Home Agriculture ଚାଷୀ ପଂଜୀକରଣ ଅବଧି ଅଗଷ୍ଟ ୨୩କୁ ବୃଦ୍ଧି

ଚାଷୀ ପଂଜୀକରଣ ଅବଧି ଅଗଷ୍ଟ ୨୩କୁ ବୃଦ୍ଧି

ଭୁବନେଶ୍ୱର : ଚଳିତ ଖରିଫ ଧାନସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଂଜୀକରଣର ସମୟସୀମାକୁ ବୃଦ୍ଧି କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅଗଷ୍ଟ ୧୬ ତାରିଖ ଶେଷ ତାରିଖ ଥିବାବେଳେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶ କ୍ରମେ ବିଭାଗ ପକ୍ଷରୁ ଏହି ସମୟସୀମାକୁ ଅଗଷ୍ଟ ୨୩ ତାରିଖକୁ ବୃଦ୍ଧି କରାଯାଇଛି ।

ଆଜି ଏହି ମର୍ମରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି । ସଂପୃକ୍ତ ପ୍ୟାକସ୍‌/ଲ୍ୟାମ୍ପସ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ମାଧ୍ୟମରେ ବର୍ଦ୍ଧିତ ସମୟସୀମା ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଇବା ପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଏବଂ ସମବାୟ ସମିତି ସମୂହର ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରାଯାଇଛି ।

ଯେଉଁ ଚାଷୀମାନେ ଏ ପର୍ଯ୍ୟନ୍ତ ସୋସାଇଟିରେ ସେମାନଙ୍କ ନାମ ପଂଜୀକରଣ କରିପାରି ନାହାନ୍ତି, ସେମାନେ ଏହା ଦ୍ୱାରା ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଚାଷୀମାନେ ନାମ ପଂଜୀକରଣ ନିମନ୍ତେ ଆବଶ୍ୟକୀୟ ଦସ୍ତାବିଜ୍‌ ସହିତ ନିକଟସ୍ଥ ସୋସାଇଟିକୁ ଯାଇ ନିଜ ନାମ ପଂଜୀକରଣ କରାଇନେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ।

ଚାଷୀମାନେ ସୋସାଇଟିରେ ସେମାନଙ୍କର ନାମ ପଂଜୀକରଣ କରିବା ପାଇଁ ଯିବାବେଳେ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ଓ କୋଭିଡ୍‌ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ଗତକାଲି ସୁଦ୍ଧା ୧୦ ଲକ୍ଷ ୧୪ ହଜାର ୭୩୫ ଜଣ ଚାଷୀ ସେମାନଙ୍କ ନାମ ପଂଜୀକରଣ କରିସାରିଛନ୍ତି । ରାଜ୍ୟର ୨,୮୮୧ଟି ସୋସାଇଟି ମାଧ୍ୟମରେ ଏହି ଚାଷୀ ନାମ ପଂଜୀକରଣ କରାଯାଉଛି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ନାମ ପଂଜୀକରଣ କରାଯାଇଛି ।