Home News in Odia ଚିତ୍ରୋକୋଣ୍ଡା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ

ଚିତ୍ରୋକୋଣ୍ଡା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଆଦିବାସୀ ମହିଳାଙ୍କ ଉପରେ ପୁଲିସ୍‍ ଅତ୍ୟାଚାରର ତଦନ୍ତ କ୍ରାଇମବ୍ରାଞ୍ଚ ଆଇଜି କରିବେ । ଏ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ବିଧାନସଭାରେ ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ ଘୋଷଣା ପରେ ଏହି ପ୍ରସଙ୍ଗକୁ ନେଇ ବିରୋଧିଦଳ ଜାରି ରଖିଥିବା ହଟଗୋଳ ପ୍ରତ୍ୟାହାର ହୋଇଛି ।

ଆଜି ଶୂନ୍ୟକାଳରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଆଦିବାସୀ ମହିଳାଙ୍କ ଉପରେ ପୁଲିସର ଅତ୍ୟାଚାର ପ୍ରସଙ୍ଗ ଉଠିଥିଲା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଏହି ପ୍ରସଙ୍ଗ ଉଠାଇ କହିଲେ ଯେ ଜୁନ୍‍ ୫ତାରିଖ ରାତି ୨ଟାବେଳେ ପୁଲିସ୍‍ ଏସ୍‍ଡିପିଓ ନିଶାସକ୍ତ ଅବସ୍ଥାରେ ମହିଳା ପୁଲିସ୍‍ଙ୍କୁ ସାଙ୍ଗରେ ନନେଇ ଆଦିବାସୀଙ୍କ ଘରେ ପଶି ମହିଳାଙ୍କ ଉପରେ ଅତ୍ୟାଚାର କରିଛନ୍ତି । ଆଦିବାସୀ ମହିଳାଙ୍କୁ ପ୍ରବଳ ମାଡ ମାରିବା ଯୋଗୁଁ ଚାରିଜଣ ମହିଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଓ ଜଣେ ନାବାଳିକା ଅଛନ୍ତି ।

ମହିଳାଙ୍କ ଉପରେ ହୋଇଥିବା ମାଡର ଫଟୋ ଶ୍ରୀ ବାହିନିପତି ଗୃହରେ ଦେଖାଇବା ସହିତ ବାଚସ୍ପତି ଚାହିଁଲେ ସେ ଏହାକୁ ଉପସ୍ଥାପନ କରିବେ ବୋଲି କହିଥିଲେ । ଏହି ଘଟଣାରେ ସ୍ଥାନୀୟ ଲୋକେ ଜିଲ୍ଲାପାଳ ଓ ଏସ୍‍ପିଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏସ୍‍ପି ମଧ୍ୟ ଏ ସଂକ୍ରାନ୍ତରେ ସରକାରଙ୍କୁ ଜଣାଇଲେ ନାହିଁ । ଚିକିତ୍ସାଧିନ ଥିବା ମହିଳାଙ୍କମାନଙ୍କ ସଂକ୍ରାନ୍ତରେ ସିଡିଏମ୍‍ଓଙ୍କୁ ପ୍ରଭାବିତ କରି ଜାଲ୍‍ ମେଡିକାଲ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଇଏ କ’ଣ ମା’କୁ ସମ୍ମାନ କି ବୋଲି ଶ୍ରୀ ବାହିନିପତି ପ୍ରଶ୍ନ କରିଥିଲେ ।

କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା ଏହି ଘଟଣାରେ ଏସ୍‍ଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଏହି ଘଟଣାରେ ଗୃହ କମିଟି ଯାଇ ତଦନ୍ତ କରିବା ସହିତ ଏହାର ବିଚାର ବିଭାଗୀୟ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ବାଚସ୍ପତି ରୁଲିଂ ଦେବାକୁ ଦାବି କରିଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ ଏହି ଘଟଣା ଅଭଦ୍ରତାର ସୀମା ଟପିଯାଇଛି ।

ଏହାକୁ କେବଳ ବିଧାନସଭାରେ ରେକର୍ଡ କରିଦେଲେ ହେବନାହିଁ । ଆଦିବାସୀ ସମାଜ ଉପରେ ଅତ୍ୟାଚାର ହେଉଛି । ଆଦିବାସୀ ଝିଅ କେବଳ ରାଷ୍ଟ୍ରପତି ହେଲେ ସବୁ ବିକାଶ ହୋଇଯିବନି । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ତୁରନ୍ତ ଗୃହ ମୁଲତବି ରଖି ବାଚସ୍ପତି ଏହା ଉପରେ ଆଲୋଚନା ପାଇଁ ଦାବି କରିଥିଲେ । ବିରୋଧିଦଳ ସଚେତକ ମୋହନ ମାଝି ମଧ୍ୟ ଏହି ଘଟଣାର ତଦନ୍ତ ପାଇଁ ବାଚସ୍ପତି ରୁଲିଂ ଦେବାକୁ ଦାବି କରିଥିଲେ । ତେବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହାର ଅନୁଧ୍ୟାନ କରିବେବୋଲି କହିବାରୁ ବିରୋଧି କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ରୁଲିଂ ଦାବିରେ ହଟଗୋଳ କରିଥିଲେ । ଏହାପରେ ବାଚସ୍ପତି ଗୃହକୁ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଥିଲେ ।

ଏଥିରେ ଯୋଗଦେବାପାଇଁ ସେ କଂଗ୍ରେସ ବିଧାୟକଦଳନେତା ନରସିଂହ ମିଶ୍ର, ସଦସ୍ୟ ତାରା ପ୍ରସାଦବାହିନିପତି, ମୋହନ ମାଝି, ସନ୍ତୋଷ ସିଂହ ସାଲୁଜା, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସରକାରୀଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିକୁ ଡାକିଥିଲେ । ତେବେ ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରିପାରି ନଥିଲା ।

ଅପରାହ୍ନ ଅଧିବେଶନରେ ମଧ୍ୟ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଚିତ୍ରକୋଣ୍ଡାରେ ପୁଲିସ୍‍ ର୍ଦୁବ୍ୟବହାର ଘଟଣାରେ ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହ ମଧ୍ୟରେ ହଟଗୋଳ କରିଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଉଭୟ ଦଳର ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିବାକୁ ଅନୁରୋଧ କରିବା ସହିତ ବିଦେଶ ଗସ୍ତରୁ ଫେରିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତର ଦେବେ ।

ହେଲେ ବିରୋଧି ସଦସ୍ୟମାନେ ଏଥିରେ ସନ୍ତୁଷ୍ଟ ନହୋଇ ଗୃହ ମଧ୍ୟଭାଗରେ ହଟଗୋଳ କରିଥିଲେ । ଏଥିପାଇଁ ଗୃହକୁ ତିନି ଥରରେ ୪୫ ମିନିଟ୍‍ ପାଇଁ ମୁଲତବି ଘୋଷଣା କରାଯାଇଥିଲା । ଏହାପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆସି ବିବୃତ୍ତି ରଖି ଚିତ୍ରକୋଣ୍ଡା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଆଇଜିଙ୍କ ଦ୍ୱାରା କରାଯିବ ବୋଲି କହିଥିଲେ । ଏହାପରେ ବିରୋଧିମାନେ ନିଜ ନିଜ ଆସନକୁ ଫେରିଥିଲେ ।