀକ୍ଷଣରୁ ପଜିଟିଭ୍‍ ଥିବା ଜାଣୁଛନ୍ତି ସେମାନେ ସରକାରୀ ସଂସ୍ଥାକୁ ଏ ସଂକ୍ରାନ୍ତରେ ଜଣାଉନଥିବାରୁ ପ୍ରକୃତରେ କେତେ ସଂଖ୍ୟାରେ ଲୋକ କରୋନା ସଂକ୍ରମିତ ହେଉଛନ୍ତି ସେଥିଘେନି ଦ୍ୱନ୍ଦ ରହୁଛି ।

ଔଷଧ ଦୋକାନୀମାନେ ସ୍ୱୀକାର କରୁଛନ୍ତି ଯେ ସେମାନଙ୍କ ନିକଟରେ କରୋନା ପରୀକ୍ଷଣ କିଟ୍‍ର ଚାହିଦା ଢେର ଅଧିକ ରହୁଛି । ଯେତେ କରୋନା କିଟ୍‍ ସେମାନେ ହୋଲସେଲରମାନଙ୍କ ପାଖରୁ ମଗାଉଛନ୍ତି ସେସବୁ ଦିନେ ଦୁଇଦିନ ମଧ୍ୟରେ ସରିଯାଉଛି । ଅକ୍ସିମିଟର ସାହାଯ୍ୟରେ ଯେଭଳି ଅକ୍ସିଜେନ ସାଚୁରେସନ ମପାଯାଉଛି ଓ ନାଡିର ଗତି ଜଣାପଡୁଛି ଏବଂ ଗ୍ଲୁକୋମିଟର ସାହାଯ୍ୟରେ ଘରେ ଘରେ ଲୋକେ ରକ୍ତଶର୍କରା ପରୀକ୍ଷା କରାଉଛନ୍ତି ସେହିଭଳି ଏବେ ଡାକ୍ତରଖାନାର ଲମ୍ବା ଧାଡି ଏବଂ କର୍ତ୍ତୃପକ୍ଷଙ୍କ କଣ୍ଟେନମେଣ୍ଟ କଟକଣାକୁ ଏଡାଇବାପାଇଁ ଘରେ ଘରେ କରୋନା କିଟ୍‍ ସାହାଯ୍ୟରେ ପରୀକ୍ଷା ଚାଲିଛି ।

ବିଶେଷଜ୍ଞମାନେ କହୁଛନ୍ତି ଯେ ବଜାରରେ ଉପଲବ୍ଧ ହେଉଥିବା ଏହି କରୋନା କିଟ୍‍ ସହାୟତାରେ ପରୀକ୍ଷଣ କିଛି ଖରାପ ନୁହେଁ । କିନ୍ତୁ ଏହି ପରୀକ୍ଷଣରୁ ଯେଉଁମାନଙ୍କର କରୋନା ପଜିଟିଭ ବାହାରୁଛି ସେମାନେ ତୁରନ୍ତ ବିଏମ୍‍ସି, ସିଏମ୍‍ସି ସମେତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀମାନଙ୍କୁ ଜଣାଇବା କଥା ।

କେବଳ ଘରେ କରୋନା ପରୀକ୍ଷଣ କରି ଲୋକେ ଚୁପ୍‍ ବସୁନାହାନ୍ତି, ଏଥିଲାଗି ନିଜେ ନିଜେ ଡାକ୍ତର ସାଜି ଔଷଧ ଦୋକାନରୁ ବିନା ପ୍ରେସିକ୍ରିପସନରେ ବିିଭିନ୍ନ ପ୍ରକାରର ଔଷଧ ଆଣି ନିଜେ ଓ ପରିବାରର ଅନ୍ୟମାନଙ୍କୁ ଖୁଆଇବା ସହିତ ଖୋଲାଖୋଲି ଭାବେ ବୁଲୁଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ କରୋନା ନିୟନ୍ତ୍ରଣ ପାଇଁ ବିନା ଡାକ୍ତରୀ ପରାମର୍ଶରେ ଔଷଧ ସେବନ କରାଯିବା ଉଚିତ୍‍ ନୁହେଁ । ସାମୟିକ ଭାବେ ଏହା ଥଣ୍ଡା, ଜ୍ୱର ଆଦିକୁ ଦବାଇ ଦେଇପାରେ । କିନ୍ତୁ ଦୀର୍ଘକାଳୀନ ସୂତ୍ରରେ ଏଥିଯୋଗୁଁ ଶରୀରର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତି ବିପଦ ରହିଛି । ସେହିଭଳି କେଉଁ ଔଷଧ କେତେ ମାତ୍ରାରେ କେତେଦିନ ଖିଆଯିବ ଏବଂ ଷ୍ଟିରଏଡ୍‍, ଆଜିଥ୍ରୋଲ ଭଳି ଔଷଧ ଖାଇବାର ଆବଶ୍ୟକତା ଅଛି କି ନାହିଁ ତାହାର ବିଜ୍ଞାନ ସମ୍ମତ ଉପଚାର କରାନଗଲେ ଆଗାମୀ ଦିନରେ ପୋଷ୍ଟ କୋଭିଡ ସମସ୍ୟା ଗୁରୁତର ସଙ୍କଟ ଆଣିପାରେ ।

କେବଳ ଭୁବନେଶ୍ୱର ନୁହେଁ ଦେଶର ବଡ ବଡ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏବେ କରୋନା ପରୀକ୍ଷା କିଟ୍‍ ଉପଲବ୍ଧ ହେଉଛି ଏବଂ ଏଗୁଡିକ ମଧ୍ୟରେ ଯେ ନକଲି କିଟ୍‍ ନାହିଁ ସେ ସଂକ୍ରାନ୍ତରେ ବି କେହି ଗ୍ୟାରେଣ୍ଟି ଦେଇପାରିବେ ନାହିଁ । ତେଣୁ ଜୀବନକୁ ବାଜି ନଲଗାଇ ସ୍ଥିରୀକୃତ ଡାକ୍ତରଖାନାମାନଙ୍କରେ କରୋନା ପରୀକ୍ଷଣ ସହ ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ସେବନ ପାଇଁ ସରକାରଙ୍କ ପକ୍ଷରୁ ବି ବାରମ୍ବାର ଚେତାବନୀ ଦିଆଯାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here