Home Excise ଏନ୍‍ଡିପିଏସ୍‍ ମାମଲାରେ ୫୨୨ ଗିରଫ

ଏନ୍‍ଡିପିଏସ୍‍ ମାମଲାରେ ୫୨୨ ଗିରଫ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ ମଧ୍ୟରେ ରାଜ୍ୟରେ ୪୫୪ ଏନ୍‍ଡିପିଏସ୍‍ ମାମଲା ରୁଜୁ ହୋଇଥିବାବେଳେ ୫୨୨ ଜଣ ଗିରଫ ହୋଇଛନ୍ତି । ଗତବର୍ଷ ତୁଳନାରେ ଏହା ୨୫୦ ଗୁଣରୁ ଅଧିକ । ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଆଜି କରିଥିବା ତ୍ରୈମାସିକ ସମୀକ୍ଷାରୁ ଏହା ଜଣାଯାଇଛି ।

ଅବକାରୀ କମିଶନର ଶ୍ରୀ ସିଂହ କରିଥିବା ଏହି ସମୀକ୍ଷାରେ ଅବକାରୀ ବିଭାଗର ଡେପୁଟୀ କମିଶନର, ଅବକାରୀ ସୁପରିଟେଣ୍ଡେଣ୍ଟ, ଏନ୍‍ଫୋର୍ସମେଣ୍ଟ ସେଲ୍‍ର ଅଧିକାରୀମାନେ ସାମିଲ ହୋଇଥିଲେ । ସମୀକ୍ଷାରୁ ଜଣାଯାଇଛି ଗତ ତିନିମାସ ମଧ୍ୟରେ ଏନ୍‍ଡିପିଏସ୍‍ ଗିରଫଦାରୀ ଓ ମାମଲା ରୁଜୁ ଜୋରଦାର ହୋଇଛି । ଏହି ସମୟରେ ୪୮କାଟି ଟଙ୍କାର ଏନ୍‍ଡିପିଏସ୍‍ ନିଶା ସାମଗ୍ରୀ ଜବତ ହୋଇଛି ଯାହା ମଧ୍ୟରେ ୧୦ହଜାର କିଲୋ ଗଞ୍ଜେଇ, ସାଢେ ତିନି କିଲୋ ବ୍ରାଉନସୁଗାର ଏବଂ ୨୭୯ ଲିଟର କଫସିରପ ରହିଛି । ଗତ ବର୍ଷ ଏହି ସମୟରେ ପ୍ରାୟ ଦେଢ କିଲୋ ବ୍ରାଉନସୁଗାର ଓ ମାତ୍ର ୫୨ ଲିଟର କଫସିରପ ଜବତ ହୋଇଥିଲା ।

ସେହିଭଳି ଅନ୍ୟାନ୍ୟ ନିଶା ସାମଗ୍ରୀ ଧରପଗଡ ଯୋଗୁଁ ଏହି ତିନି ମାସରେ ୧୩,୦୬୭ ମାମଲା ରୁଜୁ ହୋଇଥିବାବେଳେ ୧୦,୭୪୪ ଜଣ ଗିରଫ ହୋଇଛନ୍ତି । ମାମଲା ଓ ଗିରଫଦାରୀ ଗତବର୍ଷର ଏହି ସମୟ ତୁଳନରେ ପ୍ରାୟ ୭୫ ପ୍ରତିଶତ ବୃଦ୍ଧି ପାଇଛି । ଜୋରଦାର ଚଢଉ ଯୋଗଁ ତିନିମାସରେ ୩,୫୪,୮୯୩୨ ଲିଟର କାରଖାନା ତିଆରି ଦେଶୀ ମଦ, ୩୪,୧୬,୮୩୫ ଲିଟର ମଦ ତିଆରି ସାମଗ୍ରୀ, ୯୫୨୬ ବୋତଲ ବିୟର, ୫୪୬୯ କିଲୋ ଭାଙ୍ଗ, ୧୩,୯୭୪ କୁଇଣ୍ଟାଲ ମହୁଲ ଫୁଲ ସମେତ ୫୪୨ଟି ଗାଡିମୋଟର ଜବତ କରାଯାଇଛି ।

ଏନଫୋର୍ସମେଣ୍ଟର ସକ୍ରିୟତା ଯୋଗୁଁ ଗତ ବର୍ଷ ତୁଳନାରେ ଏହି ତିନି ମାସରେ ଭାଙ୍ଗ ଜବତ ପରିମାଣ ୫୩୩ ପ୍ରତିଶତ ବୃଦ୍ଧି ପାଇଥିବା ଜଣାଯାଇଛି । ସମୀକ୍ଷାରୁ ଜଣାପଡିଛି ଯେ ଅବକାରୀ କାରବାରରେ ଲିପ୍ତ ଅପରାଧିଙ୍କ ସମସ୍ତ ସୂଚନା ଠୁଳ କରିବାପାଇଁ ଜୋରଦାର କାର୍ଯ୍ୟ ଚାଲିଛି । ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ସହାୟତାରେ ଏହା ଜାରି ରହିଛି । ଅତି କମ୍‍ରେ ଗତ ୧୦ ବର୍ଷର ଅବକାରୀ ଧରପଗଡ, ଗିରଫଦାରୀ ଓ ଏହି କାରବାରରେ ଲିପ୍ତ ସମସ୍ତ ଅପରାଧିଙ୍କ ସୂଚନା ରହିବ ଯାହାକି ଆଗାମୀ ଦିନରେ ଅବକାରୀ ବିଭାଗ ଓ ପୁଲିସ୍‍ ମଧ୍ୟରେ ସମନ୍ୱୟ ରକ୍ଷାରେ ସହଯୋଗ କରିବ ।

ଆର୍ଥିକ ବର୍ଷର ପ୍ରଥମ ତିନି ମାସ ଅର୍ଥାତ୍‍ ଚଳିତ ବର୍ଷର ଏପ୍ରିଲ୍‍ରୁ ଜୁନ୍‍ ମଧ୍ୟରେ ଅବକାରୀ ଏନ୍‍ଫୋର୍ସମେଣ୍ଟର କାର୍ଯ୍ୟାନୁଷ୍ଠାନ ନେଇ ଅବକାରୀ କମିଶନର ଶ୍ରୀ ସିଂହ ସନ୍ତୋଷ ପ୍ରକାଶ କରିଛନ୍ତି । ନିଶା କାରବାର କଡା କାର୍ଯ୍ୟାନୁଷ୍ଠାନ ବିଶେଷକରି ବେଆଇନ୍‍ ମଦ ତିଆରି, ବିତରଣ, ନକଲି ବିଦେଶୀ ମଦ ପ୍ରସ୍ତୁତି, ଟିକସ ଫାଙ୍କି ମଦ କାରବାର ଏବଂ ସର୍ବୋପରି ଏନ୍‍ଡିପିଏସ୍‍ ନିଶା କାରବାର ଉପରେ ନିୟମିତ ଚଢଉ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ସିଂହ ବିଭାଗୀୟ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । (ତଥ୍ୟ)